ଏଣିକି କୃଷକମାନେ ରାଜ୍ୟ ବାହାରେ ନିଜର ସାମଗ୍ରୀ ବିକ୍ରି କରିପାରିବେ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ କୃଷି ଉତ୍ପାଦ ବାଣିଜ୍ୟ ଓ ବ୍ୟବସାୟ (ସମ୍ବର୍ଦ୍ଧନ ଏବଂ ସୁବିଧା) ଅଧ୍ୟାଦେଶ ୨୦୨୦କୁ ମଞ୍ଜୁରି ଦେଇଛନ୍ତି ।

ଏହି ଅଧ୍ୟାଦେଶ ଲାଗୁ ହେବା ଫଳରେ କୃଷକମାନଙ୍କ ପାଇଁ ଏକ ସୁଗମ ଏବଂ ମୁକ୍ତ ପରିବେଶ ପ୍ରସ୍ତୁତ ହୋଇପାରିବ ଯେଉଁଥିରେ ସେମାନଙ୍କୁ ନିଜ ସୁବିଧା ଅନୁସାରେ କୃଷି ଉତ୍ପାଦ ବିକ୍ରି ଏବଂ କ୍ରୟ କରିବାର ସ୍ୱାଧୀନତା ମିଳିପାରିବ । ଅଧ୍ୟାଦେଶ ବଳରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଏପରି ବଜାର ବାହାରେ ମଧ୍ୟ କୃଷି ଉତ୍ପାଦର ଉନ୍ମୁକ୍ତ ବ୍ୟବସାୟ ସୁଗମ ହେବ ଯେଉଁ ବଜାରଗୁଡ଼ିକ ରାଜ୍ୟ କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି) ଆଇନ ଅନ୍ତର୍ଗତ ବିଜ୍ଞପିତ ଅଟନ୍ତି । ଏହାଦ୍ୱାରା କୃଷକମାନଙ୍କୁ ଅଧିକ ବିକଳ୍ପ ମିଳିବ । ବଜାର ବ୍ୟୟ ହ୍ରାସ ପାଇବ ଏବଂ ସେମାନଙ୍କୁ ନିଜ ଉତ୍ପାଦ ଉନ୍ନତ ଦର ମିଳିପାରିବ । ଏହାବ୍ୟତୀତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦ ଅଧିକ ମୂଲ୍ୟ ମିଳିପାରିବ । ଅନ୍ୟପଟେ କମ ଉତ୍ପାଦିତ କ୍ଷେତ୍ରରେ ଉପଭୋକ୍ତାମାନଙ୍କୁ ମଧ୍ୟ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ଅଧ୍ୟାଦେଶରେ କୃଷି ଉତ୍ପାଦର ସୁଗମ କାରବାର ସୁନିଶ୍ଚିତ କରିବା ଲାଗି ଏକ ଇ-ପ୍ଲାଟଫର୍ମ ବିକଶିତ କରିବାର ପ୍ରସ୍ତାବ ମଧ୍ୟ ରହିଛି ।

ଏହି ଆଇନ ଅଧୀନରେ ନିଜର ଉତ୍ପାଦ ବିକ୍ରି ନିମନ୍ତେ ଚାଷୀଙ୍କୁ କୌଣସି ପ୍ରକାର ସେସ କିମ୍ବା ଲେଭି ଦେବାକୁ ପଡ଼ିବ ନାହିଁ । ଆହୁରି ଚାଷୀଙ୍କ ପାଇଁ ଏକ ଅଲଗା ବିବାଦ ସମାଧାନ ବ୍ୟବସ୍ଥା ମଧ୍ୟ ରହିବ । ଅଧ୍ୟାଦେଶର ମୂଳ ଉଦ୍ଦେଶ୍ୟ ଏପିଏମସି ବଜାର ସୀମା ବାହାରେ କୃଷକମାନଙ୍କୁ କାରବାର ପାଇଁ ଅତିରିକ୍ତ ସୁଯୋଗ ଉପଲବ୍ଧ କରାଇବା ଯାହା ଫଳରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ସେମାନଙ୍କୁ ନିଜ ଉତ୍ପାଦର ଭଲ ଦାମ ମିଳିପାରିବ । ଏହା ନିଶ୍ଚିତ ଭାବେ ‘ଏକ ଦେଶ, ଏକ କୃଷି ବଜାର’ନିର୍ମାଣ ମାର୍ଗ ପ୍ରଶସ୍ତ କରିବ ଏବଂ କଠୋର ପରିଶ୍ରମ କରୁଥିବା ଆମର କୃଷକମାନଙ୍କ ପାଇଁ ସେମାନଙ୍କ ଉତ୍ପାଦର ଇଚ୍ଛାମୁତାବକ ଦାମ ମିଳିବା ସୁନିଶ୍ଚିତ ହୋଇପାରିବ ।

ସମ୍ବନ୍ଧିତ ଖବର