ନୂଆଦିଲ୍ଲୀ: ନକଲି ଜାତି ପ୍ରମାଣପତ୍ର ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ତଦନ୍ତକୁ ନେଇ କାଲ୍‌କାଟା ହାଇକୋର୍ଟର ଦୁଇଟି ଖଣ୍ଡପୀଠ ମଧ୍ୟରେ ଏକ ବିରଳ ସଂଘର୍ଷ ଦେଖିବାକୁ ମିଳିଥିବା ବେଳେ ସୁପ୍ରିମ୍‌କୋର୍ଟ ଶନିବାର ସମସ୍ତ ଶୁଣାଣିକୁ ସୋମବାର ଯାଏ ସ୍ଥଗିତ ରଖିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏକ ସ୍ୱତନ୍ତ୍ର ଶୁଣାଣିରେ କାଲ୍‌କାଟା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ ସାଥୀ ବିଚାରପତି ସୌମେନ ସେନଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଗ୍ରହଣ କରିବା ସହ ସୋମବାର ଏହା ଉପରେ ବିଚାର କରାଯିବ ବୋଲି କହିଛନ୍ତି।

Advertisment

ଜଷ୍ଟିସ ଗଙ୍ଗୋପାଧ୍ୟାୟ ଅଭିଯୋଗ କରିଛନ୍ତି ଯେ ଜଷ୍ଟିସ ସେନ ଏହି ରାଜ୍ୟର କୌଣସି ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ପଶ୍ଚିମବଙ୍ଗର ଜଣେ ରାଜନେତାଙ୍କ ସପକ୍ଷରେ ଅନ୍ୟ ଜଣେ ବିଚାରପତିଙ୍କୁ ଭୟଭୀତ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ସିବିଆଇକୁ ନୋଟିସ ଜାରି କରିବା ସହ ଏହି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ମାଗିଛନ୍ତି। କାଲ୍‌କାଟା ହାଇକୋର୍ଟରେ ନକଲି ଜାତି ପ୍ରମାଣପତ୍ର ଦୁର୍ନୀତି ସମ୍ପର୍କରେ ଆବେଦନକାରୀଙ୍କ ଆବେଦନ ଉପରେ ମଧ୍ୟ କୋର୍ଟ ନୋଟିସ୍ ଜାରି କରିଛନ୍ତି। ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଏମ୍‌ବିବିଏସ୍ ପରୀକ୍ଷାର୍ଥୀଙ୍କ ନାମଲେଖାରେ ହୋଇଥିବା ଅନିୟମିତତାର ସିବିଆଇ ତଦନ୍ତ ପାଇଁ ଜଷ୍ଟିସ୍ ଗଙ୍ଗୋପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି। ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ସାର୍ଟିଫିକେଟ୍ ପ୍ରଦାନ କ୍ଷେତ୍ରରେ ହୋଇଥିବା ଦୁର୍ନୀତିର ଏକ ବଡ଼ ଅଂଶର ସିବିଆଇ ଏପର୍ଯ୍ୟନ୍ତ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ନାହିଁ ବୋଲି ସେ କହିଛନ୍ତି। ତେବେ ତୃଣମୂଳ କଂଗ୍ରେସ ନେତୃତ୍ୱାଧୀନ ପଶ୍ଚିମବଙ୍ଗ ସରକାର ଜଷ୍ଟିସ ସେନଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ଏକକ ଖଣ୍ଡପୀଠଙ୍କ ଆଦେଶ ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଥିଲା। ପରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ଦ୍ୱାରା ତଦନ୍ତ ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ।

ଜଷ୍ଟିସ ଗଙ୍ଗୋପାଧ୍ୟାୟ ଏହି ନିର୍ଦ୍ଦେଶର ନକଲ ତୁରନ୍ତ ଭାରତର ପ୍ରଧାନବିଚାରପତି ଏବଂ କାଲ୍‌କାଟା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପଠାଇବାକୁ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମବଙ୍ଗରେ କ୍ଷମତାରେ ଥିବା କୌଣସି ରାଜନୈତିକ ଦଳକୁ ବଞ୍ଚାଇବା ପାଇଁ ଜଷ୍ଟିସ୍ ସେନ୍ ବ୍ୟକ୍ତିଗତ ସ୍ୱାର୍ଥ ଉପରେ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗରେ ବ୍ୟାପକ ଭାବେ ନକଲି ଜାତି ପ୍ରମାଣପତ୍ର ପ୍ରଦାନକୁ ନେଇ ଜାନୁଆରି ୨୪ରେ କାଲ୍‌କାଟା ହାଇକୋର୍ଟରେ ଦାୟର ହୋଇଥିବା ଏକ ପିଟିସନରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆବେଦନକାରୀ ଦାବି କରିଛନ୍ତି ଯେ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଅନେକ ବ୍ୟକ୍ତି ଏହି ନକଲି ସାର୍ଟିଫିକେଟ୍ ହାସଲ କରିଛନ୍ତି।