ହିମାଚଳ ପ୍ରଦେଶ : ଆକାଶ ମାର୍ଗରେ ଅଟକିଲା କେବୁଲ କାର, ଫସି ରହିଛନ୍ତି ୧୧ ପର୍ଯ୍ୟଟକ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ପାରଓ୍ବାନୁଠାରେ ଏକ କେବୁଲ କାର ଅଧାବାଟରେ ଖରାପ ହେବାରୁ ପ୍ରାୟ ୧୧ ଜଣ ପର୍ଯ୍ୟଟକ ମଝି ଆକାଶରେ ଫସି ରହିଛନ୍ତି । ଫସି ରହିଥିବା ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରିବାକୁ ଏକ ଟ୍ରଲିକୁ ନିୟୋଜିତ କରାଯାଇଛି । ଏପର୍ଯ୍ୟନ୍ତ ୩ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ଉଦ୍ଧାର କାର୍ଯ୍ୟ ଓ ତ୍ରୁଟି ସଜାଡ଼ିବାକୁ ଟିମ୍ବର ଟ୍ରେଲ ଅପରେଟର୍ସ ସଂସ୍ଥାର ଏକ ବୈଷୟିକ ଟିମକୁ ନିୟୋଜିତ କରାଯାଇଛି । ଘଟଣାସ୍ଥଳରେ ପୁଲିସ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛି ।

ପାରଓ୍ବାନୁ ସ୍ଥାନୀୟ ପ୍ରଶାସନର ଜଣେ ଅଧକାରୀ ଛତର ସିଂ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟାତଳେ ୧୧ ଜଣ ଯାତ୍ରୀ ଉକ୍ତ କେବୁଲ କାରରେ ଯାଉଥିବାବେଳେ ଅଧାବାଟରେ ତାହା ଅଟକି ଯାଇଥିଲା । ଆବଶ୍ୟକ ପଡ଼ିଲେ ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫକୁ ଡକାଯିବ ବୋଲି ସେ କହିଛନ୍ତି ।

୧୯୯୨ ଅକ୍ଟୋବର ମାସରେ ଏହି ରୋପଓ୍ବେରେ ସମାନ ପ୍ରକାରର ଏକ ଦୁର୍ଘଟଣା ହୋଇଥିଲା । ସେତେବେଳେ ମଧ୍ୟ ଉକ୍ତ କେବୁଲ କାରରେ ୧୧ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ବାୟୁସେନାକୁ ଡକାଯାଇଥିଲା ।

ଗତ ଏପ୍ରିଲ ମାସରେ ଝାଡ଼ଖଣ୍ଡର ଦେଓଘରଠାରେ ଥିବା ଏକ କେବୁଲ କାରରେ ସମାନ ପ୍ରକାରର ଦୁର୍ଘଟଣା ହୋଇଥିଲା । ଏଥିରେ ୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ପ୍ରାୟ ୨୪ ଘଣ୍ଟା ଧରି ୪୮ ଜଣ ପର୍ଯ୍ୟଟକ ଫସି ରହିଥିଲେ ।

ସମ୍ବନ୍ଧିତ ଖବର