କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି : ଖୋଲିବ ୭୫ ନୂଆ ମେଡିକାଲ କଲେଜ

କୋଇଲା ଖଣିରେ ୧୦୦%ଏଫ୍‌ଡିଆଇ, ଡିଜିଟାଲ୍ ମିିଡିଆରେ ୨୬% ଏଫ୍‌ଡିଆଇ

ନୂଆଦିଲ୍ଲୀ : ଆସନ୍ତା ତିନି ବର୍ଷ ଭିତରେ ଦେଶରେ ୭୫ଟି ନୂଆ ମେଡିକାଲ୍ କଲେଜ ସ୍ଥାପନ କରାଯିବ। ଏ ବାବଦରେ ୨୪ ହଜାର ୩୭୫ କୋଟି ଟଙ୍କା ବ୍ୟୟ କରାଯିବ। ‌ନୂଆ ମେଡିକାଲ କଲେଜ ସ୍ଥାପନ ଫଳରେ ୧୫ ହଜାର ୭୦୦ ନୂତନ ମେଡିକାଲ୍ ସିଟ୍ ସୃଷ୍ଟି ହେବ। ଆଜି ଏସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟିରେ ମଞ୍ଜୁରି ପ୍ରଦାନ କରାଯାଇଛି।

ଯେଉଁ ଜିଲ୍ଲାଗୁଡ଼ିକରେ ମେଡିକାଲ୍ କଲେଜ ନାହିଁ ସେହି ସବୁ ସ୍ଥାନରେ ନୂତନ ମେଡିକାଲ୍ କଲେଜ ସ୍ଥାପନ କରିବାକୁ ପ୍ରାଥମିକତା ଦିଆଯିବ। ସେହି ସବୁ ସ୍ଥାନରେ ୨୦୦ ଶଯ୍ୟା ବିଶି‌ଷ୍ଟ ଜିଲ୍ଲା ଡାକ୍ତରଖାନାରେ ମେଡିକାଲ୍ କଲେଜ ଖୋଲାଯିବ। ଆକାଂକ୍ଷୀ ଜିଲ୍ଲାଗୁଡ଼ିକୁ ମଧ୍ୟ ଅଗ୍ରାଧିକାର ଦିଆଯିବ।

ଗତ ପାଞ୍ଚ ବର୍ଷ ଭିତରେ ମେଡିକାଲ୍ ପିଜି ଓ ଏମ୍‌ବିବିଏସ୍‌ରେ ୪୫ ହଜାର ସିଟ୍ ବୃଦ୍ଧି କରାଯାଇଥିଲା। ସେହି ସମୟ ଭିତରେ ୮୨ଟି ମେଡିକାଲ୍ କଲେଜ ସ୍ଥାପନ ପାଇଁ ମଞ୍ଜୁରି ଦିଆଯାଇଥିଲା। ସେଥି ମଧ୍ୟରୁ ୩୯ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହୋଇଥିବା ବେଳେ ୨୦୨୧-୨୨ ସୁଦ୍ଧା ବଳକା ୧୯ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଆଗାମୀ ୩ ବର୍ଷରେ ଆଉ ୭୫ଟି ନୂଆ ମେଡିକାଲ୍ କଲେଜ ସ୍ଥାପନ ହେଲେ ଗ୍ରାମାଞ୍ଚଳରେ ରହୁଥିବା ଡାକ୍ତର ଅଭାବ ଦୂର ହୋଇପାରିବ ବୋଲି କୁହାଯାଉଛି।

