ସୃଷ୍ଟି କଲେ ଉଦାହରଣ: ଅସଦାଚରଣକାରୀ ଠାରୁ ମହିଳାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପ୍ରେମିକ ସାଜିଲେ କ୍ୟାବ୍‌ ଚାଳକ…

ନୂଆଦିଲ୍ଲୀ : କ୍ୟାବ୍‌ର ନାଁ ଆସିବା ମାତ୍ରେ ମହିଳାଙ୍କ ସହ କ୍ୟାବ୍‌ରେ ହେଉଥିବା ଅସଦାଚରଣ କଥା ସାମ୍ନାକୁ ଆସିଥାଏ । କିଛି ଦିନ ତଳେ ବେଙ୍ଗାଲୁରୁରେ ଜଣେ ମହିଳା ଉବର ଚାଳକଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ମହିଳାଜଣଙ୍କ ନିଜ ସହକର୍ମୀଙ୍କ ସହ ରାତ୍ରି ଭୋଜନ ସାରି ଫେରୁଥିବା ବେଳେ ଚାଳକ ତାଙ୍କୁ ଗାଡ଼ିରୁ ବାହାରି ଯାଅ ନହେଲେ ତୁମ ପୋଷାକ ଚିରି ଦେବି ବୋଲି କହି ଧମକ ଦେଇଥିଲେ । ଏଭଳି ଅନେକ ଦୃଶ୍ୟ ସାମ୍ନାକୁ ଆସି ସାରିଥିବା ବେଳେ ଇଂଲଣ୍ଡର ଜଣେ ଚାଳକ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଅସଦାଚରଣକାରୀ ଠାରୁ ମହିଳାଙ୍କୁ ବଞ୍ଚାଇବା ପାଇଁ ଚାଳକ ଜଣଙ୍କ ନିଜକୁ ତାଙ୍କ ପ୍ରେମିକ ବୋଲି ପରିଚୟ ଦେବା ଖବର ଏବେ ଚର୍ଚ୍ଚାର ବିଷୟ ପାଳଟିଛି ।

ଚାଳକ ଗାରେଥ ଗେଲ୍‌ଙ୍କ ଫେସ୍‌ବୁକ୍‌ରେ କରିଥିବା ପୋଷ୍ଟ ଅନୁଯାୟୀ, ଗତ ରାତିରେ ମୋ ପାଖକୁ ଜଣେ ମହିଳାଙ୍କ ବୁକିଂ ଆସିଥିଲା । ମୁଁ ବୁକିଂ ଗ୍ରହଣ କରିବା ପରେ ସେ ମୋତେ ଏକ ମେସେଜ୍‌ ପଠାଇଥିଲେ । ତୁମେ ମୋତେ ନେବା ପାଇଁ ପହଞ୍ଚିବା ପରେ ଏଠାରେ ମୋର ପ୍ରେମିକ ଭଳି ବ୍ୟବହାର କରିବ କି? ବୋଲି ମୋତେ ମହିଳା ଜଣଙ୍କ ମେସେଜ କରିଥିଲେ । ହଠାତ ମୁଁ କିଛି ବୁଝି ନ ପାରି ତାଙ୍କୁ ପୁଣି ଥରେ ପଚାରିଥିଲି । ତା’ପରେ, ଏବେ ଆପଣଙ୍କ ସାହାଯ୍ୟ ମୋତେ ଦରକାର । ଆପଣ ମୋର କ୍ୟାବ୍‌ ଚାଳକ ନ ହୋଇ ପ୍ରେମିକ ଭଳି ବ୍ୟବହାର କରିବେ କି? ବୋଲି ଲେଖିିଥିଲେ । ଏହା ଦେଖି ମୁଁ ମୋ କାର୍‌ରୁ ଉବର ଷ୍ଟିକର ହଟାଇ ଦେଇଥିଲି । ସେଠାରେ ପହଞ୍ଚିବା ପରେ ଜଣେ ମହିଳାଙ୍କ ସହ ଜଣେ ପୁରୁଷ ଠିଆ ହୋଇଥିଲେ । ମୋତେ ଦେଖି ମହିଳା ଜଣଙ୍କ ତାଙ୍କ ପ୍ରେମିକଙ୍କ ଭଳି ବ୍ୟବହାର କରିବା ସହ ଗାଡ଼ିରେ ଆସି ବସିଥିଲେ । ଆମେ ସେଠାରୁ ଆସିବା ପରେ ସେ ମୋତେ ପୂରା କାହାଣୀ ଜଣାଇଥିଲେ ।

uber
indiatimes.com

ମହିଳାଙ୍କ ଅନୁଯାୟୀ, ସେ ନିଜ ବନ୍ଧୁମାନଙ୍କ ସହ ଏକ ମେଳାକୁ ବୁଲି ଯାଇଥିବା ବେଳେ ସେମାନଙ୍କ ଭିତରୁ ଜଣେ ମହିଳାଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲା । ଏମିତିକି ଘରେ ଛାଡ଼ିଦେବା ପାଇଁ ମଧ୍ୟ ଅଫର ଦେଇଥିଲେ । ମହିଳାଣଙ୍କ ମନା କରିଥିଲେ ମଧ୍ୟ ସେ ତାଙ୍କୁ ଅନୁସରଣ କରି ରାସ୍ତା ଉପରକୁ ଆସିଥିଲେ । ସେଠାରେ କଥା ହେବା ସମୟରେ ଅଭିଯୁକ୍ତ ଯୁବକଜଣଙ୍କ ତାଙ୍କର ନିକଟତର ହେଉଥିବା ଦେଖି ମହିଳା ଜଣଙ୍କ କ୍ୟାବ୍‌ ଚାଳକଙ୍କୁ ପ୍ରେମିକର ପରିଚୟ ଦେବାକୁ ଚିନ୍ତା କରିଥିଲେ ବୋଲି ଲେଖିଛନ୍ତି । ତେବେ ଗାରେଥ୍‌ଙ୍କ ଏଭଳି କାମକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି ।

ସମ୍ବନ୍ଧିତ ଖବର