ମାଓ ପ୍ରଭାବିତ ଅଞ୍ଚଳରେ ଥିବା ୨ଜି ମୋବାଇଲ୍ ସାଇଟଗୁଡ଼ିକୁ ୪ଜିକୁ ଉନ୍ନୀତ କରାଯିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସାର୍ବଜନୀନ ସେବା ଦାୟିତ୍ୱ ପାଣ୍ଠି (ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ ବା ୟୁଏସ୍ଓଏଫ୍) ଅନ୍ତର୍ଗତ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ତଦନୁସାରେ ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ଥିବା ୨ଜି ମୋବାଇଲ ସେବାକୁ ୪ଜିକୁ ଉନ୍ନୀତ କରାଯିବ । ବିଶେଷତଃ ଏସବୁ ଅଞ୍ଚଳର ନିରାପତ୍ତା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଥିବା ୨ଜି ମୋବାଇଲ ସାଇଟଗୁଡ଼ିକୁ ୪ଜିରେ ପରିଣତ କରାଯିବ ।

ପ୍ରଥମ ପର୍ଯ୍ୟାୟରେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ୨୩୪୩ଟି ୨ଜି ମୋବାଇଲ ସାଇଟକୁ ୪ଜିରେ ପରିଣତ କରାଯିବ ଏବଂ ଏଥିପାଇଁ ଆନୁମାନିକ ୧୮୮୪.୫୯ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁ ମୋବାଇଲ ସାଇଟଗୁଡିକ ୨ଜିରୁ ୪ଜିକୁ ଉନ୍ନୀତ ହେବ ତାହାର ରକ୍ଷଣାବେକ୍ଷଣ ଓ ପରିଚାଳନା ସମ୍ପୃକ୍ତ ସଂସ୍ଥାକୁ ପାଂଚବର୍ଷ ଯାଏ କରିବାକୁ ପଡିବ । ତେବେ ଏହି ପାଂଚବର୍ଷର ରକ୍ଷଣାବେକ୍ଷଣ ପରେ ସମ୍ପୃକ୍ତ ସାଇଟଗୁଡ଼ିକର ପରିଚାଳନା ଓ ଦେଖାଶୁଣା କାମ ବିଏସ୍ଏନ୍ଏଲ ନିଜ ଖର୍ଚ୍ଚରେ କରିବ । ତେବେ ଏସବୁ ମୋବାଇଲ ସାଇଟଗୁଡିକ ବିଏସ୍ଏନ୍ଏଲର ସମ୍ପତ୍ତି ହୋଇଥିବାରୁ ଏହାର ଆଧୁନିକୀକରଣ ଓ ଉନ୍ନତୀକରଣ କାମ ବିଏସ୍ଏନ୍ଏଲକୁ ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦୀ ପ୍ରଭାବିତ ଅଞ୍ଚଳରେ ଏବେ ଯେଉଁ ୨ଜି ମୋବାଇଲ ସେବା ଚାଲିଛି ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ନିମନ୍ତେ ବିଏସଏନ୍ଏଲକୁ ଅର୍ଥ ଯୋଗାଇ ଦେବାକୁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୫ବର୍ଷର ଚୁକ୍ତିବଦ୍ଧ ସମୟସୀମା ବାହାରେ ବିଏସ୍ଏନ୍ଏଲ ଏହି ସାଇଟଗୁଡ଼ିକର ରକ୍ଷଣାବେକ୍ଷଣ ଓ ପରିଚାଳନା କରିପାରିବ । ଏଥିପାଇଁ ୫୪୧.୮୦କୋଟି ଟଙ୍କା ଖର୍ଚ୍ଚ ହେବ ।

ଏ ପ୍ରକଳ୍ପ ପାଇଁ ସରକାର ବିଏସ୍ଏନ୍ଏଲକୁ ବାଛିବାର କାରଣ ହେଲା ୪ଜିରେ ଦେଶୀ କାରିଗରି ଜ୍ଞାନକୌଶଳ ଓ ସାମଗ୍ରୀର ଉପଯୋଗ କରାଯିବ । ଏହା ଫଳରେ ଟେଲିକମ୍ କ୍ଷେତ୍ର ଆତ୍ମନିର୍ଭର ହୋଇପାରିବ ଏବଂ ଘରୋଇ ବଜାର ଆବଶ୍ୟକତା ପୂରଣ ହେବ । ଆଧୁନିକୀକରଣ କାର୍ଯ୍ୟରେ ଦେଶୀ ୪ଜି ଉତ୍ପାଦ ଓ ଉପକରଣ ବ୍ୟବହାର କରାଯିବ । ୪ଜି ସେବା ଏହି ସବୁ ଅଞ୍ଚଳରେ ବ୍ୟାଙ୍କ, ଟେଲିମେଡିସିନ, ଟେଲି ଶିକ୍ଷା ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶେଷ ସହାୟକ ହୋଇପାରିବ ।

ସମ୍ବନ୍ଧିତ ଖବର