ନୂଆଦିଲ୍ଲୀ: ଏଲପିଜି ଦର ସ୍ଥିର ରଖିବା ପାଇଁ ମୋଦୀ ସରକାରଙ୍କ ବଡ଼ ଘୋଷଣା। ଭାରତବାସୀଙ୍କୁ ସୁଲଭ ମୂଲ୍ୟରେ ଏଲପିଜି ଦେବା ପାଇଁ ଘୋଷଣା କଲେ ୩୦ହଜାର କୋଟିର ଉପହାର। କେନ୍ଦ୍ର କ୍ୟାବିନେଟ୍ ଆଜି ମୋଟ ୫୨,୬୬୭ କୋଟି ଟଙ୍କାର ପାଣ୍ଠି/ପ୍ରକଳ୍ପକୁ ଅନୁମୋଦନ କରିଛି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୨,୦୬୦ କୋଟି ମଞ୍ଜୁର କରାଯାଇଛି। ଏହା ଅଧୀନରେ, ଗରିବ ପରିବାରମାନେ ଶସ୍ତା ହାରରେ ଏଲପିଜି ସିଲିଣ୍ଡର ପାଇବା ଜାରି ରଖିବେ। ଏଲପିଜି ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ୩୦ହଜାର କୋଟି ଟଙ୍କାର ଏକ ପୃଥକ ବଜେଟ୍ ସ୍ଥିର କରାଯାଇଛି ଯାହା ଦ୍ୱାରା ଏଲପିଜିର ମୂଲ୍ୟ ନିୟନ୍ତ୍ରଣରେ ରହିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍, ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନିଗୁଡ଼ିକ ପାଇଁ ୩୦,୦୦୦ କୋଟି ଟଙ୍କାର ସବସିଡିକୁ ଅନୁମୋଦନ କରିଛନ୍ତି। ଏହି ସବସିଡି ଘରୋଇ ଏଲପିଜି ବିକ୍ରୟରେ କମ୍ପାନିଗୁଡ଼ିକୁ କ୍ଷତି ପୂରଣ ଦେବା ପାଇଁ ଉଦ୍ଦିଷ୍ଟ ଏବଂ ଏହାକୁ ୧୨ଟି ଭାଗରେ ପ୍ରଦାନ କରାଯିବ।ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତିନୋଟି କମ୍ପାନି ମଧ୍ୟରେ କ୍ଷତିପୂରଣ ବଣ୍ଟନ କରିବ। କମ୍ପାନିଗୁଡ଼ିକ ହେଲା ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ), ଭାରତ ପେଟ୍ରୋଲିୟମ କର୍ପୋରେସନ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (ଏଚପିସିଏଲ)।
ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ମୂଲ୍ୟରେ ଗ୍ରାହକମାନଙ୍କୁ ଏଲପିଜି ସିଲିଣ୍ଡର ବିକ୍ରି କରାଯାଏ। ୨୦୨୪-୨୫ରେ, ଆନ୍ତର୍ଜାତୀୟ ସ୍ତରରେ ଏଲପିଜି ମୂଲ୍ୟ ଅଧିକ ରହିଥିଲା। ତଥାପି, ସରକାର ବର୍ଦ୍ଧିତ ମୂଲ୍ୟ ଗ୍ରାହକଙ୍କ ଉପରେ ଲଦି ନଥିଲେ। ଫଳସ୍ୱରୂପ, ତିନୋଟି କମ୍ପାନି କ୍ଷତିର ସମ୍ମୁଖୀନ ହୋଇଥିଲେ। ଏହା ସତ୍ତ୍ୱେ, ସେମାନେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମୂଲ୍ୟରେ ଏଲପିଜି ସିଲିଣ୍ଡର ଯୋଗାଣ ଜାରି ରଖିଥିଲେ। ଏହା କାରଣରୁ କମ୍ପାନିକୁ କ୍ଷତି ସହିବାକୁ ପଡ଼ିଥିଲା, ଯାହାକୁ ନଜରରେ ରଖି ସରକାର ୩୦ହଜାର କୋଟି ଘୋଷଣା କରିଛନ୍ତି।
ଏହା ସହ ବୈଷୟିକ ଶିକ୍ଷା ପ୍ରତିଷ୍ଠାନର ଭିତ୍ତିଭୂମି ଉନ୍ନତ କରିବା ପାଇଁ ୪,୨୦୦ କୋଟି ମଞ୍ଜୁର କରାଯାଇଛି। ଏହା ଯୁବପିଢ଼ିଙ୍କୁ ଉତ୍ତମ ତାଲିମ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ଏହା ବ୍ୟତୀତ, ଆସାମ ଏବଂ ତ୍ରିପୁରା ପାଇଁ ୪,୨୫୦ କୋଟିର ଏକ ସ୍ୱତନ୍ତ୍ର ବିକାଶ ପ୍ୟାକେଜ ମଧ୍ୟ ମଞ୍ଜୁର କରାଯାଇଛି। ମାରକନମ-ପୁଡୁଚେରୀ ମଧ୍ୟରେ ୪ ଲେନ ବିଶିଷ୍ଟ ରାଜପଥ ପାଇଁ ୨,୧୫୭ କୋଟି ମଞ୍ଜୁର କରାଯାଇଛି।