କୃଷି ଆଇନ ଉଚ୍ଛେଦ ବିଲ୍‌କୁ କ୍ୟାବିନେଟ୍‌ ମଂଜୁରି: ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ଆଇନ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହେବ

୬୦ ଟ୍ରାକ୍ଟର, ୧୦୦୦ ଚାଷୀ ସଂସଦ ଯିବେ: ଟିକାୟତ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଆଜି ‘କୃଷି ଆଇନ ଉଚ୍ଛେଦ ବିଲ୍‌, ୨୦୨୧’ କୁ ମଂଜୁରି ଦେଇଛି। କ୍ୟାବି‌ନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ସରକାର କୃଷି ଆଇନ ଉଚ୍ଛେଦ ବିଲ୍ ଆଗାମୀ ଶୀତ ଅଧିବେଶନରେ ଲୋକସଭାରେ ଆଗତ କରିବେ। ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ହିଁ ଆଇନ ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୧୯ ତାରିଖରେ ଦେଇଥିବା ପ୍ରତିଶ୍ରୁତି ମାତ୍ର ୫ ଦିନରେ ପୂରଣ ହୋଇଛି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ତଥା‌ କୃଷି ସାମଗ୍ରୀ (ପ୍ରୋତ୍ସାହନ ଓ ସୁବିଧା) ଆଇନ, ମୂଲ୍ୟ ପ୍ରତିଶ୍ରୁତି ଓ କୃଷି‌ ସେବା ସଂକ୍ରାନ୍ତ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଆଇନ, ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ପ୍ରତ୍ୟାହାର ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି।

ଆଇନ ଉଚ୍ଛେଦ ପାଇଁ ଆସିଥିବା ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ସ୍ବୀକୃତି ମିଳିବା ଏ ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ଗତ ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଆସନ୍ତା ଶୀତ ଅଧିବେଶନରେ କୃଷି ଆଇନ ଉଚ୍ଛେଦ ପାଇଁ ପ୍ରକ୍ରିୟା ଶେଷ ହେବ ବୋଲି ମୋଦୀ କହିଛନ୍ତି। କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ବ‌ର୍ଷେ ହେବ ଆନ୍ଦୋଳନ ଜାରି ରହିଛି। ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ ବି କୃଷକମାନେ ଏହାକୁ ସଂପୂର୍ଣ୍ଣ ଗ୍ରହଣ କରିନାହାନ୍ତି। ଯେପର୍ଯ୍ୟନ୍ତ ସଂସଦରେ ଏହି ଆଇନ ଉଚ୍ଛେଦ ହୋଇନାହିଁ ସେପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

୬୦ ଟ୍ରାକ୍ଟର, ୧୦୦୦ ଚାଷୀ ସଂସଦ ଯିବେ: ଟିକାୟତ
ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲେ ବି କୃଷକମାନେ ଅନ୍ୟ ଦାବି ସବୁ ପୂରଣ ଜିଦ୍‌ରେ ଆନ୍ଦୋଳନ ଜାରି ରଖିବାକୁ ଅଟଳ ରହିଛନ୍ତି। ସଂସଦରେ ଆଇନ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ। ଏଥିପାଇଁ ସେମାନଙ୍କ ପୂର୍ବ ‌ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ହେବ। ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ଦିନ ଆନ୍ଦୋଳନରତ ଚାଷୀମାନେ ସଂସଦକୁ ଟ୍ରାକ୍ଟର ରୢାଲି କରିବେ। ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଦାବି କରି ସେମାନେ ସଂସଦକୁ ଟ୍ରାକ୍ଟର ଯାତ୍ରା କରିବେ ବୋଲି ବିକେୟୁ (ଭାରତୀୟ କୃଷକ ସଂଗଠନ) ନେତା ରାକେଶ ଟିକାୟତ ଆଜି କହିଛନ୍ତି। ସରକାରଙ୍କ ଦ୍ବାରା ଯେଉଁ ରାସ୍ତା ଖୋଲାଯାଇଛି ସେହି ରାସ୍ତାରେ ଟ୍ରାକ୍ଟର ଯିବ। ଆମେ ରାସ୍ତା ବନ୍ଦ କରିଥିଲୁ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଆମେ ରାସ୍ତା ବନ୍ଦ କରିନଥିଲୁ କି ରାସ୍ତା ବନ୍ଦ କରିବା ଆମର ଉଦ୍ଦେଶ୍ୟ ନଥିଲା। ଆମେ ସରକାରଙ୍କ ସହ କଥା ହେବାକୁ ଚାହୁଥିଲୁ। ଆମେ ସିଧାସଳଖ ସଂସଦ ଯିବୁ ବୋଲି ଟିକା‌ୟତ କହିଛନ୍ତି।

୬୦ ଟ୍ରାକ୍ଟର ସହିତ ପ୍ରାୟ ୧ ହଜାର ଚାଷୀ ସେମାନଙ୍କ ଏମ୍‌ଏସପି ଦାବି ପାଇଁ ସଂସଦକୁ ଯାତ୍ରା କରିବେ ବୋଲି ଏସକେଏମ୍‌ (ସଂଯୁକ୍ତ କିଷାନ ମୋର୍ଚ୍ଚା) କହିଛି। ଏମ୍‌ଏସପି ଗ୍ୟାରେଣ୍ଟି ଆଇନ ସଂକ୍ରାନ୍ତରେ ଆମେ ସରକାରଙ୍କ ଜବାବକୁ ଅପେକ୍ଷା କରିଛୁ। ଚାଷୀ ଆନ୍ଦୋଳନ ସମୟରେ ୭୫୦ କୃଷକ ପ୍ରାଣ ହାରାଇଛନ୍ତି। ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ କ୍ଷତିପୂରଣ ଦାବି ହୋଇଛି। ଅନ୍ୟପକ୍ଷେ କହିଛି ଆସନ୍ତା ୨୬ ତାରିଖରେ କୃଷି ଆନ୍ଦୋଳନକୁ ବର୍ଷେ ପୂରଣ ହେବ। ଏଥିପାଇଁ ହେବାକୁ ଥିବା କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ କୃଷକ ଯୋଗ ଦେବେ ବୋଲି ଏସ୍‌କେଏମ୍‌ କହିଛି।

ସମ୍ବନ୍ଧିତ ଖବର