କେନ୍ଦ୍ରମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ ; ଗୋଏଲଙ୍କୁ ଅର୍ଥ, ସୂଚନା-ପ୍ରସାରଣରୁ ଇରାନୀ ବିଦା

ନୂଆଦିଲ୍ଲୀ : ଆଜି କେନ୍ଦ୍ର ମନ୍ତ୍ରୀଙ୍କ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି। ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଅସ୍ଥାୟୀ ଭାବେ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ସ୍ମୃତି ଇରାନୀଙ୍କଠାରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କାଢ଼ି ନିଆଯାଇଥିବା ବେଳେ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ ମନ୍ତ୍ରୀ ଇରାନୀଙ୍କ ନିକଟରେ କେବଳ ବୟନ ମନ୍ତ୍ରାଳୟ ରହିଛି।

ସେହିପରି କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କେ.ଜେ.ଆଲଫନ୍ସଙ୍କ ହାତରୁ ସୂଚନା ପ୍ରଯୁକ୍ତି ବିଭାଗ କାଢ଼ି ନିଆଯାଇଛି। ଏସ୍‌ଏସ୍‌ ଆଲୁଓ୍ଵାଲିଆଙ୍କୁ ପାନୀୟ ଜଳ ଓ ପରିମଳ ମନ୍ତ୍ରାଳୟରୁ ହଟାଇ ତାଙ୍କୁ ଇଲେକଟ୍ର୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପ୍ରଦାନ କରାଯାଇଛି।

୨୦୧୪ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପରଠାରୁ ମନ୍ତ୍ରୀ ସ୍ମୃତି ଇରାନୀଙ୍କର ବର୍ତ୍ତମାନକୁ ମିଶାଇ ଦୁଇଥର ବିଭାଗ ପରିବର୍ତ୍ତନ ହେଲାଣି। ୨୦୧୫ ମସିହାରେ ଜେଏନ୍‌ୟୁ ଓ ହାଇଦ୍ରାବାଦ ବିଶ୍ୱ ବିଦ୍ୟାଳୟ ବିବାଦ ପରେ ସ୍ମୃତିଙ୍କଠାରୁ ମାନବ ସମ୍ବଳ ମନ୍ତ୍ରାଳୟ କାଢି ନିଆଯାଇ ବୟନ ଶିଳ୍ପ ମନ୍ତ୍ରାଳୟ ଦିଆଯାଇଥିଲା। ୨୦୧୬ରେ ଉପରାଷ୍ଟ୍ରପତି ଭାବେ ଭେଙ୍କିୟା ନାଇଡୁ ନିର୍ବାଚିତ ହେବାପରେ ତାଙ୍କ ହାତରେ ଥିବା ସୂଚନା ପ୍ରସାରଣ ମନ୍ତ୍ରାଳୟ ସ୍ମୃତିଙ୍କୁ ମିଳିଥିଲା। କିନ୍ତୁ ଜାତୀୟ ପୁରସ୍କାରକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବିବାଦ ଘେରକୁ ଆସିବାରୁ ତାଙ୍କଠାରୁ ପୁଣିଥରେ ଏହି ମନ୍ତ୍ରାଳୟ ଛଡ଼ାଇ ନିଆଯାଇଛି। ସେହିଭଳି ୨୦୧୪ରୁ ହିଁ ଅର୍ଥ ମନ୍ତ୍ରାଳୟ ଦାୟିତ୍ୱରେ ଥିବା ଅରୁଣ ଜେଟଲି ଦୀର୍ଘଦିନ ହେଲା ଅସୁସ୍ଥ ଅଛନ୍ତି ଏବଂ ଆଜି ଦିଲ୍ଲୀ ଏମ୍ସରେ ତାଙ୍କର କିଡନି ପ୍ରତିରୋପଣ କରାଯାଇଛି। ତେଣୁ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଜେଟଲିଙ୍କ ଅର୍ଥ ବିଭାଗର ଦାୟିତ୍ୱ ଅସ୍ଥାୟୀ ଭାବେ ପିୟୂଷଙ୍କୁ ଦିଆଯାଇଛି ।

ସମ୍ବନ୍ଧିତ ଖବର