ପାହାଳରେ କଲିକତି ମେସିନ୍‌: ୧୦ ମିନିଟ୍‌ରେ ୧୦ କେଜି ରସଗୋଲା

ରସଗୋଲା ମିସ୍ତ୍ରିଙ୍କ ରୋଜଗାର ଛଡ଼ାଇନେବ!

ଭୁବନେଶ୍ବର: ଶିଳ୍ପ ବିପ୍ଳବ ଆରମ୍ଭ ହେବା ପରଠାରୁ ଯନ୍ତ୍ର ମଣିଷ ହାତରୁ ଶ୍ରମ ଛଡ଼ାଇବାରେ ଲାଗିଛି। ଏମିତିକି କୃଷି କ୍ଷେତ୍ରରୁ ମଧ୍ୟ ଯନ୍ତ୍ର କୃଷି ଶ୍ରମିକଙ୍କୁ ଛଟେଇ କରି ସାରିଛି। ଗୋଟିଏ ପଟେ ଯନ୍ତ୍ର ଉତ୍ପାଦନ ବୃଦ୍ଧି କରୁଛି ସିନା ଅନ୍ୟ ଦିଗରୁ ବେକାର ସଂଖ୍ୟା ବଢ଼ାଇ ମଣିଷକୁ ପଙ୍ଗୁ କରୁଥିବା ଭଳି ବିଲକ୍ଷଣ ବି ଜନବହୁଳ ସମାଜରେ ସୃଷ୍ଟି ହୋଇଛି। ଏବେ ଓଡ଼ିଶାର ରସ‌ଗୋଲା ବଜାରରେ ଯନ୍ତ୍ର ପ୍ରବେଶ କରି ରସଗୋଲା ମିସ୍ତ୍ରିଙ୍କ ହାତରୁ କାମ ଛଡ଼ାଇ ନେବାକୁ ବସିଛି। ପୂର୍ବରୁ କୋଲକାତା ବଜାରରେ ମେସିନ୍‌ ତିଆରି ରସଗୋଲା ମିଳୁଥିଲା। କିନ୍ତୁ ଗତ କିଛି ଦିନ ହେଲା ଓଡ଼ିଶାର ପାହାଳ ବଜାରକୁ ଏହି ଯନ୍ତ୍ର ଆସିସାରିଛି। ଫଳରେ ଏହି କଲିକତି ଯନ୍ତ୍ର ଓଡ଼ିଆ ରସଗୋଲା ମିସ୍ତ୍ରିଙ୍କ ମୁଣ୍ଡରେ ଚଡ଼କ ପକାଇଛି।‌ ମାତ୍ର ୧୦ ମିନିଟ୍‌ରେ ୧୦ କିଲୋ ରସଗୋଲା ତିଆରି କରି ପାରୁଥିବା ଯନ୍ତ୍ର ରସଗୋଲା ମିସ୍ତ୍ରିଙ୍କୁ ‌ବେକାର କରିବାକୁ ଯାଉଛି। ଯେଉଁ ପରିମାଣର ରସଗୋଲା ତିଆରି କରିବାକୁ ଜଣେ ଦକ୍ଷ ମିସ୍ତ୍ରି ଘଣ୍ଟାଏ ନେଉଥିଲେ, ଏହି କଲିକତି ଯନ୍ତ୍ର ସେତିକି କାମକୁ ମାତ୍ର ଅଳ୍ପ କିଛି ମିନିଟ୍‌ରେ କରିପାରୁଛି। ତେଣୁ ଅଧିକ ଲାଭ ଆଶାରେ ମିଠା ଦୋକାନୀମାନେ ମଧ୍ୟ ଏହି ଯନ୍ତ୍ର ବ୍ୟବହାର ପ୍ରତି ଆଗ୍ରହ କରୁଥିବା ଦେଖାଯାଉଛି।

