କୃଷି ଆଇନ ପ୍ରତ୍ୟାହାର ପାଇଁ ୨୪ରେ କ୍ୟାବିନେଟ୍ ବୈଠକ

ନୂଆଦିଲ୍ଲୀ : ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୯ ତାରିଖରେ ଘୋଷଣା କରିଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏହା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ତିନି ବିବାଦୀୟ ଆଇନ ପ୍ରତ୍ୟାହାର ପରେ ଏହା ସ୍ଥାନରେ ଲାଗୁ ହେବାକୁ ଥିବା ୩ ନୂଆ ଆଇନ ସଂପର୍କରେ କ୍ୟାବିନେଟ୍ ଆଲୋଚନା କରିବ। ସଂସଦରେ ଆଇନ ପ୍ରତ୍ୟାହାର ନେଇ ବିଲ୍‌ ଆସିବା ପୂର୍ବରୁ ସରକାର ଏ ବାବଦ ସମସ୍ତ ରଣନୀତି ଚୂଡ଼ାନ୍ତ କରିବେ ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ରବିବାର ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନେଇ କମିଟି ଗଠନ, ଚାଷୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର, ସମସ୍ତ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ, ଲଖିମପୁର ଖେରି ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ଇସ୍ତଫା ଓ ଗିରଫଦାରୀ ଏବଂ ବାକି ରହିଥିବା ବିଦ୍ୟୁତ୍ ବିଲ୍ ଛାଡ଼ ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଇମେଲ୍‌ କରିଛି। ଏହି ଖୋଲା ଚିଠିରେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ଚାଷୀମାନଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରି ଘରକୁ ଫେରିଯିବାକୁ ଗତକାଲି ଆହ୍ବାନ ଦେଇଥିଲେ ମଧ୍ୟ ଆନ୍ଦୋଳନର ତୁରନ୍ତ ପରିସମାପ୍ତି ଆଶା ଦିଶୁ ନାହିଁ।

ସମ୍ବନ୍ଧିତ ଖବର