ରାଫେଲ ସଂପର୍କରେ ସିଏଜି ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପିତ, ଆସନ୍ତା କାଲି ସଂସଦରେ ଉପସ୍ଥାପନ ହେବ

ନୂଆଦିଲ୍ଲୀ: ଫ୍ରାନ୍ସରୁ ରାଫେଲ ବିମାନ କିଣା ସମ୍ପର୍କରେ କମ୍ପ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ନିଜର ଅଡିଟ ରିପୋର୍ଟ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରଦାନ କରିଛନ୍ତି । ଏହା ପରେ ଆସନ୍ତା କାଲି ହିଁ ଏହି ରିପୋର୍ଟକୁ ସଂସଦରେ ଉପସ୍ଥାପନ କରାଯିବ । ସଂସଦରେ ଉପସ୍ଥାପନ ହେବା ପରେ ଏହାକୁ ପବ୍ଲିକ ଆକାଉଣ୍ଟ କମିଟି ନିକଟକୁ ପଠାଯିବ । ଏହି ରିପୋର୍ଟ ଉପରେ ସମସ୍ତଙ୍କ ଆଖି ରହିଛି । କାରଣ ଏହା ଉପରେ ଆଗାମୀ ଦିନର ରାଜନୈତିକ ବାତାବରଣ ନିର୍ଭର କରିବ । ରିପୋର୍ଟରେ ଏହି ବିମାନ କିଣାରେ ସ୍ୱଚ୍ଛତା, ମୂଲ୍ୟ ଆଦି ଉପରେ ଉଲ୍ଲେଖ ରହିବା ଆଶା କରାଯାଉଛି ।

ତେବେ ଏହି ରିପୋର୍ଟରେ ରିଲାଏନ୍ସ ନାଭାଲ ଏଣ୍ଡ ଇଂଜିନିୟରିଂ କୁ ଦିଆଯାଇଥିବା ଅଫସେଟ୍‌ କଣ୍ଟ୍ରାକ୍ଟ ସଂପର୍କିତ ବିବରଣୀ ରହିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ମୁଖ୍ୟତଃ ସରକାରୀ ନୀତିନିୟମ ଓ ପ୍ରକ୍ରିୟା ପାଳନ ହୋଇଛି କି ନାହିଁ ଓ ସରକାରଙ୍କର କୌଣସି ଆର୍ଥିକ କ୍ଷତି ହୋଇଛି କି ନାହିଁ ସେ ସଂପର୍କରେ ଏଥିରେ ଉଲ୍ଲେଖ ରହିବ ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ଏହି ରିପୋର୍ଟରେ କେବଳ ରାଫେଲ ଡିଲ ନୁହେଁ, ଆଉ କେତେକ ଡିଫେନ୍ସ ଡିଲ ଉପରେ ଅଡିଟ ଯାଞ୍ଚ ରିପୋର୍ଟ ଉଲ୍ଲେଖ ରହିବ ବୋଲି ଜଣାପଡିଛି । ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା ।

ସମ୍ବନ୍ଧିତ ଖବର