ଚିନ୍ତା ବଢ଼ାଇଲା ବିଦେଶୀ ସଂସ୍ଥା: ଭାରତର ସମ୍ପତ୍ତି ଜବତ କରିବ କେର୍ଣ୍ଣ ଏନର୍ଜି, ଫ୍ରାନ୍ସ କୋର୍ଟ ଦେଲେ ଅନୁମତି

ଫ୍ରାନ୍ସ କୋର୍ଟଙ୍କ ନୋଟିସ୍‌ ମିଳିନି: ସରକାର

ନୂଆଦିଲ୍ଲୀ: ବ୍ରିଟେନ୍‌ର ଶକ୍ତି କଂପାନି କେର୍ଣ୍ଣ ଏନର୍ଜି ସହ ଟିକସ ବିବାଦ ଜଟିଳ ହେବାରେ ଲାଗିଛି। ଏହା ଭାରତ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। କେର୍ଣ୍ଣ ଏନର୍ଜିକୁ ୧୨୦ କୋଟି ଡଲାର କ୍ଷତିପୂରଣ ଦେବା ଲାଗି ଏକ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟ ନିର୍ଦେଶ ଜାରି କରିବା ପରେ ଏହି କଂପାନି ବେଶ ଉତ୍ସାହିତ ହୋଇପଡ଼ିଛି। ନିଜ ପ୍ରାପ୍ୟ ଅସୁଲ କରିବା ଲାଗି ବିଦେଶରେ ଥିବା‌ ଭାରତ ସରକାରଙ୍କ ସମ୍ପତ୍ତିଗୁଡ଼ିକୁ ଜବତ କରିବା ଲାଗି ଏହା ପ୍ରକ୍ରିୟା ଆରମ୍ଭ କରିଛି। ଏହି ଉଦ୍ୟମରେ କଂପାନିକୁ ପ୍ରଥମ ବଡ଼ ସଫଳତା ମିଳିଛି। ପ୍ୟାରିସ୍‌ରେ ଭାରତ ସରକାରଙ୍କ ମାଲିକାନାରେ ଥିବା ୨୦ଟି ସମ୍ପତ୍ତି ଜବତ କରିବା ଲାଗି ଫ୍ରାନ୍ସର ଏକ କୋର୍ଟ କଂପାନିକୁ ଅନୁମତି ପ୍ରଦାନ କରିଛନ୍ତି। ପ୍ୟାରିସ୍‌ର କେନ୍ଦ୍ର ସ୍ଥଳରେ ଥିବା ଏକ ରିଅଲ୍‌ ଇଷ୍ଟେଟ୍‌ ସମ୍ପତ୍ତିକୁ ମଧ୍ୟ କଂପାନି ଜବତ କରିବ। ସେହି କୋଠାରେ କାର୍ଯ୍ୟ କରୁଥିବା ଭାରତୀୟ ଅଧିକା‌ରୀଙ୍କୁ କଂପାନି ବାହାର କରିପାରିବ ନାହିଁ। କିନ୍ତୁ, ସ୍ଥାନୀୟ କୋର୍ଟ ନିର୍ଦେଶ ଜାରି କରିଥିବାରୁ ଏହି ସମ୍ପତ୍ତିକୁ ଭାରତ ସରକାର ବିକ୍ରି ମଧ୍ୟ କରିପାରିବେ ନାହିଁ।

କେର୍ଣ୍ଣ ଏନର୍ଜିକୁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ଭାରତ ସରକାର ମନା କରିବା ସହ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟଙ୍କ ନିର୍ଦେଶକୁ ମଧ୍ୟ ଅଗ୍ରାହ୍ୟ କରିଥିଲେ। ଏହା ବିରୋଧରେ ଭାରତ ସରକାର ଆବେଦନ ମଧ୍ୟ କରିଛନ୍ତି। ମାତ୍ର କେର୍ଣ୍ଣ ଏନର୍ଜି ଆଉ ଅପେକ୍ଷା କରିବାକୁ ଚାହୁନାହିଁ। ଦୀର୍ଘଦିନ ପର୍ଯ୍ୟନ୍ତ ଆଇନ ଲଢ଼େଇ ଲଢ଼ିବା ପରେ ଯେଉଁ ବିଜୟ ମିଳିଛି ତାହା ମାଧ୍ୟମରେ ନିଜ ପ୍ରାପ୍ୟ ହାସଲ କରିବା ଲାଗି ଏହା ନିରନ୍ତର ଉଦ୍ୟମ ଜାରି ରଖିଛି। କେବଳ ଫ୍ରାନ୍ସ ନୁହେଁ ବିଶ୍ବର ବିଭିନ୍ନ ଦେଶରେ ଭାରତ ସରକାରଙ୍କ ମାଲିକାନାରେ ଥିବା ସମ୍ପତ୍ତି ଉପରେ ଏହା ଆଖି ପକାଇଛି। ଏୟାର ଇଣ୍ଡିଆର ବିମାନ ଜବତ କରିବା ଲାଗି ଏହି ସଂସ୍ଥା ଆମେରିକାର ଏକ କୋର୍ଟରେ ଆବେଦନ କରିଛି। କେବଳ ଆମେରିକା ନୁହେଁ ବ୍ରିଟେନ୍, ନେଦରଲ୍ୟାଣ୍ଡ୍‌, କାନାଡା, ଫ୍ରାନ୍ସ, ସିଙ୍ଗାପୁର, ଜାପାନ, ୟୁଏଇ ଓ କେମ୍ୟାନ୍ସ ଦ୍ବୀପରେ ଥିବା ବିଭିନ୍ନ କୋର୍ଟରେ କଂପାନି ମାମଲା ରୁଜୁ କରିଛି।

ଭାରତ ସରକାର ଓ କେର୍ଣ୍ଣ ଏନର୍ଜି ବିବାଦ ହେଉଛି ଛଅ ବର୍ଷ ପୁରୁଣା। ୨୦୦୭ରେ କେର୍ଣ୍ଣ ଏନର୍ଜି ଏହାର ଭାରତୀୟ ଶାଖା କଂପାନିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବା ପୂର୍ବରୁ ୨୦୦୬ରେ ସମ୍ପତ୍ତି ପୁନର୍ଗଠନ କାର୍ଯ୍ୟ କରିଥିଲା। ସେଥିରୁ ଯେଉଁ ଲାଭ ହୋଇଥିବା ତାହା ଉପରେ ଭାରତ ସରକାର ୧୦,୨୦୦ କୋଟି ଟଙ୍କାର ପୁଞ୍ଜି ଲାଭ ଟିକସ ଲାଗୁ କରିଥିଲେ। ୨୦୧୪ରେ ଭାରତ ସରକାର କରିଥିବା ଏକ ଅନୁଶୀଳନରୁ ମଧ୍ୟ ସ୍ପଷ୍ଟ ହୋଇଥିଲା ଯେ କେର୍ଣ୍ଣ ଏନର୍ଜି ଏହାର ସମ୍ପତ୍ତି ପୁନର୍ଗଠନ କରି ପୁଞ୍ଜି ଲାଭ ହାସଲ କରିଛି। ଫଳରେ ପୁଞ୍ଜି ଲାଭ ଟିକସ ବାବଦ ଅର୍ଥ ଦାଖଲ କରିବାକୁ ସରକାର କଂପାନିକୁ ନୋଟିସ୍‌ ପଠାଇଥିଲେ। ତାହାକୁ କେର୍ଣ୍ଣ ଏନର୍ଜି କଡ଼ା ବିରୋଧ କରିଥିଲା। ଯେଉଁ ସମୟରେ ଏହି କାର୍ଯ୍ୟ ହୋଇଥିଲା ସେହି ସମୟରେ ଦେଶରେ ପ୍ରଚଳିତ ଆଇନକୁ କଂପାନି ପାଳନ କରିଥିବା ଦାବି କରିଥିଲା। ଏହି ଟିକସ ବିବାଦର ସମାଧାନ କରିବା ଲାଗି କେର୍ଣ୍ଣ ଏନର୍ଜିର ସିଇଓ ସିମନ୍ ଥମ୍‌ସନ୍ ବହୁ ବାର ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ଆଲୋଚନା କରି କୌଣସି ସୁଫଳ ପାଇନଥିଲେ। ତେଣୁ ବାଧ୍ୟ ହୋଇ କଂପାନି ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ୨୦୧୨ରେ ଭାରତ ସରକାର ଏକ ନୂଆ ଆଇନ ଆଣି ପୁରୁଣା କାରବାର ଉପରେ ଟିକସ ଲଗାଇବାର ଅଧିକାର ହାସଲ କରିଥିଲେ। ସେହି ଆଇନ ବଳରେ କେର୍ଣ୍ଣ ଏନର୍ଜି ଉପରେ ଟିକସ ଲଗାଯାଇଛି। ଯଦି ଏହି ମାମଲାରେ କୌଣସି ପ୍ରକାରରେ କେର୍ଣ୍ଣ ଏନର୍ଜି ବିଜୟ ହାସଲ କରିବ ତେବେ ସରକାରଙ୍କ ପାଇଁ ତାହା ଶକ୍ତ ଧକ୍କା ସଦୃଶ ହେବ। ଅନ୍ୟ ଯେଉଁ ସବୁ କଂପାନିଗୁଡ଼ିକ ଉପରେ ପୁରୁଣା ଫାଇଲ୍‌ ଖୋଲି ଟିକସ ଲାଗୁ କରାଯାଇଛି ସେମାନେ ମଧ୍ୟ ସମାନ ଉପାୟରେ ସରକାରଙ୍କୁ ଅଡ଼ୁଆରେ ପକାଇବେ।

ଫ୍ରାନ୍ସ କୋର୍ଟଙ୍କ ନୋଟିସ୍‌ ମିଳିନି: ସରକାର
ଫ୍ରାନ୍ସରେ କେର୍ଣ୍ଣ ଏନର୍ଜି ଦ୍ବାରା ଭାରତ ସରକାରଙ୍କ ସମ୍ପତ୍ତି ଜବତ କରାଯାଇଥିବା ସମ୍ପର୍କିତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାହା ଉପରେ ଅର୍ଥ ମନ୍ତ୍ରଣାଳୟ ପ୍ରତିକ୍ରିୟା ରଖିଛି। ଫ୍ରାନ୍ସର କୌଣସି କୋର୍ଟଙ୍କ ନୋଟିସ୍‌ ମିଳିନାହିଁ। ଗଣମାଧ୍ୟମ ରିପୋର୍ଟର ସତ୍ୟାସତ୍ୟକୁ ସରକାର ଯାଞ୍ଚ କରୁଛନ୍ତି। ଯଦି ‌ସେଭଳି କିଛି ନୋଟିସ୍‌ ପହଞ୍ଚିବ ତେବେ ଭାରତର ସ୍ବାର୍ଥ ରକ୍ଷା କରିବା ଲାଗି ଆଇନଜୀବୀଙ୍କ ପରାମର୍ଶକ୍ରମେ ଯେଉଁ ପଦକ୍ଷେପ ଦରକାର ତାହା ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ୨୦୨୦ ଡିସେମ୍ବରରେ ଆନ୍ତର୍ଜାତିକ ମଧ୍ୟସ୍ଥତା କୋର୍ଟ ‘ଦି ହ୍ୟୁଗ୍ କୋର୍ଟ ଅଫ୍ ଅପିଲ୍‌’ ଯେଉଁ ରାୟ ଦେଇଛନ୍ତି ତାହା ବିରୋଧରେ ଭାରତ ସରକାର ୨୦୨୧ ମାର୍ଚ୍ଚ ୨୨ରେ ଆବେଦନ କରିଛି। କେର୍ଣ୍ଣର ସିଇଓ ଓ ପ୍ରତିନିଧିମ‌ାନେ ଏନେଇ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଦେଶରେ ପ୍ରଚଳନରେ ଥିବା ନିୟମ ଅନୁସାରେ ଏହି ମାମଲାର ଆପୋଷ ବୁଝାମଣା ଜରିଆରେ ସମାଧାନ କରିବା ଲାଗି ସରକାର ପ୍ରସ୍ତୁତ ଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର