‘ଗଗନଯାନ’ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରୀ: ମହାକାଶକୁ ମାନବ ପ୍ରେରଣ ଲାଗି ଖର୍ଚ୍ଚ ହେବ ୧୦,୦୦୦ କୋଟି

ନୂଆଦିଲ୍ଲୀ: ଭାରତର ପ୍ରଥମ ମହାକାଶକୁ  ମାନବ ପ୍ରେରଣ କାର୍ଯ୍ୟକ୍ରମ ‘ଗଗନଯାନ’ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। କ୍ୟାବିନେଟ୍‌ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ମହାକାଶକୁ ମାନବ ପ୍ରେରଣ ଲାଗି ‘ଗଗନଯାନ’ପ୍ରସ୍ତୁତି ଉପରେ ମୋହର ଲଗାଇଛନ୍ତି। ୨୦୨୨ ସୁଦ୍ଧା ଭାରତର ମହାକାଶକୁ ମାନବ ପ୍ରେରଣ ମିସନ୍‌ କାର୍ଯ୍ୟକାରୀ ହୋଇପାରିବ ବୋଲି ଆଶା କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ‘ଗଗନଯାନ’ ପ୍ରକଳ୍ପ ଲାଗି ୧୦,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ‘ଜିଏସ୍‌ ଏଲ୍‌ଭି ଏମ୍‌କେ-୩’ରକେଟ ଜରିଆରେ ‘ଗଗନଯାନ’ ମହାକାଶକୁ ଯାତ୍ରା କରିବ। ଏଥିରେ ୩ ଜଣ ମହାକାଶଚାରୀ ଯାତ୍ରା କରିବାର ବ୍ୟବସ୍ଥା ରହିବ। ଏଥିଲାଗି ସମସ୍ତ ଯୋଜନା ଓ ରୂପାୟନ ଇସ୍ରୋ ଅନ୍ୟ ଭାରତୀୟ ସଂସ୍ଥା ସହ ମିଶି କରିବ ବୋଲି ନିଷ୍ପତ୍ତି ହୋଇଛି।

ବୈଷୟିକ ବ୍ୟବସ୍ଥାର ନିର୍ମାଣ ଓ ବ୍ୟବସ୍ଥା ଲାଗି ଏହି ଅର୍ଥ ମଞ୍ଜୁର ହୋଇଛି। ‘ଗଗନଯାନ’ପ୍ରକଳ୍ପରେ ୨ଟି ମାନବବିହୀନ ମହାକାଶ ଯାନ ଓ ଗୋଟିଏ ମାନବ ଉପଯୋଗୀ ଯାନ ନିର୍ମାଣ କରାଯିବା ଲାଗି ପ୍ରସ୍ତାବ ରହିଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଆଶା ପ୍ରକାଶ କରୁଛନ୍ତି କି, ମହାକାଶକୁ ମାନବ ପ୍ରେରଣ କାର୍ଯ୍ୟକ୍ରମ ରୂପାୟନ ହେବା ଦ୍ୱାରା ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ନୂତନ ଚାକିରି ସୁଯୋଗ ସୃଷ୍ଟି ହୋଇ ପାରିବ । ଦେଶର ଯୁବ ଇଂଜିନିୟର ଓ ବୈଜ୍ଞାନିକମାନେ ଏହି ପ୍ରକଳ୍ପରେ ନିଯୁକ୍ତି ସୁଯୋଗ ପାଇପାରିବେ।

ସମ୍ବନ୍ଧିତ ଖବର