ରାଫେଲ ଡିଲ୍‌ ସଂପର୍କରେ ସିଏଜି ରିପୋର୍ଟ ଚୂଡାନ୍ତ,୨-୩ ଦିନରେ ସଂସଦରେ ଉପସ୍ଥାପନ ହେବା ସମ୍ଭାବନା

ନୂଆଦିଲ୍ଲୀ : ଫ୍ରାନ୍ସରୁ ରାଫେଲ ବିମାନ କିଣା ମାମଲାରେ ଆସନ୍ତା ଜାନୁୟାରୀ ମାସରେ କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଜର ଅଡିଟ ରିପୋର୍ଟ ପ୍ରସ୍ତୁତ ହୋଇଯାଇଛି । ଆସନ୍ତା ୨-୩ ଦିନ ମଧ୍ୟରେ ଏହାକୁ ସଂସଦରେ ଉପସ୍ଥାପନ କରାଯିବ ବୋଲି ଜଣାଯାଇଛି । ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ପବ୍ଲିକ ଆକାଉଣ୍ଟ କମିଟି ନିକଟକୁ ପଠାଯିବ । ଏହି ରିପୋର୍ଟ ଉପରେ ସମସ୍ତଙ୍କ ଆଖି ରହିଛି । କାରଣ ଏହା ଉପରେ ଆଗାମୀ ଦିନର ରାଜନୈତିକ ବାତାବରଣ ନିର୍ଭର କରିବ ।

ତେବେ ଏହି ରିପୋର୍ଟରେ ରାଫେଲ ବିମାନର ମୂଲ୍ୟ ସଂପର୍କିତ ତଥ୍ୟ ଓ ରିଲାଏନ୍ସ ନାଭାଲ ଏଣ୍ଡ ଇଂଜିନିୟରିଂ କୁ ଦିଆଯାଇଥିବା ଅଫସେଟ୍‌ କଣ୍ଟ୍ରାକ୍ଟ ସଂପର୍କିତ ବିବରଣୀ ରହିବ ନାହିଁ ବୋଲି ଜଣାପଡିଛି । କେବଳ ସରକାରୀ ନୀତିନିୟମ ଓ ପ୍ରକ୍ରିୟା ପାଳନ ହୋଇଛି କି ନାହିଁ ଓ ସରକାରଙ୍କର କୌଣସି ଆର୍ଥିକ କ୍ଷତି ହୋଇଛି କି ନାହିଁ ସେ ସଂପର୍କରେ ଏଥିରେ ଉଲ୍ଲେଖ ରହିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟରେ କେବଳ ରାଫେଲ ଡିଲ ନୁହେଁ, ଆଉ କେତେକ ଡିଫେନ୍ସ ଡିଲ ଉପରେ ଅଡିଟ ଯାଞ୍ଚ ରିପୋର୍ଟ ଉଲ୍ଲେଖ ରହିବ ବୋଲି ଜଣାପଡିଛି । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର