ଲକ୍ଷ୍ନୌ: ‘ଅନେକ ସ୍ଥାନରେ ବହୁତ ବଡ଼ ନେତା ନିର୍ବାଚନ ଲଢ଼ୁଛନ୍ତି। ସୁଲତାନପୁର ହେଉଛି ଏଭଳି ଏକମାତ୍ର ସଂସଦୀୟ କ୍ଷେତ୍ର ଯେଉଁଠାରେ କୌଣସି ବ୍ୟକ୍ତି ‌ଏଠାକାର ସାଂସଦଙ୍କୁ ମନ୍ତ୍ରିଜୀ, ସାଂସଦଜୀ କିମ୍ବା ‌ନାମ ଧରି ଡାକନ୍ତି ନାହିଁ। ସମସ୍ତେ ‘ମା’ ବୋଲି ଡାକନ୍ତି’ ବୋଲି କହିଛନ୍ତି ବିଜେପିର ଅସନ୍ତୁଷ୍ଟ ନେତା ବରୁଣ ଗାନ୍ଧୀ। ନିଜ ମା’ ତଥା ସୁଲତାନପୁରର ବିଜେପି ପ୍ରାର୍ଥୀ ମେନକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ସଭାରେ ଯୋଗ ଦେଇ ବରୁଣ ଗାନ୍ଧୀ ଏଭଳି ମତ ରଖିଛନ୍ତି। ନିଜ ଉଦ୍‌ବୋଧନରେ ବରୁଣ ସମାଜରେ ଏକ ମା’ର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରି କହିଛନ୍ତି ଯେ ମା’ ଏକ ଦୈବୀ ଶକ୍ତି ଭାବେ ପରିଗଣିତ ହୁଅନ୍ତି। ଭଗବାନଙ୍କ ସହ ସେ ସମକକ୍ଷ। କାରଣ ଆବଶ୍ୟକ ସମୟରେ ସମଗ୍ର ବିଶ୍ବ ହୁଏତ ତୁମ ସହ ଠିଆ ହୋଇପାରେ କିମ୍ବା ନହୋଇପାରେ, କିନ୍ତୁ ମା’ କଦାପି ତୁମ ସାଥୀ ଛାଡ଼େ ନାହିଁ।

Advertisment

ସୂଚନାଯୋଗ୍ୟ, ବରୁଣ ଗାନ୍ଧୀ ଉତ୍ତରପ୍ରଦେଶର ପିଲ୍‌ଭିଟ୍‌ ଲୋକସଭା କ୍ଷେତ୍ରରୁ ବିଜେପି ସାଂସଦ ଭାବେ ୨୦୧୯ରେ ଜିତିଥିଲେ। ଚଳିତ ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନାହିଁ। ଦଳ ବିରୋଧରେ ଲଗାତାର ବୟାନ ଦେବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରଥମେ, ବରୁଣ ବିଜେପି ଛାଡ଼ି ଅନ୍ୟ ଦଳରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ସୁଲତାନପୁରରେ ନିଜ ମା’ଙ୍କ ପାଇଁ ପ୍ରଚାର କରିବେ ବୋଲି କହିଥିଲେ। ଅନ୍ୟପକ୍ଷରେ, ବରୁଣଙ୍କୁ ଟିକଟ ନମିଳିବା ପ୍ରତିକ୍ରିୟାରେ ମେନକା କହିଥିଲେ ଯେ ସେ କେବଳ ତାଙ୍କ ପୁଅକୁ ଖୁସୀ ଦେଖିବା ଚାହାନ୍ତି ।