ଆଜିର କ୍ୟାବିନେଟ୍ ବୈଠକରେ ନୂଆ ମେଡିକାଲ୍ କଲେଜ ଠାରୁ ଆରମ୍ଭ କରି ଆଖୁ ଚାଷୀଙ୍କୁ ସହାୟତା ଏବଂ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ନିୟମରେ କୋହଳ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବିଭିନ୍ନ କ୍ଷେତ୍ର ଲାଗି ଏଫ୍‌ଡିଆଇ ନିୟମ କୋହଳ କରାଯାଇଛି। କୋଇଲା ଖଣି କ୍ଷେତ୍ରରେ ଅଟୋମେଟିକ୍ ରୁଟ୍‌ରେ ୧୦୦% ଏଫ୍‌ଡିଆଇକୁ ମଞ୍ଜୁରି ଦିଆଯାଇଛି। ସେହିପରି ଭାରତକୁ ମାନୁଫାକ୍‌ଚରିଂ ହବ୍‌ରେ ପରିଣତ କରିବା ଲାଗି କଣ୍ଟ୍ରାକ୍ଟ ମାନୁଫାକ୍‌ଚରିଂରେ ୧୦୦% ଏଫ୍‌ଡିଆଇକୁ ମଞ୍ଜୁରି ଦିଆଯାଇଛି। ଏହା ବ୍ୟତୀତ ଡିଜିଟାଲ୍ ମିଡିଆରେ ୨୬% ଏଫ୍‌ଡିଆଇ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସିଙ୍ଗଲ୍ ବ୍ରାଣ୍ଡ୍‌ ରିଟେଲ୍‌ କ୍ଷେତ୍ରରେ ଥିବା ୩୦% ଲୋକାଲ୍ ସୋର୍ସିଂ ନିୟମକୁ କୋହଳ କରାଯାଇଛି। ବିଦେଶୀ ସଂସ୍ଥାଗୁଡ଼ିକୁ ବାର୍ଷିକ ନ‌ୁହେଁ, ପାଞ୍ଚ ବର୍ଷ ଭିତରେ ସୋର୍ସିଂ ନିୟମକୁ ପାଳନ କରିବାକୁ ହେବ। ସେହିପରି ମାନୁଫାକ୍‌ଚରିଂ ସଂସ୍ଥାଗୁଡ଼ିକ ଉପରେ ରପ୍ତାନିକୁ ନେଇ ପାଞ୍ଚ ବର୍ଷର ଯେଉଁ କଟକଣା ଲଗାଯାଇଥିଲା ତାହାକୁ ପ୍ରତ୍ୟାହାର କରାଯାଇଛି। ଫଳରେ ସେମାନେ ସୁବିଧାରେ ମେଡ୍‌ ଇନ୍ ଇଣ୍ଡିଆ ଉତ୍ପାଦର ରପ୍ତାନି କରିପାରିବେ। ଦେଶ ଭିତରେ ଷ୍ଟୋର୍‌ ସ୍ଥାପନ କରିବା ପୂର୍ବରୁ ସିଙ୍ଗଲ୍ ଓ ମଲ୍‌ଟି ବ୍ରାଣ୍ଡ୍‌ ରିଟେଲ୍‌ ସଂସ୍ଥାଗୁଡ଼ିକ ଅନ୍‌ଲାଇନ୍‌ରେ ସେମାନଙ୍କ କାରବାର ଆରମ୍ଭ କରିପାରିବେ।

ଆଖୁ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ଲାଗି ଚିନି ରପ୍ତାନି ଉପରେ ସବ୍‌ସିଡି ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ୬୦ ଲକ୍ଷ ଟନ୍ ଚିନି ରପ୍ତାନି ଉପରେ ୬୨୬୮ କୋଟି ଟଙ୍କାର ସବ୍‌ସିଡି ଦିଆଯିବ। ସେହି ରାଶି ସିଧାସଳଖ ଆଖୁ ଚାଷୀଙ୍କ ଖାତାରେ ଜମା ହେବ।

ଉଲ୍ଲେଖଯୋଗ୍ୟ, ଦେଶରେ ୧୬୨ ଲକ୍ଷ ଟନ୍ ଚିନି ବଳକା ରହିଛି। ସେଥି ମଧ୍ୟରୁ ୪୦ ଲକ୍ଷ ଟନ୍ ଚିନିକୁ ନେଇ ବଫର ଷ୍ଟକ୍ ସୃଷ୍ଟି କରାଯାଇଛି।

ସମ୍ବନ୍ଧିତ ଖବର