ଏନ୍ଡିସିକୁ କ୍ୟାବିନେଟର ଅନୁମୋଦନ
ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ (ୟୁଏନ୍ଏଫ୍ସିସିସି)କୁ ଅବଗତ କରାଇବା ପାଇଁ ଉଦ୍ଦିଷ୍ଟ ଭାରତର ନୂଆ କାର୍ଯ୍ୟସୂଚୀ ଓ ଉପଲବ୍ଧି (ଏନ୍ଡିସି)କୁ ଅନୁମୋଦନ କରାଯାଇଛି। ଏହି ଅପଡେଟେଡ୍ ଏନ୍ଡିସିରେ ପ୍ୟାରିସ୍ ଚୁକ୍ତି ଅନୁସାରେ ଜଳବାୟୁ ପରିବର୍ତ୍ତନ ରୋକିବାକୁ କି ପ୍ରକାର ସବିଶେଷ ଜାତୀୟ ପଦକ୍ଷେପ ଓ ଯୋଜନାମାନ ପ୍ରସ୍ତୁତ କରାଯାଇଛି ତାହା ସ୍ଥାନ ପାଇଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ଦେଶର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ । ଏଥିରେ ଅଭିବୃଦ୍ଧି ଧାରାକୁ ଅବ୍ୟାହତ ରଖିବା ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଗୁରୁତ୍ୱ ପାଇଛି । ୟୁଏନ୍ଏଫ୍ସିସିସିର ସର୍ତ୍ତ ଅନୁସାରେ ନିଜର ଜରୁରୀ ଆବଶ୍ୟକତା ପୂରଣ ନୀତିରେ ଭାରତ ଜୈବିକ ଇନ୍ଧନ ବ୍ୟବହାର କରିବ। ତେବେ ଏ କ୍ଷେତ୍ରରେ ଅଙ୍ଗାରକାମ୍ଳ ନିର୍ଗମନ କିପରି କମିବ ସେ ଦିଗରେ ଧ୍ୟାନ ଦେବ ।
Sambad is now on WhatsApp
Join and get latest news updates delivered to you via WhatsApp
୨୦୭୦ ସୁଦ୍ଧା ଭାରତର ଅଙ୍ଗାରକାମ୍ଳ ନିର୍ଗମନ ହାର ଶୂନରେ ପହଞ୍ଚିବ
ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀ
ଜାତିସଂଘ ମାର୍ଫତରେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଭାବ ରୋକିବାକୁ ବିଭିନ୍ନ ରାଷ୍ଟ୍ରମାନଙ୍କ ସମ୍ମିଳନୀ (କୋପ୍) ନିୟମିତ ଭାବେ ଆୟୋଜିତ ହେଉଛି । ବ୍ରିଟେନର ଗ୍ଲାସ୍ଗୋରେ ଅନୁଷ୍ଠିତ କୋପ୍-୨୬ରେ ଭାରତ ବିଶ୍ୱ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ସମଗ୍ର ପୃଥିବୀକୁ ଏକ ପଞ୍ଚସୂତ୍ରୀ ଯୋଜନା ଦେଇଥିଲା ଯାହା “ପଞ୍ଚାମୃତ” ନାମରେ ପରିଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂତ୍ର ପ୍ରଦାନ କରିଥିଲେ । ଭାରତ ସେହି ପଞ୍ଚାମୃତ ସୂତ୍ରରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ କାର୍ଯ୍ୟ କରୁଛି । ଏବେ ଭାରତ ତାହାର ଏହି