ନୂଆଦିଲ୍ଲୀ: ଡିପ୍ଫେକ୍ (ନକଲି ଚିତ୍ର) ସମସ୍ୟା ରୋକିବା ଲାଗି କେନ୍ଦ୍ର ସରକାର କଠୋର ଆଇନ ଆଣିବେ। ଡିପ୍ଫେକ୍ ଫଟୋ, ଭିଡିଓ କିମ୍ବା ଅଡିଓ ଅପ୍ଲୋଡ୍ କରୁଥିବା ବ୍ୟକ୍ତି, ସଂସ୍ଥା ଏବଂ ପ୍ରସାର କରୁଥିବା ସାମାଜିକ ଗଣମାଧ୍ୟମ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ। ସେମାନଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଗାଇବାକୁ ସରକାର ବିଚାର କରୁଛନ୍ତି। ଆସନ୍ତା ୧୦ ଦିନ ଭିତରେ ଏ ସଂକ୍ରାନ୍ତରେ ଠୋସ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ସୂଚନା ଦେଇଛନ୍ତି।
ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ କାଜୋଲଙ୍କ ପରେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଡିପ୍ଫେକ୍ ସମସ୍ୟାର ଶିକାର ହେବା ପରେ ସରକାର ଏହି ସମସ୍ୟାକୁ ଗମ୍ଭୀରତା ସହ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ମାନସମନ୍ଥନ ଆରମ୍ଭ ହୋଇଛି।
ସାମାଜିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଭେଟି କେନ୍ଦ୍ର ଆଇଟି ମନ୍ତ୍ରୀ ଆଜି ଆଲୋଚନା କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ଡିପ୍ଫେକ୍ ଏକ ବହୁତ ବଡ଼ ସମସ୍ୟା। ଏହାକୁ ସବୁ ବର୍ଗ ସ୍ବୀକାର କରିଛନ୍ତି। ଏହାର ମୁକାବିଲା ଲାଗି କଠୋର ଆଇନ ଆବଶ୍ୟକ ପଡ଼ୁଛି। ଏ ନେଇ ସବୁ ଅଂଶୀଦାରମାନେ ଏକମତ ହୋଇଛନ୍ତି। ଆଇନ ନ ଆସିବା ପର୍ଯ୍ୟନ୍ତ ସାମାଜିକ ଗଣମାଧ୍ୟମଗୁଡ଼ିକ ନିଜ ଦାୟିତ୍ବ ନିର୍ବାହ କରି ଡିପ୍ଫେକ୍ ରୋକିବା ଲାଗି ଉଦ୍ୟମ କରିବାକୁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ଏହି ଅବସରରେ କହିଥିଲେ।
ଡିପ୍ଫେକ୍ ଗଣତନ୍ତ୍ର ପ୍ରତି ବିପଦ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଆହୁରି କହିିଲେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ବ୍ୟବହାର କରି ପ୍ରସ୍ତୁତ କରାଯାଉଥିବା ନକଲି ଭିଡିଓ, ଛବି ଓ ଅଡିଓ ହେଉଛି ଡିପ୍ଫେକ୍। ଏଥିରେ ଯେ କୌଣସି ବ୍ୟକ୍ତିଙ୍କ ପରିଚୟ, ଚେହେରା ଓ ସ୍ବରକୁ ନକଲ କରାଯାଇପାରୁଛି। ଡିପ୍ଫେକ୍ ଭିଡିଓ ଦେଖିବାକୁ ଅସଲି ଲାଗିବ, କିନ୍ତୁ ତାହା ନକଲି। ଏଭଳି ଭିଡିଓ ହିଂସା ସୃଷ୍ଟି, ମିଥ୍ୟା ଖବର ପ୍ରଚାର ଏବଂ ନିର୍ବାଚନ ସମୟରେ ଭୋଟରଙ୍କୁ ବିଭ୍ରାନ୍ତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ମହିଳାମାନଙ୍କ ପ୍ରତି ଅଧିକ ବିପଦ ରହିଛି। ସେମାନଙ୍କ ଚେହେରାକୁ ନେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରାଯିବା ଦ୍ବାରା ସେମାନଙ୍କ ସମ୍ମାନ ପ୍ରତି ବଡ଼ ବିପଦ ଦେଖାଦେଉଛି।
ଆଜି ସାମାଜିକ ଗଣମାଧ୍ୟମ ଓ ବିଭିନ୍ନ ସଂଘର ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ବୈଷ୍ଣବ କହିଥିଲେ, ସମାଜ ଓ ସାମାଜିକ ଅନୁଷ୍ଠାନଗୁଡ଼ିକ ଉପରେ ଲୋକମାନଙ୍କ ରହିଥିବା ବିଶ୍ବାସକୁ ଡିପ୍ଫେକ୍ ଦୁର୍ବଳ କରିବା ଆଶଙ୍କା ରହିଛି। ଏହାର ମୁକାବିଲା ଲାଗି ଆଜିଠାରୁ ଏକ ନୂଆ ଆଇନ ପ୍ରସ୍ତୁତ କରାଯିବ। ଖୁବ୍ କମ୍ ସମୟ ଭିତରେ ତାହା ତିଆରି ହେବ। ଆଜିର ବୈଠକରେ ଅଂଶଗ୍ରହଣ କରିଥିବା ପ୍ରତିଟି ଅଂଶୀଦାର ଡିପ୍ଫେକ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଡିପ୍ଫେକ୍କୁ ଚିହ୍ନଟ କରିବା ଲାଗି ପ୍ରଯୁକ୍ତି ଯୋଗାଇ ଦେବାକୁ ସାମାଜିକ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହମତ ହୋଇଥିଲେ। ସାମାଜିକ ଗଣମାଧ୍ୟମର ପ୍ରସାର ଲାଗି ଡିପ୍ଫେକ୍ ଭିଡିଓ ଏବେ ଦ୍ରୁତ ଗତିରେ ପ୍ରସାରିତ ହୋଇପାରୁଛି। କିଛି କ୍ଷଣରେ ତାହା ଭାଇରାଲ ହୋଇଯାଉଛି। ସମାଜ ଓ ଗଣତନ୍ତ୍ର ଉପରେ ଲୋକମାନଙ୍କ ରହିଥିବା ବିଶ୍ବାସକୁ ବଜାୟ ରଖିବା ଲାଗି ଏହାର ଜରୁରୀକାଳୀନ ମୁକାବିଲା ନିହାତି ଆବଶ୍ୟକ ହୋଇପଡ଼ିଛି। ଡିପ୍ଫେକ୍କୁ ନେଇ ପରବର୍ତ୍ତୀ ବୈଠକ ଡିସେମ୍ବରରେ ବସିବ।