ସିଡିଏସ୍‌କୁ କ୍ୟାବିନେଟ୍‌ ମଂଜୁରୀ : ସରକାରଙ୍କୁ ସାମରିକ ପରାମର୍ଶ ଦେବେ; ତିନି ବାହିନୀ ମଧ୍ୟରେ ତାଳମେଳ ରକ୍ଷା କରିବେ

ନୂଆଦିଲ୍ଲୀ: ଭାରତକୁ ମିଳିବ ପ୍ରଥମ ସିଡିଏସ୍‌। କ୍ୟାବିନେଟ୍‌ ସୁରକ୍ଷା କମିଟି (ସିସିଏସ୍‌) ଆଜି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ପଦବି ସୃଷ୍ଟି ପାଇଁ ମଂଜୁରି ପ୍ରଦାନ କରିଛନ୍ତି। ତିନି ସେନାର ମୁଖ୍ୟ ରହିବେ ସିଡିଏସ୍‌ ଏବଂ ସେ ସରକାରଙ୍କୁ ସିଧାସାଳଖ ସାମରିକ ପରାମର୍ଶ ଦେବେ। ଚିଫ୍‌ସ ଅଫ୍‌ ଷ୍ଟାଫ୍‌ କମିଟିର ମଧ୍ୟ ସ୍ଥାୟୀ ଅଧ୍ୟକ୍ଷ ରହିବେ ସିଡିଏସ୍‌। ଏଥିସହ ତିନି ସେନାବାହିନୀ ମଧ୍ୟରେ ସେ ତାଳମେଳ ରକ୍ଷା କରିବେ। ସରକାରଙ୍କ ପକ୍ଷରୁ ପ୍ରଥମ ସିଡିଏସ୍‌ଙ୍କ ନାମ ଘୋଷଣା ହୋଇନଥିଲେ ମଧ୍ୟ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ହିଁ ପ୍ରଥମ ସିଡିଏସ୍‌ ହୋଇପାରନ୍ତି ବୋଲି କୁହାଯାଉଛି। ଆସନ୍ତା ୩୧ ତାରିଖରେ ରାୱତ ଅବସର ନେବାକୁ ଯାଉଛନ୍ତି। ଏହାପରେ ସେ ସିଡିଏସ୍‌ ମୁଖ୍ୟ ହେବେ ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲ୍‌କିଲ୍ଲାରୁ ସ୍ବାଧୀନତା ଦିବସ ଭାଷଣରେ ଘୋଷଣା କରିଥିଲେ ଯେ ଦେଶକୁ ଖୁବ୍‌ ଶୀଘ୍ର ପ୍ରଥମ ସିଡିଏସ୍‌ ମିଳିବ। ଦେଶର ସମସ୍ତ ସୁରକ୍ଷା ବାହିନୀ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ ସିଡିଏସ୍‌ ନିଯୁକ୍ତି ହେବ ବୋଲି ମୋଦୀ ଘୋଷଣା କରିଥିଲେ। ସିଡିଏସ୍‌ ପଦବି ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସରକାର ଗତ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ବରେ ଏକ କାର୍ଯ୍ୟକାରୀ କମିଟି ଗଠନ କରିଥିଲେ। କାରଗିଲ ରିଭ୍ୟୁ କମିଟି ଦ୍ବାରା ସିଡିଏସ୍‌ ପଦବି ପାଇଁ ସୁପାରିସ କରାଯାଇଥିଲା। ଯୁଦ୍ଧ ଏବଂ ସୁରକ୍ଷା ସ୍ଥିତି ଦିନକୁ ଦିନ ବଦଳୁଥିବାରୁ ଏବଂ ଏଥିସହ ସରକାର ଜାତୀୟ ସୁରକ୍ଷା ପ୍ରତି ଥିବା ଚ୍ୟାଲେଂଜଗୁଡ଼ିକର ମୁକାବିଲା ପାଇଁ ସିଡିଏସ୍‌ ପଦବି ସୃଷ୍ଟି ପାଇଁ ନିଷ୍ପତ୍ତି ନେଇଛନ୍ତି। । ପ୍ରତିରକ୍ଷା ମନ୍ତ୍ରାଳୟରେ ଗଠନ ହୋଇଥିବା ନୂଆ ସାମରିକ ବ୍ୟାପାର ବିଭାଗର ମୁଖ୍ୟ ରହିବେ ସିଡିଏସ। ସିଡିଏସ୍‌ଙ୍କ ପ୍ରମୁଖ ଦାୟିତ୍ବ ମଧ୍ୟରୁ ଗୋଟିଏ ହେଉଛି ସେ ୩ ସେନାବାହିନୀ ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପାଇଁ ଜଣେ ପ୍ରମୁଖ ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ। ଏହା ବ୍ୟତୀତ ୩ ସେନାମୁଖ୍ୟ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଅବଗତ କରିବେ।

ସମ୍ବନ୍ଧିତ ଖବର