ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ଏହି ବର୍ଦ୍ଧିତ ମୂଲ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଲାଗୁହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଫସ୍‌ଫେଟ ଓ ପଟାସ(ପି ଆଣ୍ଡ କେ) ଜାତୀୟ ସାରର ମୂଲ୍ୟଗୁଡିକୁ ଅନୁମୋଦନ କରାଯାଇଛି । ଏହି ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଚଳିତବର୍ଷ ମେ୨୦ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବର୍ଦ୍ଧିତ ମୂଲ୍ୟ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୨ମାର୍ଚ୍ଚ ୩୧ଅର୍ଥାତ୍ ସମଗ୍ର ଆର୍ଥିକ ବର୍ଷ ପାଇଁ ଲାଗୁ ହେବ ।

ଆନ୍ତର୍ଜାତିକ ବଜାରରେ ଡାଏ ଆମୋନିୟମ ସଲ୍‌ଫେଟ(ଡିଏପି) ସାରର ମୂଲ୍ୟ ବୃଦ୍ଧି ଘଟିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି। ତେବେ ଚାଷୀଙ୍କ ଉପରେ ବର୍ଦ୍ଧିତ ମୂଲ୍ୟର ବୋଝ ଯେପରି ନ ପଡେ ସେଥିପାଇଁ ପ୍ରତି ବ୍ୟାଗ୍ ଡିଏପି ସାର ଉପରେ ୪୩୮ ଟଙ୍କାର ସ୍ୱତନ୍ତ୍ର ଏକକାଳୀନ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ମୂଲ୍ୟ ବୃଦ୍ଧି ସତ୍ୱେ ଚାଷୀ ପୁରୁଣା ଦାମ୍‌ରେ ଡିଏପି ସାର କିଣିପାରିବେ ।

Agriculture Post

ସର୍ବାଧିକ ବ୍ୟବହୃତ ହେଉଥିବା ୩ପ୍ରକାର ଏନପିକେ ଗ୍ରେଡର ସାର (୧୦:୨୬:୨୬, ୨୦:୨୦:୦:୧୩ ଓ ୧୨:୩୨:୧୬) ପାଇଁ ଯେଉଁ କଞ୍ଚାମାଲ ଆମଦାନୀ କରାଯାଉଥିଲା ଆନ୍ତର୍ଜାତିକ ବଜାରରେ ତା’ର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ସରକାର ବାଧ୍ୟ ହୋଇ ଏସବୁ ସାରର ମୂଲ୍ୟକୁ ବ୍ୟାଗ ପିଛା ୧୦୦ଟଙ୍କା ବଢାଇଥିଲେ ମଧ୍ୟ ସ୍ୱତନ୍ତ୍ର ଏକକାଳୀନ ରିହାତି ବ୍ୟବସ୍ଥା ମାଧ୍ୟମରେ ସେ ବାବଦ ବର୍ଦ୍ଧିତ ବ୍ୟୟକୁ ନିଜେ ବହନ କରିବେ । ଫଳରେ ଚାଷୀ ଏ ସବୁ ସାର ପୂର୍ବଭଳି ସୁବିଧା ଦରରେ ପାଇବେ ।

ପ୍ରଥମ ଥର ପାଇଁ ସରକାର ମଧ୍ୟ ମୋଲାସେସ୍‌ରୁ ଉତ୍ପାଦିତ ପଟାସ(ପିଡିଏମ୍‌)କୁ ନ୍ୟୁଟ୍ରେଣ୍ଟ ଭିତ୍ତିକ ରିହାତି ବ୍ୟବସ୍ଥା ବା ଏନବିଏସ୍‌ର ଅନ୍ତର୍ଭୁକ୍ତ କରିଛନ୍ତି । ୨୦୧୦ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଏଥିରେ ପିଡିଏମ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଫଳରେ ଚିନିକଳଗୁଡିକରୁ ବାହାରୁ ଥିବା ଉପଜାତ ପଦାର୍ଥ ପାଇଁ ଭଲ ଦାମ୍ ମିଳିବ । ଏହି ପଦାର୍ଥରୁ ପ୍ରସ୍ତୁତ ପିଡିଏମ୍ ସାର-୦:୦:୧୪.୫:୦ ନାମରେ ପରିଚିତ ।


ଭାରତ ମିନେରାଲ ଭିତ୍ତିକ ପଟାସରେ ଶତପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଭାରତ ପ୍ରାୟ ୪୨ଏଲ.ଏମ୍‌.ଟି ଏମଓପି ସାର ଆମଦାନୀ କରିଥାଏ ଏବଂ ଏଥିପାଇଁ ସରକାରଙ୍କୁ ବାର୍ଷିକ ୭୧୬୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ହୁଏ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆଖୁଚାଷୀଙ୍କ ଆୟସ୍ତର ବଢିବା ସହିତ ଚିନିକଳଗୁଡିକ ଲାଭବାନ ହେବେ । ଚାଷୀମାନେ ଏହି ସାରକୁ ବ୍ୟାଗ ପିଛା ଏବେ ୬୦୦ରୁ ୮୦୦ଟଙ୍କାରେ କିଣୁଛନ୍ତି । ସରକାରୀ ନିଷ୍ପତ୍ତି ଫଳରେ ୫୦ କି.ଗ୍ରା ଓଜନର ବ୍ୟାଗ ଉପରେ ଚାଷୀଙ୍କୁ ୭୩ଟଙ୍କା ରିହାତି ମିଳିବ ।

ଆକଳନ ଅନୁସାରେ କେନ୍ଦ୍ର ସରକାରେ ପିଡିଏମ୍ ବାବଦରେ ବାର୍ଷିକ ୧୫୬କୋଟି ଟଙ୍କା ରିହାତି ଭରଣା କରିବେ । ଏହା ସତ୍ତ୍ୱେ ସରକାରଙ୍କର ୫୬୨କୋଟି ଟଙ୍କାର ବୈଦେଶିକ ବିନିମୟ ମୁଦ୍ରା ସଂଚୟ ହେବ।

ସମ୍ବନ୍ଧିତ ଖବର