ଭାରତ-ସିଙ୍ଗାପୁର ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ : ବିଜ୍ଞାନ, ପ୍ରଯୁକ୍ତି ଏବଂ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ଉପରେ ଭାରତ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ ଏବଂ ସିଙ୍ଗାପୁରର ବ୍ୟାପାର ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ମଧ୍ୟରେ ହୋଇଥିବା ବୁଝାମଣାପତ୍ରକୁ କ୍ୟାବିନେଟ୍ ଆଜି ଅନୁମୋଦନ କରିଛି। ଏହି ବୁଝାମଣାପତ୍ର ଫେବ୍ରୁଆରି ୨୦୨୨ରେ ସ୍ୱାକ୍ଷରିତ ହୋଇଥିଲା।

ଏହି ସହଯୋଗ ମାଧ୍ୟମରେ ନୂତନ ଜ୍ଞାନ ଏବଂ ପ୍ରଯୁକ୍ତିର ବିକାଶ ଆତ୍ମନିର୍ଭର ଭାରତକୁ ପ୍ରେରଣା ଯୋଗାଇବ। ବୁଝାମଣାପତ୍ରରେ ଧାର୍ଯ୍ୟ କାର୍ଯ୍ୟକଳାପରେ ଉତ୍ପାଦ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟାର ବିନିମୟ ସାମିଲ ହେବ, ଯେଉଁଥିରେ ନୂତନ ଉଦ୍ୟୋଗ ଏବଂ ରୋଜଗାର ସୃଷ୍ଟି ହୋଇପାରିବ। ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ହେଉଛି, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବିଜ୍ଞାନ, ପ୍ରଯୁକ୍ତି ଏବଂ ନବସୃଜନ ଭଳି ସମାନ ରୁଚି ରଖୁଥିବା କ୍ଷେତ୍ରଗୁଡିକରେ ସହଯୋଗକୁ ପ୍ରାଥମିକତା ପ୍ରଦାନ କରିବା, ଯାହା ଗବେଷଣା, ନବୋନ୍ମେଷ ଏବଂ ପ୍ରଯୁକ୍ତିର ବିକାଶରେ ପ୍ରଗତିକୁ ଆଗକୁ ବଢ଼ାଇ ପାରିବ।

ଦୁଇଦେଶ ମଧ୍ୟରେ ଯେଉଁସବୁ ବିଷୟ ବା କ୍ଷେତ୍ରକୁ ନେଇ ପାରସ୍ପରିକ ସହଯୋଗ ଲାଗି ଚୁକ୍ତି ସ୍ବାକ୍ଷରିତ ହୋଇଛି ସେଗୁଡ଼ିକ ମଧ୍ୟରେ ରହିଛି: କୃଷି, ଖାଦ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା; ଉନ୍ନତ ଉତ୍ପାଦନ ଓ ଇଞ୍ଜିନିୟରିଂ; ସବୁଜ ଅର୍ଥନୀତି, ଶକ୍ତି, ଜଳ, ଜଳବାୟୁ ଓ ପ୍ରାକୃତିକ ସମ୍ପଦ; ତଥ୍ୟ ବିଜ୍ଞାନ, ଉଦୀୟମାନ ପ୍ରଯୁକ୍ତି ବିଦ୍ୟା; ଉନ୍ନତ ସାମଗ୍ରୀ ଏବଂ ସ୍ୱାସ୍ଥ୍ୟ ଓ ବାୟୋଟେକ୍ନୋଲୋଜି। ପାରସ୍ପରିକ ସହମତି ଭିତ୍ତିରେ ସାଧାରଣ ସ୍ୱାର୍ଥ ସମ୍ପର୍କିତ ଅନ୍ୟାନ୍ୟ କ୍ଷେତ୍ରକୁ ମଧ୍ୟ ପରେ ଅନ୍ତର୍ଭୁକ୍ତ କରାଯାଇପାରିବ।

ସମ୍ବନ୍ଧିତ ଖବର