ମୁମ୍ବାଇ: ସାଇରସ୍ ମିସ୍ତ୍ରୀଙ୍କ ପରି ଦଶା ହେବ ବୋଲି ‘ଟାଟା ସନ୍ସ୍’ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କୁ ଟେଲିଫୋନ୍ରେ ଧମକ ଦେଇଥିବା ଜଣେ ‘ଏମ୍ବିଏ’ ସ୍ନାତକଙ୍କୁ ଚିହ୍ନଟ ବା ‘ଟ୍ରାକ୍ ଡାଉନ୍’ କରିବାରେ ସଫଳ ହୋଇଥିବା କଥା ମୁମ୍ବାଇ ପୁଲିସ କହିଛି।
ପୁଲିସ କହିଛି ଯେ, ଉକ୍ତ ଅଜ୍ଞାତ ଫୋନ୍କାରୀ ମାନସିକ ରୋଗରେ ପୀଡ଼ିତ। ମୁମ୍ବାଇ ପୁଲିସର ଜଣେ ଅଧିକାରୀ କହିଛନ୍ତି, ଫୋନ୍ କରିଥିବା ବ୍ୟକ୍ତିଜଣକ ରତନ ଟାଟାଙ୍କ ସୁରକ୍ଷା ବୃଦ୍ଧି କରିବା ଲାଗି ସରକାରୀ କର୍ତ୍ତୃପକ୍ଷମାନଙ୍କୁ ନିବେଦନ କରିଥିଲେ। ତାହା ନ କଲେ ସାଇରସ୍ ମିସ୍ତ୍ରୀଙ୍କ ଭଳି ଦଶା ହେବ ବୋଲି ଧମକ ଦେଇଥିଲେ।
ସୂଚନାଯୋଗ୍ୟ, ୨୦୨୨ ସେପ୍ଟେମ୍ବର ୪ ତାରିଖରେ କାର୍ ଦୁର୍ଘଟଣାରେ ‘ଟାଟା ସନ୍ସ୍’ର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।
ଧମକ କଲ୍ ପାଇବା ପରେ ମୁମ୍ବାଇ ପୁଲିସ ରତନ ଟାଟାଙ୍କ ସୁରକ୍ଷା ପାଇଁ ଏକ ବିଶେଷ ଟିମ୍ ଗଠନ କଲା। ତା’ସହ ଫୋନ୍ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ତାଙ୍କ ବିଷୟରେ ଅଧିକ ସୂଚନା ସଂଗ୍ରହ ପାଇଁ ଆଉ ଗୋଟାଏ ଟିମ୍ ଗଠନ କରାଗଲା।
ଫୋନ୍ କରିଥିବା ସେ ବ୍ୟକ୍ତି କର୍ଣ୍ଣାଟକରେ ଥିବା କଥା ପୁଲିସ ଜାଣିବା ସହିତ ସେ ପୁଣେର ବାସିନ୍ଦା ବୋଲି ମଧ୍ୟ ଚିହ୍ନଟ କଲା। ଏଥିରେ ପୁଲିସକୁ ସହଯୋଗ କରିଥିଲା ଏକ ‘ଟେଲିକମ୍ୟୁନିକେସନ୍ ସର୍ଭିସ୍’ ଯୋଗାଣକାରୀ।
ପୁଣେର ସେ ବ୍ୟକ୍ତିଙ୍କ ବାସଭବନରେ ପହଞ୍ଚି ପୁଲିସ ଜାଣିଲା ଯେ, ଗତ ୫ ଦିନ ହେବ ସେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଏ ବିଷୟରେ ଭୋସାରି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରକୁ ପଚରା ଉଚରା କରିବା ପରେ ତଦନ୍ତକାରୀ ଟିମ୍ ଜାଣିଲେ ଯେ, ସେ ବ୍ୟକ୍ତଜଣକ ମାନସିକ ରୋଗରେ ପୀଡ଼ିତ। ଧମକ କଲ୍ କରିବା ପାଇଁ ସେ ଅନ୍ୟ ଜଣକ ଘରୁ ଫୋନ୍ ଆଣିଥିଲେ। ସେ ମାନସିକ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ପୁଲିସ ସ୍ଥିର କରିଛି।