ପ୍ରାଥମିକ କୃଷି ଋଣ ସମିତିଗୁଡ଼ିକର କମ୍ପ୍ୟୁଟରୀକରଣକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ର କମ୍ପ୍ୟୁଟରୀକରଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ନିଷ୍ପତ୍ତି ପ୍ୟାକ୍ସଗୁଡ଼ିକର ଦକ୍ଷତା ବଢ଼ାଇବା ସହିତ ପରିଚାଳନାରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ବ ଆଣିବ। ମୋଟ ୫ ବର୍ଷରେ ପ୍ରାୟ ୬୩ ହଜାର କାର୍ଯ୍ୟକ୍ଷମ ପ୍ୟାକ୍ସର କମ୍ପ୍ୟୁଟରୀକରଣ କରାଯିବ ବୋଲି ସ୍ଥିର ହୋଇଛି।

ଅଧିକାଂଶ ପ୍ୟାକ୍ସ ବର୍ତ୍ତମାନ ସୁଦ୍ଧା କମ୍ପ୍ୟୁଟରୀକୃତ ହୋଇନାହାନ୍ତି ଏବଂ ଏବେ ବି ହସ୍ତଚାଳିତ ପଦ୍ଧତିରେ କାର୍ଯ୍ୟ କରୁଛନ୍ତି, ଫଳରେ ଏସବୁର ପରିଚାଳନାରେ ଅକ୍ଷମତା ଏବଂ ଭରସାର ଅଭାବ ଦେଖା ଦେଇଛି। କେତେକ ରାଜ୍ୟରେ କିଛି ସ୍ଥାନରେ ପ୍ୟାକ୍ସଗୁଡ଼ିକୁ ଆଂଶିକ ଭାବେ କମ୍ପ୍ୟୁଟରୀକରଣ କରାଯାଇଛି। ତେବେ ସେମାନଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ସଫ୍ଟୱେରରେ କୌଣସି ସମାନତା ନାହିଁ ଏବଂ ଏଗୁଡ଼ିକ ଡିସିସିବି ଏବଂ ଏସ୍‌ଟିସିବି ସହ ଯୋଡ଼ି ହୋଇ ନାହାନ୍ତି। ସାରା ଦେଶରେ ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ପାଇଁ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରସ୍ତାବ ଦେଇଥିଲେ। ପ୍ୟାକ୍ସଗୁଡ଼ିକର କମ୍ପ୍ୟୁଟରୀକରଣ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉଦ୍ଦେଶ୍ୟକୁ ପୂରଣ କରାଯାଇ ପାରିବ। ଚାଷୀ, ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଦିଆଯାଉଥିବା ସେବା ଯୋଗାଣ ସୁଦୃଢ଼ ହେବ। ଏଥିସହିତ ସାର, ବିହନ ଆଦି ବିଭିନ୍ନ ପ୍ରକାର ସେବା ନିମନ୍ତେ ପ୍ୟାକ୍ସଗୁଡ଼ିକ ନୋଡାଲ ସେବା ବିତରଣ କେନ୍ଦ୍ର ଭାବେ କାର୍ଯ୍ୟ କରିପାରିବେ।

ଏହି ପ୍ରକଳ୍ପରେ ତଥ୍ୟ ସଂଗ୍ରହ, ସାଇବର ସୁରକ୍ଷା, ହାର୍ଡୱେର, ବର୍ତ୍ତମାନ ରେକର୍ଡର ଡିଜିଟାଲକରଣ, ରକ୍ଷଣାବେକ୍ଷଣ ଏବଂ ପ୍ରଶିକ୍ଷଣ ସମେତ କ୍ଲାଉଡ୍ ଆଧାରିତ ଏକୀକୃତ ସଫ୍ଟୱେର ଆଦିକୁ ମୁଖ୍ୟ ଉପାଦାନ ଭାବେ ସାମିଲ କରାଯାଇଛି। ସ୍ଥାନୀୟ ଭାଷାରେ ଏହି ସଫ୍ଟୱେର ବିକଶିତ କରାଯିବ ଏବଂ ରାଜ୍ୟର ଆବଶ୍ୟକତା ଅନୁସାରେ ଏହାକୁ ଅନୁକୂଳ କରିବା ଲାଗି ଏଥିରେ ସୁବିଧା ରହିବ। ଯେଉଁ ସବୁ ରାଜ୍ୟରେ ପ୍ୟାକ୍ସର କମ୍ପ୍ୟୁଟରୀକରଣ ସମ୍ପୂର୍ଣ୍ଣ ହୋଇସାରିଛି, ସେମାନଙ୍କ କ୍ଷେତ୍ରରେ ପ୍ରତି ପ୍ୟାକ୍ସକୁ ୫୦,୦୦୦ ଟଙ୍କାର ସହାୟତା ଦିଆଯିବ। ତେବେ ଏସବୁ ପ୍ୟାକ୍ସ ସହଭାଗୀ ସଫ୍ଟୱେର ସହିତ ଏକୀକୃତ ହେବା ଏବଂ ନୂଆ ପ୍ରଣାଳୀକୁ ଆପଣାଇବା ଜରୁରୀ।

ସମ୍ବନ୍ଧିତ ଖବର