ରାଷ୍ଟ୍ରପତି, ଉପରାଷ୍ଟ୍ରପତି କମ୍‌ ଦରମା ନେବେ
୨ ବର୍ଷର ସାଂସଦ ଅନୁଦାନ ପାଣ୍ଠି ବି ଖର୍ଚ୍ଚ ହେବ
୭୯୦୦ କୋଟି ସଂଗ୍ରହ କରିବାକୁ ଲକ୍ଷ୍ୟ

Advertisment

ନୂଆଦିଲ୍ଲୀ : କରୋନା ବିରୋଧୀ ଲଢ଼େଇରେ ନରେନ୍ଦ୍ର ମୋଦୀ ସରକାର ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ, ସମସ୍ତ କେନ୍ଦ୍ରମନ୍ତ୍ରୀ ଏବଂ ସାଂସଦମାନଙ୍କ ଦରମା ୧ ବର୍ଷ ପାଇଁ ୩୦ ପ୍ରତିଶତ କାଟିବା ଲାଗି ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ମଂଜୁରି ମିଳିଛି। ସେହିପରି ସାଂସଦ ଅନୁଦାନ ପାଣ୍ଠିକୁ ମଧ୍ୟ ୨ ବର୍ଷ ପାଇଁ ନିଲମ୍ବନ କରି ଦିଆଯାଇଛି ଏବଂ ଏହି ଅର୍ଥ କରୋନା ମୁକାବିଲାରେ ଖର୍ଚ୍ଚ ହେବ ବୋଲି ନିଷ୍ପତ୍ତି ହୋଇଛି। ଏ ବାବଦକୁ ସରକାର ପ୍ରାୟ ୭୯୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ଆଜି କେନ୍ଦ୍ର କ୍ୟାବିନେଟ୍‌ କରୋନା ମୁକାବିଲା ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। କରୋନା ବିରୋଧୀ ଲଢ଼େଇରେ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିମାନେ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସମସ୍ତ ରାଜ୍ୟର ରାଜ୍ୟପାଳ ମଧ୍ୟ ସେମାନଙ୍କ ଦରମାର ୩୦ ପ୍ରତିଶତ ନନେବାକୁ ସ୍ବେଚ୍ଛାରେ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସାଂସଦଙ୍କ ଦରମା ବର୍ଷକ ପାଇଁ ୩୦ ପ୍ରତିଶତ କଟାଯିବା ସଂପର୍କିତ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରି ମିଳିଛି। ଏବେ ଅଧ୍ୟାଦେଶ ବଳରେ ଏହା କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ସମୟରେ ସଂସଦ ଅଧିବେଶନରେ ଏହା ଆଇନର ରୂପ ନେବ।

ସାଂସଦ ପାଣ୍ଠି ୨ ବର୍ଷ ପାଇଁ ନିଲମ୍ବିତ ହୋଇଥିବାରୁ ଏ ବାବଦ ଅର୍ଥ କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର ପାଣ୍ଠିରେ ଜମା ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀମାନଙ୍କ ସହିତ କରୋନା ମୁକାବିଲ ନେଇ ଚର୍ଚ୍ଚା କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକ୍‌ଡାଉନ୍‌ର ନିୟମ ଏବଂ ସାମାଜିକ ଦୂରତ୍ବକୁ କଡ଼ାକଡ଼ି ଭାବେ ମାନିବାକୁ ପଡ଼ିବ। ଲକ୍‌ଡାଉନ୍‌ ସରିବା ପରେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ରଣନୀତି ପ୍ରସ୍ତୁତ ହେବା ଜରୁରୀ। ସମସ୍ତ ମନ୍ତ୍ରାଳୟ କରୋନା ପାଇଁ ତୁରନ୍ତ ସେମାନଙ୍କ ନୂଆ ରଣନୀତି ଘୋଷଣା କରିବା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି।