ପାର୍ଥ ଚାଟାର୍ଜୀଙ୍କୁ ଭୁବନେଶ୍ବର ଏମ୍ସ ନେବାକୁ ଇଡିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ସୋମବାର ଭୁବନେଶ୍ବର ଏମ୍ସକୁ ନେବାକୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଯେ, କ୍ୟାବିନେଟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କ ଓକିଲ ନିମ୍ନ ଅଦାଲତଙ୍କୁ ଚିକିତ୍ସା ପାଇଁ ଅନୁରୋଧ କରିଥିଲେ। କୋର୍ଟଙ୍କ ଆଦେଶ ପ୍ରକାରେ ଗିରଫ ପାର୍ଥ କୋଲକାତାର ଏସଏସକେଏମ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ତେବେ ଇଡି ଏହାକୁ ବିରୋଧ କରିଥିଲା। ଫଳରେ ଏହି ମାମଲା କୋର୍ଟକୁ ଯାଇଥିଲା। ତେବେ ମାମଲାର ଶୁଣାଣି କରି ସୋମବାର ସକାଳେ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଏମ୍ସ ନେବାକୁ ଇଡିକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାର୍ଥଙ୍କ ସହିତ ତାଙ୍କ ଓକିଲ ଓ ଏସଏସକେଏମ ହସ୍ପିଟାଲର ଜଣେ ଡାକ୍ତର ଯିବେ।

ସୋମବାର ଅପରାହ୍ନ ୩ଟା ସୁଦ୍ଧା ମାମଲାର ତଦନ୍ତ କରୁଥିବା ଅଧିକାରୀ, ଏସଏସକେଏମର ଅଧିକାରୀ ଓ ତାଙ୍କ ଓକିଲଙ୍କୁ ସମସ୍ତ ରିପୋର୍ଟ ଦେବାକୁ ଏମ୍ସ ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ଇଡିକୁ କୋର୍ଟ କହିଛନ୍ତି ଯେ, ପାର୍ଥଙ୍କୁ କୋଲକାତାରେ ଥିବା ଇଡିର ସ୍ବତନ୍ତ୍ର କୋର୍ଟରେ ହାଜର କରିବା ପୂର୍ବରୁ ଏମ୍ସର ଜଣେ ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ପରୀକ୍ଷା ନିରୀକ୍ଷାର ସୁନିଶ୍ଚିତ କରିବାକୁ ହେବ। ହୃଦରୋଗ, ନେଫ୍ରୋଲୋଜି, ଶ୍ବସକ୍ରିୟା ଏବଂ ଏଣ୍ଡୋକ୍ରାଇନୋଲୋଜି ବିଭାଗର ବିଶେଷଜ୍ଞମାନେ ପାର୍ଥଙ୍କୁ ଚିକିତ୍ସା କରିବେ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର