କୋଲକାତା: କୋଲକାତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ଇସ୍ତଫା ଦେବା ସହ ଲୋକସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେବେ ବୋଲି ପ୍ରକାଶ କରିଛନ୍ତି। ଗଙ୍ଗୋପାଧ୍ୟାୟ ନିଶ୍ଚିତ କରିଛନ୍ତି ଯେ ଆଗାମୀ ୭ ତାରିଖରେ ସେ ବିଜେପିରେ ମିଶିବେ। ତୃଣ ମୂଳ କଂଗ୍ରେସ ବିରୋଧରେ ଛିଡ଼ା ହେବା ପାଇଁ କେବଳ ବିଜେପି ହିଁ ସକ୍ଷମ ବୋଲି ସେ ତାଙ୍କର ମତ ରଖି କହିଛନ୍ତି। ସେ ଦଳରେ କେଉଁ ଦାୟିତ୍ବରେ ରହିବେ ତାହା ଦଳର ହାଇ କମାଣ୍ଡ ନିଷ୍ପତ୍ତି ନେବେ ବୋଲି ଗଙ୍ଗୋପାଧ୍ୟାୟ ଜଣାଇଛନ୍ତି।

Advertisment

ସେ ସୋମବାର ଦିନ କହିଥିଲେ କି ‘‘ଜଣେ ବିଚାରପତି ଭାବରେ କାର୍ଯ୍ୟ ସମାପ୍ତ କରିଥିବାରୁ ମୁଁ ମଙ୍ଗଳବାର ଦିନ ଇସ୍ତଫା ଦେବି। କାରଣ କଲିକତା ହାଇକୋର୍ଟର ବିଚାରପତି ପଦରୁ ଇସ୍ତଫା ଦେବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କିଛି ଆଇନଜୀବୀ ଓ ମକଦମାକାରୀ ମୋତେ ଅନୁରୋଧ କରିଛନ୍ତି।’’ ଏହା ପରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ପ୍ରକାଶ କରିବେ ବୋଲି କହିଥିଲେ।

ଜଷ୍ଟିସ ଗାଙ୍ଗୋପାଧ୍ୟାୟ ଇସ୍ତଫା ଦାଖଲ କରିବା ପରେ ସମସ୍ତ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେବେ ବୋଲି କହି ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଛନ୍ତି କି ନାହିଁ ସେ ସମ୍ପର୍କରେ ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ।
ଜଷ୍ଟିସ ଗାଙ୍ଗୋପାଧ୍ୟାୟ ୨୪ ବର୍ଷ ହାଇକୋର୍ଟରେ ଆଇନ ଅଭ୍ୟାସ କରିଥିଲେ ଏବଂ କୋଲକାତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବରେ ୨୦୧୮ ମସିହା ମେ ୨ରେ ଯୋଗ ଦେଇଥିଲେ। ହାଇକୋର୍ଟର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ ସେ ୨୦୨୦ ମସିହା ଜୁଲାଇ ୩୦ ତାରିଖରେ ସ୍ଥାୟୀ ବିଚାରପତି ଭାବରେ ଉନ୍ନୀତ ହୋଇଥିଲେ।