ନୂଆଦିଲ୍ଲୀ: ସନ୍ଦେଶଖାଲି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୁଲିସର ଏସଆଇଟି ପକ୍ଷରୁ ଦାୟର ଆବେଦନକୁ ଖାରଜ କରିବା ସହ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶେଖ୍ ଶାହଜାହାଁ ସମେତ ୩ଟି ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ଶେଖ୍ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ପରେ ଶେଖକୁ ସିବିଆଇ ପଚରାଉଚରା କରିବାର ସମ୍ଭାବନା ରହିଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଆଜି ସନ୍ଧ୍ୟା ସୁଦ୍ଧା ଶେଖ ଶାହାଜାହାନକୁ ହେପାଜତକୁ ନେବାର ସମ୍ଭାବନା ରହିଛି। ତାକୁ ଗତ ସପ୍ତାହରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ମିନାଖାନର ଏକ ଘରୁ ଗିରଫ କରାଯାଇଥିଲା। ତା ବିରୋଧରେ ଦାଦାବଟି ଆଦାୟ, ଜମି ଜବରଦଖଲ ଓ ଯୌନ ନିର୍ଯାତନା ଆଦି ଗୁରୁତର ଅଭିଯୋଗ ରହିଛି । ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମ୍ ମଙ୍ଗଳବାର କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଏହି ମାମଲାକୁ ନିଜ ହାତକୁ ନେବ ଏବଂ ଶାହଜାହାଁ ଏବଂ ମାମଲାର ବିଷୟବସ୍ତୁ ହସ୍ତାନ୍ତର କରିବା ପାଇଁ ବେଙ୍ଗଲ ପୁଲିସକୁ ଅପରାହ୍ନ ସାଢ଼େ ୪ଟା ପର୍ଯ୍ୟନ୍ତ ସମୟ ଦିଆଯିବ।