ଆତ୍ମନିର୍ଭର ଭାରତ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଂଜୁର କରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ପ୍ୟାକେଜକୁ ମଂଜୁରୀ ଦିଆଯାଇଛି ।

ଏହି ପ୍ୟାକେଜ ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଣ ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଏହି ପ୍ୟାକେଜ ଅଧିନରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଋଣପ୍ରଦାନ ପାଇଁ ମୋଟ ପ୍ରାୟ ୩ ଲକ୍ଷ କୋଟିର ପାଣ୍ଠି ଯୋଗାଣକୁ ମଂଜୁରୀ ଦିଆଯାଇଛି । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକୁ ଜରୁରୀ କାଳୀନ ନିଶ୍ଚିତ ଋଣ ସହାୟତା ପ୍ରଦାନ ସ୍କିମରେ ଏସବୁ ଋଣ ଦିଆଯିବ ।

ଅନ୍ୟପକ୍ଷରେ ରାଜସ୍ୱ ଆବଣ୍ଟନ ଭିତ୍ତିରେ କୋଇଲା ବ୍ଲକ ନିଲାମ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ସପ୍ତାହରେ ଘୋଷଣା କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ବାୟ ବନ୍ଦନା ସ୍କିମକୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଆହୁରି ମଧ୍ୟ ଅଣବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଲିକ୍ୱିଡିଟି ସ୍କିମକୁ ମଧ୍ୟ କ୍ୟାବିନେଟ ମଂଜୁରୀ ମିଳିଛି ।

କ୍ୟାବିନେଟ ଜମ୍ମୁ ଓ କଶ୍ମୀର (ରାଜ୍ୟଆଇନ ଅନୁପାଳନ) ୨ୟ ନିର୍ଦ୍ଦେଶ,୨୦୨୦କୁ ମଂଜୁର କରିଛି । ଏହା ଦ୍ୱାରା ଜମ୍ମୁ ଓ କଶ୍ମୀରର ସମସ୍ତ ନାଗରିକ ସବୁପ୍ରକାରର ସରକାରୀ ନିଯୁକ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

ସମ୍ବନ୍ଧିତ ଖବର