ଦେଖନ୍ତୁ ଭିଡିଓ- ସାର୍‌ ନୁହେଁ, ମତେ ରାହୁଲ୍‌ ଡାକ: ଚେନ୍ନାଇ କଲେଜରେ ଝିଅମାନଙ୍କୁ କହିଲେ ରାହୁଳ ଗାନ୍ଧୀ

ଚେନ୍ନାଇ: ‘‘ସାର୍‌ ପରିବର୍ତ୍ତେ ମତେ ତୁମେ ରାହୁଲ୍‌ ଡାକି ପାରବ? ଏଇଟା ମତେ ଭଲ ଲାଗେ।’’ ଜଣେ କଲେଜ ଛାତ୍ରୀ ପ୍ରଶ୍ନ ପଚାରିବାକୁ ‘ସାର୍‌’ ବୋଲି ସମ୍ବୋଧନ କରିବାରୁ ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏ କଥା କହିଥିଲେ। ଏବଂ ଉପସ୍ଥିତ ଶିକ୍ଷାର୍ଥୀମାନେ ବଡ଼ ପାଟିରେ ଏକଥାକୁ ସମର୍ଥନ ଜଣାଇଥିଲେ।

ଆଗାମୀ ନିର୍ବାଚନ ଉପଲକ୍ଷେ ସଚେତନତା ଅଭିଯାନର ଅଂଶସ୍ୱରୂପ ବୁଧବାର ଦିନ ରାହୁଳ ଗାନ୍ଧୀ ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜକୁ ଯାଇଥିଲେ। ମହିଳା ମହାବିଦ୍ୟାଳୟରେ ଭାଷଣ ଦେବା ପାଇଁ ସେ କୁର୍ତ୍ତା ପାଇଜାମା ପରିବର୍ତ୍ତେ ପିନ୍ଧିଥିଲେ ଧୂସରଟି-ସାର୍ଟ ଓ ହଳେ ଡେନିମ୍‌ ଜିନ୍‌ସ୍‌।

ଷ୍ଟେଲା ମେରିସ୍‌ରେ ପହଞ୍ଚିବା ପରେ ତଳେ ବସିଥିବା ଝିଅମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ରାହୁଳ ମଞ୍ଚ ଉପରକୁ ଉଠି ଯାଇଥିଲେ।

ଝିଅଟିଏ ପ୍ରଶ୍ନ ଆରମ୍ଭ କରି କହିଥିଲା ‘ହାଏ ସାର୍‌’। ରାହୁଳ ବାଧା ଦେଇ କହିଥିଲେ, ‘‘ସାର୍‌ ପରିବର୍ତ୍ତେ ମତେ ରାହୁଳ ଡାକି ପାରିବ? ଏଇଟା ମତେ ଭଲ ଲାଗେ। ଏ କଥା ଶୁଣି ଖୁସିରେ ଉଚ୍ଛୁଳି ଉଠିଲେ ଶ୍ରୋତାମାନେ। ହଡ଼ବଡ଼େଇ ଯାଇ ଫାଇନ୍‌ ଆର୍ଟ ପଢୁଥିବା ଆଜ୍‌ରା ନାମକ ସେ ଝିଅଟି ନିଠେଇ କରି ‘ରାହୁଲ୍‌’ କହି ତା’ର ପ୍ରଶ୍ନ ପଚାରି ଥିଲା।

ପ୍ରଶ୍ନଟି ଥିଲା ଏମିତି: ‘ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ’ ଉତ୍କଟ ଅର୍ଥ ସମସ୍ୟାର ସମ୍ମୁଖୀନ ହେଉଛି। ଏ ବିଷୟରେ ଆମେ କ’ଣ କରି ପାରିବା?

ରାହୁଳ ଉତ୍ତର ଦେଇ ଥିଲେ: ଆମେ ଜାଣିଛେ ଭାରତ ଶିକ୍ଷା ଉପରେ କମ୍‌ ଖର୍ଚ୍ଚ କରୁଛି, ଆମର ଲକ୍ଷ୍ୟ ୬%। ଖାଲି ଶିକ୍ଷାରେ ଟଙ୍କା ଖର୍ଚ୍ଚ କରିବା କଥା ନୁହେଁ, ଶିକ୍ଷାରେ ସ୍ୱାଧୀନତା କଥା ମଧ୍ୟ। ଆମର ସମସ୍ତ ଶିକ୍ଷାନୁଷ୍ଠାନ ଆମକୁ ଆହ୍ଵାନ ଦେବାକୁ ସମର୍ଥ ହେବା ଉଚିତ।

ଏହି ଘଟଣାର ଭିଡିଓକୁ ଗତକାଲି ସୁଦ୍ଧା ସାମାଜିକ ଗଣମାଧ୍ୟମରେ ୮୦୦ ଥର ଟୁଇଟ୍‌ କରାଯିବା ସହ ୨, ୫୦୦ ଲୋକଙ୍କ ଦ୍ୱାରା ଲାଇକ୍‌ ପାଇଛି।

ସରଳତା ଲାଗି କେତେକ ଟୁଇଟ୍‌ ବ୍ୟବହାରକାରୀ ରାହୁଳଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର