କରୋନା ଭାଇରସ : ସ୍ଥିତିର ସମୀକ୍ଷା କଲେ କ୍ୟାବିନେଟ ସଚିବ
ନୂଆଦିଲ୍ଲୀ : ଚୀନରେ ନୋବେଲ କୋରୋନା ଭାଇରସ ବ୍ୟାପିବା କାରଣରୁ ଉତ୍ପନ୍ନ ସ୍ଥିତି ସମ୍ପର୍କରେ କ୍ୟାବିନେଟ ସଚିବ ପ୍ରଦୀପ କୁମାର ସିହ୍ନା ସୋମବାରଦିନ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଶ୍ରମ, ପ୍ରତିରକ୍ଷା ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଓ ଜାତୀୟ ବିପର୍ୟ୍ୟୟ ପ୍ରଶମନ ପ୍ରାଧିକରଣର ସଚିବ ତଥା ମହାନିର୍ଦ୍ଦେଶକ (ସଶସ୍ତ୍ର ସେନା ଚିକିତ୍ସା ସେବା) ଉପସ୍ଥିତ ଥିଲେ । ଗତକାଲି ସୁଦ୍ଧା ୧୩୭ଟି ବିମାନରେ ଆସିଥିବା ମୋଟ ୨୯,୭୦୭ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିବା ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଯାଇଥିଲା । ୧୨ ଜଣ ଯାତ୍ରୀଙ୍କ ନମୁନା ଏନଆଇଭି, ପୁଣେକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତିଙ୍କ ଠାରେ ଭାଇରସର ଲକ୍ଷଣ ଦେଖାଯାଇ ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଭାଇରସର ମୁକାବିଲା କରିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଯେକୌଣସି ଅସୁସ୍ଥ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ଓ ପରିଚାଳନା କରିବା ନିମନ୍ତେ ଚୀନରୁ ପରୋକ୍ଷ ଏବଂ ସିଧାସଳଖ ଯୋଗାଯୋଗ ରହିଥିବା ସମସ୍ତ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଚୀନରୁ ପରୋକ୍ଷ ଏବଂ ସିଧାସଳଖ ସଂଯୋଗ ରହିଥିବା ସମସ୍ତ ବିମାନଗୁଡ଼ିକୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେହିପରି ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଚୀନରୁ ଆସୁଥିବା ଜାହାଜ ଅନ୍ତର୍ଜାତୀୟ ବନ୍ଦରରେ ପ୍ରବେଶ ସମୟରେ ଯାତ୍ରୀଙ୍କର ଯାଞ୍ଚ ଆରମ୍ଭ ହୋଇଛି ।
ଗୃହ ମନ୍ତ୍ରଣାଳୟ ପକ୍ଷରୁ ନେପାଳ ସୀମାରେ ଥିବା ସମନ୍ୱିତ ତନଖି ଫାଟକ ଗୁଡ଼ିକରେ ଆଗନ୍ତୁକଙ୍କ ଯାଞ୍ଚ କରିବା ଲାଗି ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି ଏବଂ ସେମାନଙ୍କୁ ତନଖି ଫାଟକରେ ସ୍ୱାସ୍ଥ୍ୟକର୍ମୀ ନିୟୋଜିତ କରିବାକୁ କୁହାଯାଇଛି । ଏସଏସବି/ବିଏସଏଫ/ଇମିଗ୍ରେସନ ଅଧିକାରୀ ଥିବା ତନଖି ଫାଟକଗୁଡ଼ିକୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ନେପାଳ ସୀମାନ୍ତ ୫ଟି ରାଜ୍ୟରେ ଯାଞ୍ଚ ଓ ପ୍ରସ୍ତୁତି ସମୀକ୍ଷା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଆୟୋଜନ କରାଯାଇଥିଲା । ମୁଖ୍ୟ ଶାସନ ସଚିବମାନଙ୍କୁ କୁହାଯାଇଛି ଯେ ସ୍ୱାସ୍ଥ୍ୟକର୍ମୀଙ୍କ ଜରିଆରେ ଯାତ୍ରୀଙ୍କର ଗୋଷ୍ଠୀସ୍ତରୀୟ ଯାଞ୍ଚ ସୁନିଶ୍ଚିତ କରାଯାଉ ।