ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଖର୍ଚ୍ଚ ଅଟକଳ ୨୨୫୫ କୋଟିରେ ପହଞ୍ଚିଲା, କ୍ୟାବିନେଟ୍ ଦେଲା ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି)ପ୍ରତିଷ୍ଠା ସଂକ୍ରାନ୍ତ ପ୍ରକଳ୍ପ ବ୍ୟୟ ଅଟକଳକୁ ସଂଶୋଧିତ କରାଯାଇଛି। ଏବେ ଏହି ପ୍ରକଳ୍ପର ଖର୍ଚ୍ଚ ୧୪୩୫ କୋଟିରୁ ୨୨୫୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହି ପ୍ରକଳ୍ପ ପାଇଁ ଇକ୍ୟୁଇଟି ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ଯେଉଁ ନିୟାମକ ବ୍ୟବସ୍ଥା ରହିଛି ତାହାକୁ ପୂରଣ କରିବା ପାଇଁ ବ୍ୟୟ ଅଟକଳ ବୃଦ୍ଧିର ଆବଶ୍ୟକତା ରହିଥିଲା ।

ଆଜି କ୍ୟାବିନେଟ ବୈଠକରେ ମଧ୍ୟ ଟେକ୍ନୋଲୋଜିର ବିକାଶ ଓ ନିୟାମକ ଆବଶ୍ୟକତା ପୂରଣ ପାଇଁ ଏହି ପ୍ରକଳ୍ପରେ ୫୦୦କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ ସୁଯୋଗ ସୃଷ୍ଟିକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି ।
ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ସାଧାରଣ ଜନତାଙ୍କ ପାଇଁ ଏକ ସହଜ, ସୁଗମ ଓ ବିଶ୍ୱାସଯୋଗ୍ୟ ଓ ସ୍ୱଳ୍ପ ବ୍ୟୟର ବ୍ୟାଙ୍କ ବ୍ୟବସ୍ଥା ସୃଷ୍ଟି କରିବ । ବ୍ୟାଙ୍କ ସେବା ନ ଥିବା ଦେଶର ଅଗମ୍ୟ, ଅପହଞ୍ଚ ଓ ଅନୁନ୍ନତ ଅଞ୍ଚଳରେ ଲୋକଙ୍କୁ ସେମାନଙ୍କ ଘରପାଖରେ ସହଜରେ ବ୍ୟାଙ୍କ ସେବା ଓ ଆର୍ଥିକ କାରବାର ସୁବିଧା ଯୋଗାଇ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସମାବେଶୀ କରିବାକୁ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ତାହାର ଏକ ପ୍ରମୁଖ ଅଂଶ । ଏହି ପ୍ରକଳ୍ପ ମଧ୍ୟ ଭାରତ ସରକାରଙ୍କ “ସ୍ୱଳ୍ପ ନଗଦ” (ଲେସ୍ କ୍ୟାସ୍) ଅର୍ଥନୀତି ଲକ୍ଷ୍ୟକୁ ପୂରଣ କରିବା ସହିତ ଉଭୟ ଅର୍ଥନୀତିକ ଅଭିବୃଦ୍ଧି ଓ ଆର୍ଥିକ ସମାବେଶୀକରଣ ପ୍ରୟାସକୁ ସାକାର କରିବାରେ ସହାୟକ ହେବ ।

୨୦୧୮ ସେପ୍ଟେମ୍ବର ପହିଲାରେ ଭାରତରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ଆରମ୍ଭ ହୋଇଥିଲା । ଏଥିରେ ୬୫୦ଶାଖା ଓ ନିୟନ୍ତ୍ରଣ ଅଫିସ ଖୋଲାଯାଇଥିଲା । ଆଇପିପିବି ବ୍ୟବସ୍ଥାରେ ଦେଶର ୧. ୩୬ ଲକ୍ଷ ଡାକଘର ଲୋକଙ୍କୁ ଏବେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି । ଏଥିରେ ପ୍ରାୟ ୧. ୮୯ ଲକ୍ଷ ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକସେବକ ସ୍କାର୍ଟଫୋନ ଓ ବାୟୋମେଟ୍ରିକ ଡିଭାଇସ୍ ମାଧ୍ୟମରେ ଲୋକଙ୍କୁ ଘର ପାଖରେ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ।

ଆଇପିପିବି ଆରମ୍ଭ ହେବା ପରଠାରୁ ୫. ୨୫କୋଟିରୁ ଅଧିକ ଆକାଉଣ୍ଟ ଖୋଲିଛି ଏବଂ ଏହା ମାଧ୍ୟମରେ ୫୨କୋଟି କାରବାର ହୋଇଛି । କାରବାର ହୋଇଥିବା ମୋଟ ଅର୍ଥ ପରିମାଣ ୧. ୬୧, ୮୧୧ କୋଟି ଟଙ୍କା। ସମ୍ପୃକ୍ତ ପାଞ୍ଚ କୋଟି ଆକାଉଣ୍ଟ ମଧ୍ୟରୁ ୭୭ ଶତାଂଶ ଗ୍ରାମାଞ୍ଚଳରେ ଖୋଲିଛି । ଆହୁରି ମଧ୍ୟ ଗ୍ରାହକମାନଙ୍କ ମଧ୍ୟରେ ୪୮ଶତାଂଶ ମହିଳା ଯେଉଁମାନେ ମୋଟ ପ୍ରାୟ ୧୦୦୦କୋଟି ଟଙ୍କା ଜମା ରଖିଛନ୍ତି । ପ୍ରାୟ ୪୦ ଲକ୍ଷ ମହିଳା ଗ୍ରାହକ ଡିବିଟି ବ୍ୟବସ୍ଥାରେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଲାଭ ଓ ଆର୍ଥିକ ସହାୟତା ପାଉଛନ୍ତି । ସେ ବାବଦ ମୋଟ ପ୍ରାମୟ ୨୫୦୦କୋଟି ଟଙ୍କା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯାଉଛି । ଏହା ବ୍ୟତୀତ ଏହି ବ୍ୟବସ୍ଥାରେ ୭.୮ ଲକ୍ଷରୁ ଅଧିକ ସ୍କୁଲପିଲାଙ୍କ ଆକାଉଣ୍ଟ ଖୋଲାଯାଇଛି ।

ଦେଶର ଆକାଂକ୍ଷୀ ଜିଲ୍ଲାଗୁଡିକରେ ଆଇପିପିବି ପ୍ରାୟ ୯୫.୭୧ କୋଟି ଆକାଉଣ୍ଟ ଖୋଲିଛି । ଏହା ମାଧ୍ୟମରେ ମୋଟ ୧୯,୪୮୭ କୋଟି ଟଙ୍କାର କାରବାର ୬୯୨ଥର ହୋଇଛି । ସେହିଭଳି ବାମ ଉଗ୍ରପନ୍ଥୀ ପ୍ରଭାବିତ ଜିଲ୍ଲାଗୁଡିକରେ ୬୭.୨୦ ଲକ୍ଷ ଆକାଉଣ୍ଟ ଖୋଲାଯାଇ ୧୩,୪୦୦ କୋଟିି ଟଙ୍କା କାରବାର ହୋଇଛି ।

ସମ୍ବନ୍ଧିତ ଖବର