କାର୍ଯ୍ୟକ୍ରମ/ଯୋଜନାକୁ ଅପଡେଟ୍ କରି ସେଥିରେ ୨୦୭୦ ସୁଦ୍ଧା ତାହାର ଅଙ୍ଗାରକାମ୍ଳ (କାର୍ବନ) ନିର୍ଗମନ ହାରକୁ ଶୂନରେ ପହଞ୍ଚାଇବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି। ପୂର୍ବରୁ ଭାରତ ୨୦୧୫ ଅକ୍ଟୋବର ୨ରେ ୟୁଏନ୍ଏଫ୍ସିସିସିକୁ ଏହାର ଏନ୍ଡିସି ପ୍ରଦାନ କରିଥିଲା । ଏଥିରେ ଆଠଟି ଲକ୍ଷ୍ୟ ଥିଲା । ସେଥିରୁ ତିନିଟି ଯଥା ଅକ୍ଷୟଶକ୍ତି ଉତ୍ପାଦନ ମାଧ୍ୟମରେ ନିଜର ବିଜୁଳି ଆବଶ୍ୟକତାର ୪୦% ପୂରଣ କରିବାକୁ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ, ୨୦୦୫ ସ୍ତର ଅନୁସାରେ ନିଜ ଜିଡିପିର ୩୩ ରୁ ୩୫ ଭାଗ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ, ତଥା ନୂତନ ଜଙ୍ଗଲ ଓ ସବୁଜିମା ସୃଷ୍ଟି ମାଧ୍ୟମରେ ଆଉ ଅତିରିକ୍ତ ୨.୫ରୁ ୩ ବିଲିୟନ ଟନ୍ର କାର୍ବନ ସିଙ୍କ୍ ସୃଷ୍ଟି ଗୁରୁତ୍ୱ ପାଇଥିଲା।
ନୂଆ ଏନ୍ଡିସି ଅନୁସାରେ ୨୦୦୫ ବର୍ଷ ତୁଳନାରେ ୨୦୩୦ ସୁଦ୍ଧା ଭାରତ ତାହାର ଜିଡିପିର ୪୫ ଶତାଂଶ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାକୁ ସଂକଳ୍ପବଦ୍ଧ । ସେହିଭଳି ୨୦୩୦ ସୁଦ୍ଧା ଭାରତ ମଧ୍ୟ ଅଣ ପାରମ୍ପରିକ ଉତ୍ସରୁ ଅକ୍ଷୟ ଶକ୍ତି ଉତ୍ପାଦନ ପାଇଁ ତାହାର ବିଜୁଳି ଉତ୍ପାଦନ କ୍ଷମତାକୁ ୫୦% ବୃଦ୍ଧି କରିବ । ଆଜି କ୍ୟାବିନେଟରେ ଅନୁମୋଦିତ ଏନ୍ଡିସିରେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଗରିବ ଓ ବିପଦାପନ୍ନ ଲୋକଙ୍କୁ ସୁରକ୍ଷିତ ରଖିବା ସହିତ ଜୀବନ ଶୈଳୀ ପରିବର୍ତ୍ତନ, ନିରନ୍ତର ବିକାଶ ଏବଂ ସମସ୍ତଙ୍କୁ ଜଳବାୟୁ ନ୍ୟାୟ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଭାରତର ଏନ୍ଡିସି କୌଣସି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ମୁକାବିଲା କରିବାକୁ ବାଧ୍ୟତାମୂଳକ ନୁହେଁ । ଏହାର ମୂଳ ଲକ୍ଷ୍ୟ ହେଲା ସାମଗ୍ରିକ ଅଙ୍ଗାରକାମ୍ଳ ନିର୍ଗମନ ମାତ୍ରା ହ୍ରାସ ଓ ସମୟ କ୍ରମେ ଏହାର ଅର୍ଥନୀତିର ଊର୍ଜା ଦକ୍ଷତା ବୃଦ୍ଧି । ଏହା ମଧ୍ୟ ଦେଶର ଦୁର୍ବଳ ବର୍ଗ ଅର୍ଥନୀତିର ଦୁର୍ବଳ କ୍ଷେତ୍ରକୁ ସୁରକ୍ଷିତ ରଖିବାକୁ ଚାହେଁ ।