ପାହାଳରେ ଅନ୍ନପୂର୍ଣ୍ଣା ମିଷ୍ଟାନ୍ନ ଭଣ୍ଡାର ପ୍ରଥମ କରି ଏହି ମେସିନ୍ ଆଣି ମିଠା ତିଆରି କରିବା ଆରମ୍ଭ କରିଛନ୍ତି। ଦୋକାନର ମାଲିକ ଲୋକନାଥ ସାହୁ କହିଛନ୍ତି ଯେ ପୁରୁଣାକାଳିଆ ଢାଞ୍ଚାରେ ମିସ୍ତ୍ରିମାନେ ହାତରେ ରସଗୋଲା ତିଆରି କରି ଅଧିକ ସମୟ ନେଉଥିଲେ। ତେଣୁ ବେପାରକୁ ଲକ୍ଷ୍ୟ କରି ଅଧିକ ମିସ୍ତ୍ରିଙ୍କୁ ନିୟୋଜିତ କରିବାକୁ ପଡ଼ୁଥିଲା। ସେମାନଙ୍କୁ ଦରମା ଦେବା ପରେ ମିଠା ବେପାରରୁ ଖୁବ୍ କମ୍‌ ଲାଭ ମିଳୁଥିଲା। କିନ୍ତୁ କଲିକତି ମେସିନ୍ ଆଣିବା ପରେ ଏହି ସମସ୍ୟା ନାହିଁ। ଜଣେ ମିସ୍ତ୍ରି ଯେତିକି ରସଗୋଲା ଏକ ଘଣ୍ଟାରେ ପ୍ରସ୍ତୁତ କରୁଥିଲେ ଏହି ମେସିନ୍ ସେତିକି ପରିମାଣର ରସଗୋଲା ତିଆରି କରିବାକୁ ମାତ୍ର ୧୦ ମିନିଟ୍‌ ନେଉଛି। ପ୍ରସ୍ତୁତି ପ୍ରଣାଳୀ ବି ବଡ଼ ସହଜ। ଫଳରେ କମ୍ ସମୟରେ ଅଧିକ ମିଠା ତିଆରି ହୋଇପାରୁଛି। ମିସ୍ତ୍ରି ମଜୁରି କମ୍ ପଡ଼ୁଥିବାରୁ ବେପାରରୁ ପୂର୍ବାପେକ୍ଷା ଭଲ ଦି’ପଇସା ଲାଭ ମିଳୁଛି। ମେସିନ୍‌ର ବିଦ୍ୟୁତ୍ ଶକ୍ତି ବ୍ୟୟ ବି କମ୍।

ଏହି ମେସିନ୍‌ରେ ଗୁଲାବଜାମୁନ୍‌, ଡାଲିଆ, ଲେମଚା ଭଳି ଅନ୍ୟ ମିଠା ବି ପ୍ରସ୍ତୁତ ହୋଇପାରିବ। ଏବେ କେବଳ ରସଗୋଲା କରୁଛୁ ଓ ଆଗକୁ ଅନ୍ୟ ମିଠା କରିବୁ ବୋଲି ଶ୍ରୀ ସାହୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦୈନିକ ତାଙ୍କ ଦୋକାନରୁ ୫୦ କିଲୋରୁ ଅଧିକ ରସଗୋଲା ବିକ୍ରି ହେଉଥିଲା ଓ ହାତରେ ତିଆରି କରିବା ବିଳମ୍ବ ହେଉଥିଲା। ତେଣୁ ବହୁ ସମୟରେ ସେ ବରାଦ ଅନୁସାରେ ଗ୍ରାହକଙ୍କୁ ମାଲ୍ ଦେଇ ପାରୁନଥିଲେ। କିନ୍ତୁ ଏବେ ସେ ସମସ୍ୟା ନାହିଁ। ସେହିଭଳି ବହୁ ସମୟରେ ମିସ୍ତ୍ରିମାନେ ହଇରାଣ କରୁଥିଲେ। କିନ୍ତୁ ଏବେ ମେସିନ୍ ଲଗାଇବା ପରେ ସେ ସମସ୍ୟା ବି ନାହିଁ। ବଡ଼ କଥା ହେଉଛି ମେସିନ୍‌ ତିଆରି ରସଗୋଲା ପୂରା ଗୋଲ୍‌ଗାଲ ହେଉଛି ଓ ଖୁବ୍ ସୁନ୍ଦର ମଧ୍ୟ ଦେଖାଯାଉଛି। ତେଣୁ ଗ୍ରାହକମାନଙ୍କ ଆଗ୍ରହ ବଢ଼ୁଛି। ସାଇଜ୍ ଅନୁସାରେ ରସଗୋଲା ତିଆରି କରିବା ପାଇଁ ମେସିନ୍‌ର ବିଭିନ୍ନ ଛାଞ୍ଚ ରହିଛି। ମୋଟାମୋଟି ଭାବେ କମ୍ ଶ୍ରମିକ ଓ ଶ୍ରମରେ ଏବେ ଅଧିକ ଲାଭ ମିଳିବ ବୋଲି ଶ୍ରୀ ସାହୁ କହିଛନ୍ତି।

ତେବେ ମେସିନ୍‌କୁ ନେଇ ଚିନ୍ତାରେ ପଡ଼ିଛନ୍ତି ବହୁ ରସଗୋଲା ମିସ୍ତ୍ରି। ପାହାଳ ବଜାରସ୍ଥିତ ଦୁଃଶାସନ ପ୍ରଧାନଙ୍କ ଦୋକାନର ଜଣାଶୁଣା ମିସ୍ତ୍ରି ରାମେଶ୍ବରଙ୍କ କହିବା କଥା କଲିକତି ମେସିନ୍‌ ସେମାନଙ୍କ ଦାନାପାଣି ମାରିବାକୁ ବସିଛି। ଦୋକାନ ମାଲିକମାନେ ଏମିତି ମେସିନ୍‌ ବସାଇଲେ, ସେମାନେ ରୋଜଗାର ହରାଇବେ ବୋଲି ରାମେଶ୍ବର କହିଛନ୍ତି।

ସମ୍ବନ୍ଧିତ ଖବର