ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଦିଲ୍ଲୀରେ ଆପ୍ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ଏବଂ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ। ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କ ସମର୍ଥନରେ ଜାତୀୟ ରାଜଧାନୀରେ ଏକ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, କେଜ୍ରିୱାଲ କଂଗ୍ରେସର ବଟନ୍‌ ଦବାଇବେ ଏବଂ ମୁଁ ଆପ୍ ବଟନ୍ ଦବାଇବି। ଏହା କଂଗ୍ରେସ-ଆପ୍‌ ଏକତାର ନୂଆ ଅଧ୍ୟାୟ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀର ସମସ୍ତ ସାତଟି ଲୋକସଭା ଆସନରେ କଂଗ୍ରେସ ଏବଂ ଆପ୍ କର୍ମକର୍ତ୍ତାମାନେ ମିଳିତ ଭାବେ ପ୍ରଚାର କରିବାକୁ ରାହୁଲ ଆହ୍ବାନ ଦେଇଛନ୍ତି। ଦିଲ୍ଲୀକୁ ‘ବ୍ରଦରହୁଡ୍ କ୍ୟାପିଟାଲ’ ବୋଲି ଉଲ୍ଲେଖ କରି ରାହୁଲ କହିଛନ୍ତି ଯେ ଏଠାରେ ଆପ୍‌ ଓ କଂଗ୍ରେସର ମେଣ୍ଟ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଦେଇଛି।

Advertisment

ନିଜ ଭାଷଣରେ ରାହୁଲ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ବିତର୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ପୂର୍ବତନ କଂଗ୍ରେସ ମୁଖ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଯେତେବେଳେ ଚାହିବେ ତାଙ୍କ ସହ ବିତର୍କ କରିବାକୁ ମୁଁ ପ୍ରସ୍ତୁତ ଅଛି, କିନ୍ତୁ ମୁଁ ନିଶ୍ଚିତ ଯେ ସେ ଆସିବେ ନାହିଁ। ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁର ଓ ଅଜିତ ପି ଶାହା ଏବଂ ବରିଷ୍ଠ ସାମ୍ବାଦିକ ଏନ୍ ରାମ ନିକଟରେ ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଲୋକସଭା ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ଉପରେ ବିତର୍କ ପାଇଁ ଆମନ୍ତ୍ରଣ କରିଥିଲେ।