ନୂଆଦିଲ୍ଲୀ : ମହାନଦୀ କୋଲ୍ ଫିଲଡ୍ ଲିଃ. ଖଣି ଖନନ ବେଳେ ପରିବେଶ ସଂକ୍ରାନ୍ତ ନିୟମ ପାଳନ କରିନାହିଁ ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଆଜି ଲୋକସଭାରେ ସିଏଜି ଦ୍ବାରା କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ତାହାର ଶାଖା ସଂସ୍ଥ‌ା ଉପରେ ଖଣି ଖନନ ଜନିତ ପରିବେଶ ପ୍ରଭାବ ଆକଳନ ସମ୍ପର୍କିତ ଦାଖଲ କରାଯାଇଥିବା ରିପୋର୍ଟରେ ମହାନଦୀ କୋଲ୍ ଫିଲଡ୍ ଦ୍ବାରା ପରିବେଶ ପ୍ରଭାବ ସଂକ୍ରାନ୍ତ ନିୟମ ପାଳନ କରା ଯାଇନଥିବାର କୁହାଯାଇଛି।

Advertisment

ମହାନଦୀ କୋଲ୍ ଫିଲଡ୍ ଲିଃ.ର ହିଙ୍ଗୁଳା, ଜଗନ୍ନାଥ, ବସୁନ୍ଧରା (ପଶ୍ଚିମ), ଇବ୍ ଉପତ୍ୟକା ଖଣିରେ କୋଇଲା ଉତ୍ତୋଳନ ୪୦.୧ ପ୍ରତିଶତରୁ ୪୩.୮ ପ୍ରତିଶତ ଅଧିକ ରହିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହାନଦୀ କୋଲ୍ ଫିଲଡ୍ ଦ୍ବାରା ୪ଟି ଵାସେରି ମାର୍ଚ୍ଚ ୨୦୦୮ ପର୍ଯ୍ୟନ୍ତ ସ୍ଥାପନ କରି କୋଇଲା ଥର୍ମାଲ ପ୍ଲାଣ୍ଟ ଗୁଡ଼ିକୁ ପଠାଇବା ଯୋଜନା ନଭେମ୍ବର ୨୦୧୮ ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନଥିଲା ବୋଲି ରିପୋର୍ଟରେ ଉଲ୍ଲେଖ ଅଛି। ଏତଦ୍ ବ୍ୟତୀତ ଏମସିଏଲର ଲିଙ୍ଗରାଜ ଓ ଲଖନପୁର ପ୍ରକଳ୍ପରେ ରେଳ ଯୋଗାଯୋଗର ବ୍ୟବସ୍ଥା ନଥିବା ଯୋଗୁଁ ସାଇଲୋ ସଞ୍ଚାଳିତ ହୋଇପାରିନଥିଲା। କୋଇଲା ରୋଡ ଦ୍ବାରା ପରିବହନ କରାଯାଉଥିଲା। ଏମସିଏଲର ଫ୍ଲାଇ ଆସ୍ ପାଇଁ କୌଣସି ସମାନ ନୀତି ଅବଲମ୍ବନ କରାଯାଉ ନଥିବାର ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସେସ୍ ଆକ୍ଟ ଅନ୍ତର୍ଗତ ମିଟର ସ୍ଥାପିତ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଏମସିଏଲ ଦ୍ବାରା ମିଟର ସ୍ଥାପିତ ନକରି ଵେଷ୍ଟ ଵାଟର ରିପୋର୍ଟ ଦାଖଲ କରାଯାଇଥିଲା ବୋଲି ସିଏଜି ରିପୋର୍ଟରେ ଦର୍ଶାଯାଇଛି।

ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ଜୁଲାଇ/ସେପ୍ଟେମ୍ବର ୨୦୧୬ରେ ଭରତପୁର ଓପନକାଷ୍ଟ ମାଇନିଂ, ଲିଙ୍ଗରାଜ ଓପନକାଷ୍ଟ ମାଇନିଂ, ଲଖନପୁର ଓପନକାଷ୍ଟ ମାଇନିଂ ଓ ବସୁନ୍ଧାର (ପଶ୍ଚିମ) ଓପନକାଷ୍ଟ ମାଇନିଂକୁ ଆମ୍ବିଏଣ୍ଟ୍ ଏୟାର କ୍ବାଲିଟି ମନିଟରିଂ ଷ୍ଟେସନ ସ୍ଥାପନ କରିବାର ନିର୍ଦ୍ଦେଶକୁ ପାଳନ କରାଯାଇନଥିବାର ସିଏଜି ଦ୍ବାରା ରିପୋର୍ଟରେ କୁହାଯାଇଛି। ଏମସିଏଲ ର ଲଖନପୁର, ଭରତପୁର ଓ ବସୁନ୍ଧରା (ପଶ୍ଚିମ) ମାଇନିଂ କୁ ପର୍ଯ୍ୟାବରଣ ମଞ୍ଜୁରୀ ପ୍ରଦାନ କରିବା ସମୟରେ କେନ୍ଦ୍ର ଜଙ୍ଗଲ ଓ ପର୍ଯ୍ୟାବରଣ ମନ୍ତ୍ରଣାଳୟ ଦ୍ବାରା ଜୁଲାଇ ୨୦୦୮, ଅକ୍ଟୋବର ୨୦୦୮ ଓ ଫେବ୍ରୁଆରୀ ୨୦୧୩ରେ ମିଷ୍ଟ ବ୍ଲୋର ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନଭେମ୍ବର ୨୦୧୮ ସୁଦ୍ଧା ଏମସିଏଲ ଏହି ଆଦେଶକୁ କାର୍ଯ୍ୟକାରୀ କରିନଥିବାର ସିଏସି ପକ୍ଷରୁ କୁହାଯାଇଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ୨୦୧୬ ମାର୍ଚ୍ଚ ସୁଦ୍ଧା ଏମସିଏଲ ର ଲଖନପୁର, ବସୁନ୍ଧରା ମାଇନ୍ସର ଦୂଷିତ ଜଳର ଜିରୋ ଡିସଚାର୍ଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ଏହି ନିୟମ ଗୁଡ଼ିକୁ ଉଲ୍ଲଂଘନ କରାଯାଇଥିଲା। ଯାହାଦ୍ବାରା ଭୂମିଗତ ଜଳ ଦୂଷିତ ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ଓଡ଼ିଶାର ଉପ ଖଣି ନିର୍ଦ୍ଦେଶକଙ୍କ ଦ୍ବାରା ଏମସିଏଲର ବସୁନ୍ଧରା ଖଣି ଅନୁମତିରୁ ଅଧିକ କୋଇଲା ଉତ୍ତୋଳନ କରିଥିବାରୁ ଜୁନ୍ ୨୦୧୭ରେ ଏମଏମଡିଆର ଆଇନ ଅନ୍ତର୍ଗତ ୫୦.୫୭ କୋଟି ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା ବୋଲି ସିଏଜି ରିପୋର୍ଟରେ କୁହାଯାଇଛି। ଏମସିଏଲ ଦ୍ବାରା ଅକ୍ଟୋବର ୨୦୧୮ରେ ଖଣିଗୁଡ଼ିକୁ ଜିରୋ ଡିଚାର୍ଜ ସୁନିଶ୍ଚିତ କରିବା ବିଚାର କରାଯାଉଛି ବୋଲି ଯେଉଁ ତର୍କ ଦିଆଯାଇଥିଲା ତାହା ତର୍କସଙ୍ଗତ ନୁହେଁ ବୋଲି ସିଏଜି ପକ୍ଷରୁ କୁହାଯାଇଛି। ରିପୋର୍ଟରେ ଏମସିଏଲ ଦ୍ବାରା ଲିଙ୍ଗରାଜ ଓ ବସୁନ୍ଧରା ଖଣିର ଆବାସିକ କଲୋନିରେ ସିଵେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ କରାଯାଇନଥିବାର ରିପୋର୍ଟରେ କୁହାଯାଇଛି। ଅପରପକ୍ଷେ ଲଖନପୁର ମାଇନ୍ସ ପାଇଁ ପ୍ରତିଷ୍ଠା କରାଯାଇଥିବା ସିଵେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ମେ’ ୨୦୧୮ରୁ ଅକାମି ହୋଇ ରହିଛି। ୧୦ ବର୍ଷ ପରେ ଏମସିଏଲ ଏହି କାର୍ଯ୍ୟାଦେଶ ଦେବା ପରେ ମଧ୍ୟ ନଭେମ୍ବର ୨୦୧୮ ସୁଦ୍ଧା କାର୍ଯ୍ୟ ଶେଷ ହୋଇପାରିନାହିଁ ବୋଲି ରିପୋର୍ଟରେ କୁହାଯାଇଛି।