ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସହ ଗୁରୁଗ୍ରାମକୁ ଯୋଡ଼ୁଥିବା ଦ୍ଵାରକା ଏକ୍ସପ୍ରେସ ୱେ କୁ ନେଇ ଏବେ ସିଏଜି ବଡ ଖୁଲାସା କରିଛନ୍ତି | ସିଏଜି କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ଯେତିକି ଟଙ୍କା ଖର୍ଚ୍ଚ ହେବା କଥା ତାହାଠାରୁ ଅଧିକ ଟଙ୍କା ଠିକା କମ୍ପାନୀକୁ ଦିଆଯାଇଛି | ସିଏଜିଙ୍କ ରିପୋର୍ଟ ମୁତାବକ ଆର୍ଥିକ ମାମଲାରେ କ୍ୟାବିନେଟ ସମିତି ପକ୍ଷରୁ ଏହି ରାସ୍ତା ନିର୍ମାଣ ପାଇଁ କିଲୋମିଟର ପିଛା ୧୮.୨୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ସଡକ, ପରିବହନ ମନ୍ତ୍ରାଳୟ ପକ୍ଷରୁ ଠିକା କମ୍ପାନୀକୁ କିଲୋମିଟର ପିଛା ୨୫୦.୭୭ କୋଟି ଟଙ୍କା ଦିଆଯାଇଛି | ଏହି ଏକ୍ସପ୍ରେସ ୱେ ଦିଲ୍ଲୀ ସହ ଗୁରୁଗ୍ରାମକୁ ଯୋଡ଼ିଥାଏ | ଯୋଜନା ମୁତାବକ ଏନଏଚ ୪୮ ବା ଜାତୀୟ ରାଜପଥ ୪୮କୁ ୧୪ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେ ଭାବେ ବିକଶିତ କରାଯାଇଛି |
ମିଳିଥିବା ସୂଚନା ମୁତାବକ ଏକ ରିପୋର୍ଟ ମୁତାବକ ଏନଏଚ ୪୮ ଦେଇ ହାରାହାରି ଦୈନିକ ୩ ଲକ୍ଷ ୧୧ ହଜାର ୦୪୧ଟି ଗାଡି ଯାତାୟାତ କରିଥାଏ | ଆଉ ଏହି ସବୁ ଗାଡ଼ିରେ ୨ ଲକ୍ଷ ୮୮ ହଜାର ୩୯୧ ଯାତ୍ରୀ ଯାତାୟତ କରିଥାନ୍ତି | ଏହାରି ମଧ୍ୟରୁ ୨ ଲକ୍ଷ ୩୨ ହଜାର ୯୫୯ଟି ଗାଡି ଦିଲ୍ଲୀ ଓ ଗୁରୁଗ୍ରାମ ମଧ୍ୟରେ ନିୟମିତ ଭାବରେ ଯାତ୍ରା କରିଥାନ୍ତି | ବିଶେଷ କରି ଦିଲ୍ଲୀ ଓ ଗୁରୁଗ୍ରାମ ମଧ୍ୟରେ ଥିବା ଏନଏଚ ୪୮ରେ ଭିଡକୁ ହ୍ରାସ କରିବା ପାଇଁ ଏହି ଏକ୍ସପ୍ରେସ ୱେ କୁ ଵ୍ୟଵହାର କରାଯିବ | ଉଲ୍ଲେଖ ଥାଉ କି କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ କହିଥିଲେ ଯେ ଏହି ଏକ୍ସପ୍ରେସ ୱେର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଖୁବ ଶୀଘ୍ର ଏହି ଏକ୍ସପ୍ରେସ୍ ୱେ ଦେଇ ଲୋକ ଯାତାୟାତ କରିପାରିବେ | ଏହା ଦ୍ୱାରା ଦ୍ଵାରକା ଓ ଗୁରୁଗ୍ରାମର ଲୋକ ମାତ୍ର ୨ ଘଣ୍ଟା ମଧ୍ୟରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ ମାଧ୍ୟମରେ ସୋହନା ଦେଇ ଜୟପୁର ପର୍ଯ୍ୟନ୍ତ ଯାଇପାରିବେ |