ଆଶା, ଅଙ୍ଗନବାଡି କର୍ମୀଙ୍କ ପାଉଣା ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ ମୋହର, ଅକ୍ଟୋବରରୁ ଲାଗୁ ହେବ- ନଭେମ୍ବରରେ ମିଳିବ

ନୂଆଦିଲ୍ଲୀ: ଆଶା ଓ ଅଙ୍ଗନଓ୍ଵାଡି କର୍ମୀଙ୍କ ଭତ୍ତାବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ଦେଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ଏହି ପ୍ରସ୍ତାବ ଉପରେ ମୋହର ମାରିଛି । ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସଂପର୍କରେ ଘୋଷଣା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ ମାସକୁ ୩ ହଜାର ଟଙ୍କା ପାରିଶ୍ରମିକ ପାଉଥିବା କର୍ମୀଙ୍କୁ ୪ ହଜାର ୫୦୦ ଟଙ୍କା ଏବଂ ୨୨୦୦ ଟଙ୍କା ପାଉଥିବା କର୍ମୀଙ୍କୁ ୩୫୦୦ ଟଙ୍କା ଯୋଗାଇ ଦିଆଯିବ। ଏହାବ୍ୟତୀତ ଅଙ୍ଗନବାଡ଼ି ସହାୟିକାଙ୍କ ପାରିଶ୍ରମିକ ମଧ୍ୟ ୧୫୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଥାଉ କି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପାରିଶ୍ରମିକ ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପୃଥକ୍ ପାଉଣା ପ୍ରଦାନ କରୁଛନ୍ତି। କମନ୍ ଆପ୍ଲିକେସନ୍ ସଫ୍ଟେଓ୍ଵର (ଆଇସିଡିଏସ୍-ସିଏଏସ୍) ଭଳି କୌଶଳ ବ୍ୟବହାର କରୁଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ୨୫୦ରୁ ୫୦୦ ଟଙ୍କାର ଭତ୍ତା ପାଇବେ। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ବୀମା ସୁରକ୍ଷା ଯୋଜନା ଭଳି ବିଭିନ୍ନ ସାମାଜିକ ସୁରକ୍ଷା ସ୍କିମ୍ ଅଧୀନରେ ଦେଶର ଆଶା କର୍ମୀ ଓ ଅନ୍ୟ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀଙ୍କୁ ବୀମା ସୁବିଧା ଯୋଗାଇ ଦିଆଯିବ। କୌଣସି ଅଘଟଣ ଘଟିଲେ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ବୀମା ପ୍ରଦାନ କରାଯିବ। ଏଥିପାଇଁ ସେମାନଙ୍କଠାରୁ କୌଣସି ପ୍ରିମିୟମ୍ ଆଦାୟ କରାଯିବ ନାହିଁ।ଆସନ୍ତା ଅକ୍ଟୋବର ମାସରୁ ଏହା ଲାଗୁ ହେବ ଓ ନଭେମ୍ବର ମାସରେ ପ୍ରଦାନ କରାଯିବ ।

ସମ୍ବନ୍ଧିତ ଖବର