କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପାରାଦୀପ ବନ୍ଦର ଟ୍ରଷ୍ଟ୍‍କୁ ଅଗ୍ରୀମ ସରକାରୀ ଋଣ ଉପରେ ଦଣ୍ଡାତ୍ମକ ସୁଧ ଛାଡ଼

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଆର୍ଥିକ ବ୍ୟାପାର ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପ ବନ୍ଦର ଟ୍ରଷ୍ଟ୍‍କୁ ଦିଆଯାଇଥିବା ଅଗ୍ରୀମ ସରକାରୀ ଋଣ ଉପରେ ଦଣ୍ଡାତ୍ମକ ସୁଧ ଛାଡ଼ କରିବାକୁ ଅନୁମୋଦନ ପ୍ରଦାନ କରାଯାଇଛି। ପାରାଦୀପ ବନ୍ଦର ଟ୍ରଷ୍ଟ୍‍ ଦ୍ୱାରା ଭିତ୍ତିଭୂମି ପ୍ରକଳ୍ପ ପାଇଁ ୧୯୬୭ରୁ ୨୦୦୨ ମଧ୍ୟରେ ବିଭିନ୍ନ ସମୟରେ ୬୪୨.୬୯ କୋଟି ଟଙ୍କା ଋଣ ନିଆଯାଇଥିଲା। ପ୍ରତ୍ୟେକ ଋଣ ୫ ବର୍ଷର ଅବଧି ସହ ୨୦ଟି ବାର୍ଷିକ କିସ୍ତିରେ ଜମା କରିବାର ଥିଲା। ହେଲେ ପାରାଦୀପ ବନ୍ଦର ଟ୍ରଷ୍ଟ୍‍ ୧୯୮୭ରୁ ୮୮ ପର୍ଯ୍ୟନ୍ତ କ୍ଷତିରେ ଚାଲୁଥିଲା। ଅପର୍ଯ୍ୟାପ୍ତ କାର୍ଗୋ ଯୋଗୁଁ ରାଜସ୍ୱ ଆକାଉଣ୍ଟ୍‌ରେ ପ୍ରବଳ କ୍ଷତି ହୋଇଥିଲା। ଯାହାର ପରିଣାମ ସ୍ୱରୂପ ପାରଦୀପ ବନ୍ଦର ଟ୍ରଷ୍ଟ୍‍ ନିର୍ଦ୍ଧାରିତ ସମୟ ସୀମା ଭିତରେ ଋଣ ପରିଶୋଧ କାର୍ଯ୍ୟ ଆରମ୍ଭ କରିପାରିନଥିଲା। ମାର୍ଚ୍ଚ ୩୧, ୨୦୧୭ ସୁଦ୍ଧା ପାରାଦୀପ ପୋର୍ଟ ଟ୍ରଷ୍ଟ୍‍ର ସମୁଦାୟ ଋଣର ପରିମାଣ ୧୭୪୩.୬୯ କୋଟି ଟଙ୍କା ଥିଲା (ଋଣ ନସୁଝିବାର ମୂଳଧନ ୩୮୭.୭୪ କୋଟି ଟଙ୍କା, ୨୭୯.୩୬ କୋଟି ଟଙ୍କା ସୁଧ ତଥା ୧୦୭୬.୫୯ କୋଟି ଟଙ୍କା ଦଣ୍ଡାତ୍ମକ ସୁଧ)। ଏତଦ୍‌ବ୍ୟତୀତ ପାରାଦୀପ ବନ୍ଦର ଟ୍ରଷ୍ଟ୍‍ର ଭବିଷ୍ୟତ ଯୋଜନା ଅନ୍ତର୍ଗତ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ପାଇଁ ତଥା କର୍ମଚାରୀମାନଙ୍କ ପେନସନ୍‌ (୨୦୧୮-୧୯) ପାଇଁ ପାଖାପାଖି ୬,୬୯୫ କୋଟି ଟଙ୍କାର ଆବଶ୍ୟକତା ରହିଛି। ଅତଏବ ପାରାଦୀପ ବନ୍ଦର ଟ୍ରଷ୍ଟ୍‍ ସମୁଦାୟ ୧୭୪୩.୬୯ କୋଟି ଟଙ୍କା ଋଣ ଭାର ପରିଶୋଧ କରିବା ସ୍ଥିତିରେ ନାହିଁ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ରେ ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୩୧.୩. ୨୦୧୭ ପର୍ଯ୍ୟନ୍ତ ପାରାଦୀପ ପୋର୍ଟ ଟ୍ରଷ୍ଟ୍‍ ଅନ୍ତର୍ଗତ ୧୦୭୬.୫୯ କୋଟି ଟଙ୍କାର ଅର୍ଥ ଉପରେ ଦଣ୍ଡ ସ୍ୱରୂପ ସୁଧ ଉପରେ ଛାଡ଼ ପ୍ରଦାନ କରାଯାଇଛି। ପାରାଦୀପ ବନ୍ଦର ଟ୍ରଷ୍ଟ୍‍କୁ ଦଣ୍ଡାତ୍ମକ ସୁଧଛାଡ଼ ମଞ୍ଜୁରିର ତାରିଖ ପର୍ଯ୍ୟନ୍ତ ୦.୨୫ ପ୍ରତିଶତ ଦରରେ ଦଣ୍ଡାତ୍ମକ ସୁଧ ପରିଶୋଧ କରିବାକୁ ପଡ଼ିବ। ପାରାଦୀପ ବନ୍ଦର ଟ୍ରଷ୍ଟ୍‍ର ସୁଧଛାଡ଼ ମଞ୍ଜୁରି ତାରିଖ ପର୍ଯ୍ୟନ୍ତ ୩୮୭.୭୪ କୋଟି ଟଙ୍କାର ବକେୟା ମୂଳଧନର ଆଦାୟ ଏବଂ ବକେୟା ଋଣର ପୁନଃ ପଇଠ କରିବାକୁ ପଡ଼ିବ ଯାହା ୨୦୧୫-୧୯ ଓ ୨୦୧୯-୨୦ରେ ଦୁଇଟି କିସ୍ତିରେ ପୂର୍ଣ୍ଣାଙ୍ଗ କରିବାକୁ ପଡ଼ିବ ବୋଲି ଆଜି ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର