ବରିଷ୍ଠ ନାଗରିକ ଆଇନରେ ସଂଶୋଧନକୁ କ୍ୟାବିନେଟ ମଂଜୁରୀ, ବରିଷ୍ଠ ନାଗରିକଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରତି ଥାନାରେ ଜଣେ ନୋଡାଲ ପୁଲିସ ଅଧିକାରୀ ରହିବେ

ନୂଆଦିଲ୍ଲୀ : ଦେଶରେ ବରିଷ୍ଠ ନାଗରିକଙ୍କ ଉପରେ ହିଂସାତ୍ମକ ଘଟଣା ମାତ୍ରା ବଢୁଥିବାରୁ ଓ କେତେକ କ୍ଷେତ୍ରରେ ସନ୍ତାନମାନେ ବୃଦ୍ଧ ପିତାମାତାଙ୍କ ଭରଣପୋଷଣ କରୁନଥିବାରୁ କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ ଆଜି ପିତାମାତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଓ ମଙ୍ଗଳ(ସଂଶୋଧନ) ବିଲ୍‌, ୨୦୧୯କୁ ମଂଜୁରୀ ଦେଇଛନ୍ତି ।
ଏହି ବିଲରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା ଓ ମଙ୍ଗଳ ପାଇଁ କେତେକ ପଦକ୍ଷେପ ନିଆଯାଇଛି । ଏହି ବିଲରେ ଥିବା ବ୍ୟବସ୍ଥା ଅନୁସାରେ ସନ୍ତାନମାନେ ନିଜର ବୃଦ୍ଧ ପିତାମାତାଙ୍କ ଭରଷପୋଷଣ ପାଇଁ ବାଧ୍ୟ । ବରିଷ୍ଠନାଗରିକମାନଙ୍କ ଭରଣପୋଷଣ ଓ ମଙ୍ଗଳର ତଦାରଖ ପାଇଁ ପ୍ରତି ସବଡିଭିଜନରେ ଏକ ଭରଣପୋଷଣ ଟ୍ରିବୁନାଲ ପ୍ରତିଷ୍ଠା କରାଯିବ । ଯେଉଁ ବରିଷ୍ଠନାଗରିକମାନେ ସେମାନଙ୍କ ସନ୍ତାନମାନଙ୍କଠାରୁ କୌଣସି ଭରଣପୋଷଣ ପାଉନାହାନ୍ତି, ସେମାନେ ଏକ ସ୍ୱତନ୍ତ୍ର ଟ୍ରିବୁନାଲରେ ଅଭିଯୋଗ କରିପାରିବେ ଓ ନିଜ ସନ୍ତାନ ବା ଉତ୍ତରାଧିକାରୀଙ୍କଠାରୁ ମାସିକ ସହାୟତା ରାଶି ପାଇପାରିବେ । ଜିଲ୍ଲା ସ୍ତରରେ ଅଭିଯୋଗ ଶୁଣାଣି ଏକ ଆପିଲେଟ ଟ୍ରିବୁନାଲ ପ୍ରତିଷ୍ଠା କରାଯିବ । ରାଜ୍ୟ ସରକାର ମାସିକ ଭରଣପୋଷଣ ରାଶି ନିର୍ଦ୍ଧାରଣ କରିପାରିବେ । ସନ୍ତାନ ସନ୍ତତିମାନେ ନିଜ ବୃଦ୍ଧପିତାମାତାଙ୍କୁ ଧାର୍ଯ୍ୟ ମାସିକ ଭରଣପୋଷଣ ରାଶି ପ୍ରଦାନ ନକଲେ ସେମାନଙ୍କୁ ୫ ହଜାର ଟଙ୍କା ଜରିମାନା ବା ୩ ମାସ ପର୍ଯ୍ୟନ୍ତ ଜେଲ ଯିବାକୁ ପଡିପାରେ । ଏହାଛଡା ଏହି ବିଲରେ ପୂର୍ବରୁ ଥିବା ଭରଣପୋଷଣ ରାଶିର ସର୍ବୋଚ୍ଚ ସୀମା ୧୦ ହଜାର ଟଙ୍କାକୁ ହଟାଇଦିଆଯାଇଛି । ଏହାଛଡା ସବଡିଭିଜନ ଓ ଜିଲ୍ଲା ସ୍ତରରେ ଜରାନିବାସ ଓ ବରିଷ୍ଠ ନାଗରିକ ହେଲପଲାଇନ ସ୍ଥାପନ ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି ।
ଏହି ବିଲରେ ଥିବା ଏକ ମୁଖ୍ୟ ବୈଶିଷ୍ୟ ହେଲା ଯେ ବରିଷ୍ଠ ନାଗରିକଙ୍କ ଅଭିଯୋଗର ଶୁଣାଣି ପାଇଁ ପ୍ରତି ଥାନାରେ ଜଣେ ଶୀର୍ଷ ପୁଲିସ ଅଧିକାରୀ (ନୋଡାଲ ଅଫିସର) ରହିବେ । ଜିଲ୍ଲା ସ୍ତରରେ ମଧ୍ୟ ଜଣେ ନୋଡାଲ ପୁଲିସ ଅଧିକାରୀ ରହିବେ ।

ସମ୍ବନ୍ଧିତ ଖବର