ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ସାର ବିଭାଗ ପକ୍ଷରୁ ବିଭିନ୍ନ ପୋଷକ ତତ୍ତ୍ୱ ଯଥା ନାଇଟ୍ରୋଜେନ, ଫସଫରସ, ପଟାସ ଏବଂ ସଲଫର ପାଇଁ ପୋଷକତତ୍ତ୍ୱ ଆଧାରିତ ସବ୍ସିଡି ଦରରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ଆଧାର କରି ଫସ୍ଫେଟ୍ ଓ ପଟାସ୍ (ପିଏଣ୍ଡକେ) ସାର ଉପରେ ରବି ଋତୁ ୨୦୨୨-୨୩ ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରରେ ସଂଶୋଧନ କରାଯାଇଛି ଏବଂ ଖରିଫ ଋତୁ ୨୦୨୩ ପାଇଁ ପୋଷକ ତତ୍ତ୍ୱ ଆଧାରିତ ସବସିଡି ଦର ନିର୍ଦ୍ଧାରଣ କରାଯାଇଛି।
ପିଏଣ୍ଡକେ ସାର ଉପରେ ସବସିଡି ଦର ୧ ଏପ୍ରିଲ ୨୦୧୦ ଠାରୁ ଏନବିଏସ ଯୋଜନା ଦ୍ୱାରା ପରିଚାଳିତ ହେଉଛି । ସରକାର ରବି ଋତୁ ୨୦୨୨-୨୩ ପାଇଁ ସଂଶୋଧିତ କରିଥିବା ଏନବିଏସ ଦର ୧ ଜାନୁଆରୀ ୨୦୨୩ ଠାରୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପିଛିଲା ଭାବେ ଲାଗୁ ହେବ । ସେହିପରି ଖରିଫ ଋତୁ ୨୦୨୩ ପାଇଁ ନିର୍ଦ୍ଧାରଣ କରାଯାଇଥିବା ଏନବିଏସ ଦର ଏପ୍ରିଲ ୧ଠାରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଚାଷୀଙ୍କୁ ସବସିଡି ଦରରେ ୨୫ଟି ଗ୍ରେଡ୍ ଫସଫେଟ ଏବଂ ପଟାସ (ପିଏଣ୍ଡକେ) ସାର ମିଳିବ ।
ଚାଷୀମାନଙ୍କୁ ଉନ୍ନତ ମାନର ପିଏଣ୍ଡକେ ସାର ସବସିଡି ଦରରେ ଯୋଗାଇ ଦେବା ଲାଗି ନିଜର ପ୍ରତିଶ୍ରୁତି ପୂରଣ କରିବାକୁ ସରକାର ୨୦୨୩ ଖରିଫ ଋତୁ ପାଇଁ ୩୮ ହଜାର କୋଟି ଟଙ୍କାର ସବସିଡି ରାଶି ଯୋଗାଇ ଦେବେ। କ୍ୟାବିନେଟଙ୍କ ଏହି ନିଷ୍ପତ୍ତିର ଦୁଇଟି ଲାଭ ମିଳିବ। ପ୍ରଥମତଃ ଖରିଫ ଋତୁରେ ଚାଷୀମାନଙ୍କ ପାଇଁ ସବସିଡିଯୁକ୍ତ, ଶସ୍ତା ଏବଂ ଯୁକ୍ତିସଂଗତ ଦରରେ ଡିଏପି ଏବଂ ଅନ୍ୟ ପି ଏଣ୍ଡ କେ ସାର ମିଳିପାରିବ । ଦ୍ୱିତୀୟତଃ ଏହା ପି ଏଣ୍ଡ କେ ସାର ଉପରେ ସବସିଡିକୁ ଯୁକ୍ତିସଙ୍ଗତ କରିବ।
ଆଇଟି ହାର୍ଡୱେର ପିଏଲ୍ଆଇ ସ୍କିମ୍ ମଞ୍ଜୁର
ନୂଆଦିଲ୍ଲୀ : ଆଜିର କ୍ୟାବିନେଟ୍ କମିଟି ବୈଠକରେ ଆଇଟି ହାର୍ଡୱେର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ସ୍କିମ୍ (ପିଏଲ୍ଆଇ) ମଞ୍ଜୁର କରାଯାଇଛି। ଏଥିପାଇଁ ୧୭ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ସ୍କିମ୍ ଜରିଆରେ ଦେଶରେ କମ୍ପ୍ୟୁଟର, ଲାପଟପ୍, ଟାବଲେଟ୍, ଅଲ ଇନ୍ ୱାନ୍ ପିସି ଆଦି ଉତ୍ପାଦନ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି।