୩୪ ବର୍ଷ ପରେ ବଦଳିଲା, ନୂଆ‌ ଜାତୀୟ ଶିକ୍ଷା ନୀତିକୁ କ୍ୟାବିନେଟ୍‌ ମଂଜୁରି

ଏମ୍‌ଫିଲ୍‌‌ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍‌ଡିସ୍ତରର ସମସ୍ତ କୋର୍ସକୁ ଆନ୍ତଃବିଭ‌ାଗୀୟ କରାଯିବ

ନୂଆଦିଲ୍ଲୀ : ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷା ନୀତି ବଦଳିଛି। କେନ୍ଦ୍ର କ୍ୟାବିନେଟ୍‌ ଆଜି ନୂଆ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି)କୁ ମଂଜୁରି ପ୍ରଦାନ କରିଛନ୍ତି ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ଶିକ୍ଷା ମନ୍ତ୍ରାଳୟ ନାମରେ ପୁନଃ ନାମିତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର କହିଛନ୍ତି, ଦୀର୍ଘ ୩୪ ବର୍ଷ ଧରି ଦେଶର ଶିକ୍ଷା ନୀତିରେ କୌଣସି ପରିବର୍ତ୍ତନ ହୋଇନଥିଲା। ତେଣୁ ଶିକ୍ଷା ନୀତିରେ ଏହି ପରିବର୍ତ୍ତନକୁ ସେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହ‌ିଛନ୍ତି। ଏହାଦ୍ବାରା ଉଚ୍ଚ ଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଅଣାଯାଇପାରିବ। ଉଚ୍ଚ ଶିକ୍ଷା ସଚିବ ଅମିତ ଖାରେ କହିଛନ୍ତି, ନୂଆ ଶିକ୍ଷା ନୀତି ଏବଂ ସଂସ୍କାର ଦ୍ବାରା ଆମେ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ମୋଟ୍‌ ନାମଲେଖା ଅନୁପାତ ହାସଲ କରିପାରିବା।

ନୂଆ ଶିକ୍ଷା ନୀତି ଅଧୀନରେ ଏମ୍‌ଫିଲ୍‌‌ ପାଠ୍ୟକ୍ରମ ବନ୍ଦ ହେବ ଏବଂ ସ୍ନାତକ, ସ୍ନାତକୋତର ଏବଂ ପିଏଚ୍‌ଡିସ୍ତରର ସମସ୍ତ କୋର୍ସ‌୍‌କୁ ଆନ୍ତଃବିଭ‌ାଗୀୟ କରାଯିବ। ଆଇନ ଏବଂ ମେଡିକାଲ୍‌ କଲେଜ୍‌ ବ୍ୟତୀତ ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ଏକକ ନିୟନ୍ତ୍ରକ ଦ୍ବାରା ପରିଚାଳିତ ହେବ। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ନୀତି ଅନୁଯାୟୀ ବେସରକାରୀ ତଥା ସରକାରୀ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକ ପାଇଁ ସାଧାରଣ ନିୟମ ଲାଗୁ ହେବ। ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଆଡମିସନ୍‌ ପାଇଁ ସାଧାରଣ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆଞ୍ଚଳିକ ଭା‌ଷାରେ ଇ-ପାଠ୍ୟକ୍ରମ ବିକଶିତ ହେବ, ଭର୍ଚୁଆଲ୍‌ ଲ୍ୟାବ୍‌ ବିକଶିତ ହେବ ଏବଂ ଏକ ଜାତୀୟ ଶିକ୍ଷା ପ୍ରଯୁକ୍ତିବିଦ୍ୟା‌ ଫୋରମ୍‌ ସୃଷ୍ଟି କରାଯାଉଛି। ଆମ ଦେଶରେ ୪୫ ହଜାର ଅନୁବନ୍ଧିତ କଲେଜ୍‌ ରହିଛି। ତେବେ ଶ୍ରେଣୀବଦ୍ଧ ସ୍ବାୟତ୍ତତା ଅଧୀନରେ କଲେଜ୍‌ଗୁଡ଼ିକର ମାନ୍ୟତାକୁ ଆଧାର କରି ସେମାନଙ୍କୁ ଶୈକ୍ଷଣିକ, ପ୍ରଶାସନକି ଏବଂ ଆର୍ଥିକ ସ୍ବାୟତ୍ତତା ପ୍ରଦାନ କରାଯିବ। ବୋର୍ଡ‌୍ ପରୀକ୍ଷା କମ୍‌ କଷ୍ଟକର ହେବ ଏବଂ ଛାତ୍ରଛାତ୍ରୀଙ୍କ ବାସ୍ତବ ଜ୍ଞାନ ପରୀକ୍ଷା କରାଯିବ। ମାତୃଭାଷା, ଆଞ୍ଚଳିକ ଭାଷା ଏବଂ ଘରୋଇ ଭାଷା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ମାଧ୍ୟମ ହେବ। ସ୍କୁଲ୍‌ ପାଠ୍ୟକ୍ରମ ମୂଳ ଅବଧାରଣାକୁ କମାଯିବ ଏବଂ ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷାକୁ ଏକିକୃତ କରାଯିବ। ଛାତ୍ରଛାତ୍ରୀଙ୍କୁ ଭଲଭାବେ ଆକଳନ କରିବାପାଇଁ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ‘ପରଖ’ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର