କୋଲ୍‌କାତା: ଚଳିତ ବର୍ଷ ରାମ ନବମୀ ସମୟରେ ପଶ୍ଚିମବଙ୍ଗର ହାଓଡ଼ା, ହୁଗୁଳି ଏବଂ ଡାଲଖୋଲାରେ ଘଟିଥିବା ହିଂସାକାଣ୍ଡର ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ତଦନ୍ତ ପାଇଁ ଆଜି କାଲ୍‌କାଟା ହାଇକୋର୍ଟ ଆଦେଶ ଦେଇଛନ୍ତି।

Advertisment

ଦୁଇ ସପ୍ତାହ ମଧ୍ୟରେ ତଦନ୍ତ ସଂକ୍ରାନ୍ତ ସମସ୍ତ ଅତ୍ୟାବଶ୍ୟକ କାଗଜପତ୍ର ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’କୁ ହସ୍ତାନ୍ତର କରିବା ଲାଗି କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ପଶ୍ଚିମବଙ୍ଗ ପୁଲିସକୁ ଆଦେଶ ଦେଇଛନ୍ତି।

ତେଣୁ, ହିଂସାକାଣ୍ଡ ଘଟିଥିବା ଅଞ୍ଚଳର ଥାନା ସବୁ ଏ ସଂକ୍ରାନ୍ତ ସମସ୍ତ ରେକର୍ଡ, ‘ଏଫ୍‌ଆଇଆର୍‌’ ଓ ‘ସିସିଟିଭି ଫୁଟେଜ୍‌’ ଆଦି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’କୁ ଦେବେ। କେନ୍ଦ୍ର ସରକାରଙ୍କଠାରୁ ‘ନୋ ଅବ୍‌ଜେକ୍‌ସନ୍‌ ସାର୍ଟିଫିକେଟ୍‌’ ପାଇବା ପରେ ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ଘଟଣାର ତଦନ୍ତ ଆରମ୍ଭ କରିବ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରାମ ନବମୀ ହିଂସାକାଣ୍ଡର ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ ତଦନ୍ତ ପାଇଁ ‘ବିଜେପି’ ବିଧାୟକ ଶୁଭେନ୍ଦୁ ଅଧିକାରୀ ଜନସ୍ବାର୍ଥ ମାମଲା ଦାଏର କରିବା ପରେ ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି।

publive-image Image Courtesy of Telegraph

ସ୍ମରଣ‌ଯୋଗ୍ୟ, ମାର୍ଚ ୩୦ ତାରିଖ ଦିନ ରାମ ନବମୀ ଶୋଭାଯାତ୍ରା ସମୟରେ ହାୱଡ଼ା ଜିଲ୍ଲାରେ ଭୀଷଣ ସଂଘର୍ଷ ହୋଇଥିଲା। ତା’ର ପରବର୍ତ୍ତୀ ୩ ଦିନରେ ହିଂସାକାଣ୍ଡ ଉତ୍ତର ଦିନାଜପୁର ଏବଂ ହୁଗୁଳି ଜିଲ୍ଲାକୁ ବ୍ୟାପିଥିଲା। ଏହି ହିଂସାକାଣ୍ଡରେ ପୁଲିସ ସମତେ କେତେକ ସାଧାରଣ ନାଗରିକ ଆହତ ହୋଇଥିଲେ। ଅନେକ ଯାନବାହନ ପୋଡ଼ାଯାଇଥିଲା। ଟେକାପଥର ଫିଙ୍ଗାଯିବା ସହିତ ଦୋକାନ ଆଦି ଭଙ୍ଗାରୁଜା କରାଯାଇଥିଲା।

ଚଳିତ ମାସ ପ୍ରାରମ୍ଭରେ କାଲ୍‌କାଟା ହାଇକୋର୍ଟ କହିଥିଲେ, ରାଜ୍ୟ ପୁଲିସ ଫାଇଲ୍‌ କରିଥିବା ‌ରିପୋର୍ଟରେ ଉଲ୍ଲେଖ ଅଛି ଯେ, ରାମ ନବମୀ ସଂଘର୍ଷ ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। କ‌ୌଣସି ତୃତୀୟ ଗୋଷ୍ଠୀ ଏହି ପରିସ୍ଥିତିରୁ ଫାଇଦା ଉଠାଇବାକୁ ଚାହୁଁ ଥାଇ ପାରେ। ଯଦି ତୃତୀୟ ଗୋଷ୍ଠୀର ସମ୍ପୃକ୍ତି ଥାଏ ତେବେ, ଘଟଣା କେନ୍ଦ୍ରୀୟ ଏଜେନ୍‌ସିର ତଦନ୍ତ ଆବଶ୍ୟକ କରିବ। ତୃତୀୟ ଗୋଷ୍ଠୀକୁ ଚିହ୍ନଟ କରିବା ରାଜ୍ୟ ପୁଲିସ ପକ୍ଷେ ଖୁବ୍‌ କଷ୍ଟକର। ତେଣୁ, କେନ୍ଦ୍ରୀୟ ତଦନ୍ତ ବିନା ତୃତୀୟ ଗୋଷ୍ଠୀକୁ ଚିହ୍ନଟ କରିବା ସମ୍ଭବ ନୁହେଁ।