୨୦୨୦ରେ ଜନସଂଖ୍ୟା ପଞ୍ଜୀକରଣ ପାଇଁ ନିଷ୍ପତ୍ତି, ଏନ୍‌ଆର୍‌ସି ସହ ସମ୍ପର୍କ ନାହିଁ

୨୦୨୧ରେ ହେବ ଜନଗଣନା, ମଞ୍ଜୁର ହେଲା ୧୩ ହଜାର କୋଟି

ନୂଆଦିଲ୍ଲୀ: ବର୍ତମାନ ପାଇଁ ଜାତୀୟ ନାଗରିକ ପଞ୍ଜିକ‌ା ଯାଜନାରୁ (ଏନ୍‌ଆର୍‌ସି)ଓହରିଯିବା ପରେ କେନ୍ଦ୍ର ସରକାର ଆଜି ‌େଘାଷଣା କରିଛନ୍ତି ଯେ ଆସନ୍ତା ବର୍ଷ ଜାତୀୟ ଜନସଂଖ୍ୟା ପଞ୍ଜୀକରଣ (ଏନ୍‌ପିଆର୍‌) କରାଯିବ। ଆସନ୍ତ‌ା ବର୍ଷ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ହେବାକୁ ଥିବା ଏହି ପ୍ରକ୍ରିୟାରେ ସମସ୍ତ ନାଗରିକଙ୍କୁ ସାମିଲ କରାଯିବ। ଏଥିପାଇଁ କୌଣସି କାଗଜପତ୍ରର ଆବଶ୍ୟକତା ନାହିଁ। ଏଥିଲାଗି କେନ୍ଦ୍ର କ୍ୟାବିନେଟ୍ ଆଜି ୩୯୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହିତ ୨୦୨୧ରେ ମଧ୍ୟ ଜନଗଣନା କରାଯିବ ଏବଂ ଏଥିଲାଗି ୮୭୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଏନ୍‌ପିଆର୍‌ ଅପ୍‌ଡେଟିଂ କରାଯିବା ବେଳେ ଆଧାର କାର୍ଡ, ପ୍ୟାନ୍‌ କାର୍ଡ ଭଳି ପ୍ରମାଣପତ୍ର ବାଧ୍ୟତାମୂଳକ ନୁହେଁ। ଏଥିପାଇଁ ଲୋକେ ବିବ୍ରତ ନ ହେବାକୁ ଜାଭଡେକର୍‌ କହିଛନ୍ତି। ଜାତୀୟ ଜନସଂଖ୍ୟା ପଞ୍ଜିକା ମାଧ୍ୟମରେ ଦେଶର ଜନସଂଖ୍ୟାର ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଏଥିରେ ଉଭୟ ଭାରତୀୟ ଓ ବିଦେଶୀ ନାଗରିକ ନିଜ ନିଜ ସଂପର୍କରେ ତଥ୍ୟ ଦେବେ। ୨୦୨୦ ଏପ୍ରିଲରୁ ଏହା ଆରମ୍ଭ କରାଯିବ। ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ସାଧାରଣ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ଗତ ୬ ମାସ କିମ୍ବା ତା’ଠୁ ବେଶି ସମୟ ଧରି ରହୁଥିବା ବାସିନ୍ଦାମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବ। ୨୦୧୧ ଜନଗଣନା ପୂର୍ବରୁ ମନମୋହନ ସିଂହଙ୍କ ସରକାର ସମୟରେ ୨୦୧୦ରେ ପ୍ରଥମ ଥର ପାଇଁ ଏନ୍‌ପିଆର୍‌ ପ୍ରସ୍ତୁତ କରାଯାଇଥିଲା। ତେବେ ଏଥର ଅଧିକ ତଥ୍ୟ ସଂଗ୍ରହ କରାଯିବ। ଏହା ହେଲା ପିତାମାତାଙ୍କ ଜନ୍ମ ତାରିଖ ଓ ଜନ୍ମସ୍ଥାନ ଏବଂ ଏହାପୂର୍ବରୁ ସେମ‌ାନେ କେଉଁଠି ରହୁଥିଲେ।

୨୦୨୧ରେ ହେବାକୁ ଥିବା ଜନଗଣନାକୁ ଦୃଷ୍ଟିରେ ରଖି ଆସନ୍ତା ୨୦୨୦ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କେବଳ ଆସାମକୁ ବାଦ ଦେଇ ଦେଶର ଅନ୍ୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହି ତାଲିକାର ଅପ୍‌ଡେଟିଂ କରାଯିବା ସହ ଏହାର ଡିଜିଟାଲ ସଂରକ୍ଷଣ କରାଯିବ। ନାଗରିକତା ଆଇନ୍‌-୧୯୫୫ ଏବଂ ନାଗରିକତା ନିୟମ-୨୦୦୩ ଅନୁଯାୟୀ ଦେଶର ସମସ୍ତ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଓ ଉପଖଣ୍ଡ ସମେତ ସମସ୍ତ ସହର, କ୍ଷୁଦ୍ର ସହର ଓ ଗ୍ରାମମାନଙ୍କରେ ଜନସଂଖ୍ୟାର ତାଜା ତଥ୍ୟ ସଂଗ୍ରହ କରାଯିବ। ଏଥିସହ ଦେଶର ଯେ କୌଣସି ଅଞ୍ଚଳରେ ବସବାସ କରୁଥିବା ସ୍ଥାୟୀ ସାଧାରଣ ବାସିନ୍ଦାଙ୍କ ସମେତ ସେହି ଅଞ୍ଚଳରେ ବିଗତ ୬ ମାସ କିମ୍ବା ଅଧିକ ସମୟ ଧରି ରହୁଥିବା ବା ରହିବାକୁ ଥିବା ବ୍ୟକ୍ତି ବିଶେଷମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ଏନ୍‌ଆରସି ସହ ଏନପିଆରର କୌଣସି ସଂପର୍କ ନାହିଁ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ସ୍ପଷ୍ଟ କରିଦେଇଛନ୍ତି। ସେ କହିଛନ୍ତି ଯେ ଏନପିଆର ହେଉଛି ଜନସଂଖ୍ୟାର ପଞ୍ଜିକା ଏବଂ ଏନଆରସି ହେଉଛି ନାଗରିକଙ୍କ ପଞ୍ଜିକା। ଏନପିଆରର ତଥ୍ୟକୁ ଏନସିଆର ବେ‌େଳ ବ୍ୟବହାର କରାଯିବ ନାହିଁ। ଏହା ସହିତ ସେ ଆହୁରି କହିଛନ୍ତି ଯେ ଦେଶସାରା ଏନଆରସି ଲାଗୁ କରିବା ଲାଗି ଏବେ କୌଣସି ଯୋଜନା ନାହିଁ। ପ୍ରଧାନମନ୍ତ୍ରୀ ଏହା ସ୍ପଷ୍ଟ କରିଦେଇଛନ୍ତି।‌େ‌‌ତବେ ପଶ୍ଚିମ ବଙ୍ଗ ଏବଂ କେରଳ ସରକାର ଏନପିଆରକୁ ବିରୋଧ କରିବା ସହିତ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ ବୋଲି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର