ଓଡ଼ିଶା ସମେତ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ କ୍ୟାବିନେଟ୍‌ର ଅନୁମୋଦନ

ନୂଆଦିଲ୍ଲୀ: ଓଡ଼ିଶା ସମେତ ଛଅଟି ରାଜ୍ୟର ସ୍କୁଲ୍ ଶିକ୍ଷା ଉନ୍ନତ କରିବା ଲାଗି ୫୭୧୮ କୋଟି ଟଙ୍କାର ‘ଷ୍ଟ୍ରେଙ୍ଗ୍‌ଦେନିଙ୍ଗ୍ ଟିଚିଙ୍ଗ୍-ଲର୍ଣ୍ଣିଂ ଆଣ୍ଡ୍‌ ରେଜଲ୍ଟସ୍‌ ଫର୍ ଷ୍ଟେଟ୍‌ସ୍’ ବା ‘ଷ୍ଟାର୍‌ସ୍‌’ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିଲାଗି ବିଶ୍ବ ବ୍ୟାଙ୍କ୍ ପ୍ରାୟ ୩୭୦୦ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା‌ରେ କ୍ୟାବିନେଟ୍‌ ଦ୍ବାରା ଅନୁମୋଦିତ ଏହି ପ୍ରକଳ୍ପ ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ଓଡ଼ିଶାରେ ଲାଗୁ କରାଯିବ। ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ଚିହ୍ନିତ ରାଜ୍ୟମାନଙ୍କୁ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ନିମନ୍ତେ ବିଭିନ୍ନ ପ୍ରକାର ସହାୟତା ମିଳିବ। ଏହି ପ୍ରକଳ୍ପ ବ୍ୟତୀତ, ଗୁଜରାଟ, ତାମିଲନାଡୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମ ପ୍ରଭୃତି ୫ଟି ରାଜ୍ୟରେ ‘ଏଡିବି’ ଅନୁଦାନ ପ୍ରାପ୍ତ ଏହି ପ୍ରକାରର ଅନ୍ୟ ଏକ ପ୍ରକଳ୍ପ ଲାଗୁ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି।

Image Courtesy of SME Street

ଶିକ୍ଷା ମନ୍ତ୍ରାଳୟର ସ୍କୁଲ୍ ଶିକ୍ଷା ଓ ସାକ୍ଷରତା ବିଭାଗ ଅଧୀନରେ କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ନୂତନ ଯୋଜନା ଭାବେ ‘ଷ୍ଟାର୍‌ସ୍‌’ ପ୍ରକଳ୍ପ ଲାଗୁ କରାଯିବ। ଏହି ପ୍ରକଳ୍ପ ୨୦୨୦ ଜାତୀୟ ଶିକ୍ଷା ନୀତିର ‘ମାନ-ଭିତ୍ତିକ ଶିକ୍ଷା ଫଳାଫଳ’ ଲକ୍ଷ୍ୟ ଉପରେ ପର୍ଯ୍ୟବସିତ।

ଏହି ପ୍ରକଳ୍ପ ଦ୍ବାରା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାତୀୟସ୍ତରରେ ସଠିକ୍ ତଥ୍ୟାବଳୀ ସଂଗ୍ରହ କରିବା ସହ ରାଜ୍ୟମାନଙ୍କର ‘ପିଜିଆଇ’ ସ୍କୋର୍‌ ଉନ୍ନତ କରିପାରିବ। ‘ନ୍ୟାସ୍‌ନାଲ୍‌ ଆସେସ୍‌ମେଣ୍ଟ୍‌ ସେଣ୍ଟର୍‌’ (ପ୍ରକାଶ) ସ୍ଥାପନ ନିମନ୍ତେ ଶିକ୍ଷା ମନ୍ତ୍ରାଳୟର ଉଦ୍ୟମକୁ ମଧ୍ୟ ଏହି ପ୍ରକଳ୍ପ ସହାୟକ ହେବ। ରାଜ୍ୟସ୍ତରରେ ଏହି ପ୍ରକଳ୍ପ ପ୍ରାରମ୍ଭିକ ବାଲ୍ୟ ଶିକ୍ଷା ଏବଂ ମୂଳଦୁଆଭିତ୍ତିକ ଶିକ୍ଷା ସୁଦୃଢ଼ ଓ ଶିକ୍ଷା ମୂଲ୍ୟାୟନ ଧାରା ଉନ୍ନତ କରିବ।

ସମ୍ବନ୍ଧିତ ଖବର