ପାଟନା: ପାଟନା ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ହାଇକୋର୍ଟ କହିଛନ୍ତି ସ୍ତ୍ରୀଙ୍କୁ ଭୁତ,ପିଶାଚ କହିବା ଆଇପିସି ଧାରା ୪୯୮-ଏ ଅନୁସାରେ ଅପରାଧ ନୁହେଁ। ଏହାକୁ କ୍ରୁରତା କୁହାଯାଇ ପାରିବ ନାହିଁ। ବିଚାରପତି ବିବେକ ଚୌଧୁରୀ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ 'ଭୂତ' ଏବଂ 'ପିଶାଚ' ବୋଲି କହିବା ଦ୍ୱାରା ତାଙ୍କୁ ଦୁର୍ବ୍ୟବହାର କରାଯାଇଛି ବୋଲି କହିବା ଅବା ତାଙ୍କ ପ୍ରତି କ୍ରୁରତା ପ୍ରଦର୍ଶନ କରାଯାଇଛି ବୋଲି କହିବା ଅଭିଯୋଗକୁ କୋର୍ଟ ଗ୍ରହଣ କରିବେ ନାହିଁ। ଦାଖଲ ହୋଇଥିବା ଏକ ସଂଶୋଧନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହା କହିଥିଲେ।
ଏହି ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କ ଶ୍ୱଶୁରଙ୍କ ଦ୍ବାରା ଦାଖଲ କରାଯାଇଥିଲା। ଅଭିଯୋଗ କରାଯାଇଥିଲା ଅଭିଯୁକ୍ତ ପତ୍ନୀଙ୍କୁ ବାପଘରୁ ମାରୁତି କାର ଆଣିବାକୁ କହିଥିଲେ। କାର ଦେବାରେ ଅସମର୍ଥତା ଯୋଗୁ ତାଙ୍କ ଝିଅଙ୍କୁ ମାରପିଟ୍ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଏହି ସବୁ ଘଟଣା ମହିଳା ତାଙ୍କ ବାପାଙ୍କୁ କେତେକ ଚିଠି ମାଧ୍ୟମରେ ଜଣାଇ ଥିଲେ। ପରବର୍ତ୍ତୀ ସମୟରେ,ଟ୍ରାଏଲ କୋର୍ଟ ମହିଳାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ଦୋଷୀ ସାବ୍ୟସ୍ତ କରି ସେମାନଙ୍କୁ ଆଇପିସିର ଧାରା ୪୯୮-ଏ ଅନୁଯାୟୀ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ ଏବଂ ଯୌତୁକ ନିଷେଧ ଆଇନର ଧାରା ୪ ଅନୁଯାୟୀ ୬ ମାସ ଜେଲ୍ ଦଣ୍ଡାଦେଶ ଏବଂ ୧୦୦୦ ଟଙ୍କା ଜୋରିମାନା କରିଥିଲେ।
ଏହି ଆଦେଶକୁ ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ମହିଳାଙ୍କ ପିତା କୋର୍ଟଙ୍କୁ କହିଥିଲେ ଆବେଦନକାରୀ ମହିଳାଙ୍କୁ “ଭୂତ” ଏବଂ “ପିଶାଚ” ବୋଲି କହୁଥିଲେ। ସେ ଯୁକ୍ତି କରିଥିଲେ ଯେ ଏହା ଅତ୍ୟନ୍ତ ନିଷ୍ଠୁର କାର୍ଯ୍ୟ। ସେ ଆହୁରି ମଧ୍ୟ ଯୁକ୍ତି ବାଢ଼ିଥିଲେ ରିଭିଜନାଲ କୋର୍ଟର ତଥ୍ୟର ଏକକାଳୀନ ଅନୁସନ୍ଧାନ ଉପରେ ବିଚାର କରିବା ପାଇଁ କୌଣସି ଅଧିକାର ନାହିଁ ଏବଂ ଶୁଣାଣି ସମୟରେ ସମସ୍ତ ସାକ୍ଷୀ ଅଭିଯୋଗକାରୀଙ୍କ ପ୍ରମାଣକୁ ପ୍ରମାଣ କରିଛନ୍ତି। ଅଦାଲତ ପ୍ରଥମେ କହିଥିଲେ ଅନ୍ୟାୟ ମାମଲାରେ ଅପରାଧିକ ମାମଲାକୁ ଖାରଜ କରିବା ପାଇଁ ସିଆରପିସିର ଧାରା ୪୮୨ଅନୁଯାୟୀ ଏହାର ଅନ୍ତର୍ନିହିତ କ୍ଷମତା ପ୍ରୟୋଗ କରିବାରେ କୌଣସି ପ୍ରତିବନ୍ଧକ ନାହିଁ।
ମାମଲାର ବିଚାର କରିବା ପରେ ହାଇକୋର୍ଟ କହିଛନ୍ତି ଅଭିଯୋଗକାରୀଙ୍କ ଦ୍ବାରା ଦର୍ଶାଯାଇଥିବା ଚିଠି ଶୁଣାଣି ସମୟରେ ଦାଖଲ କରାଯାଇ ନାହିଁ। କାହାକୁ "ଭୂତ" ଏବଂ "ପିଶାଚ" ବୋଲି କହିବା ଏକ ନିଷ୍ଠୁର କାର୍ଯ୍ୟ ନୁହେଁ।
ଏଥିସହ କୋର୍ଟ କହିଛନ୍ତି ଆବେଦନକାରୀ ଏବଂ ଅଭିଯୋଗକାରୀଙ୍କ ଝିଅ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା ଏବଂ ଯୌତୁକ ଦାବି କିମ୍ବା ପରବର୍ତ୍ତୀ କ୍ରୁରତା ପ୍ରମାଣ କରିବାକୁ ଅଭିଯୋଗକାରୀଙ୍କ ଦ୍ବରା କୌଣସି ଉପଯୁକ୍ତ ପ୍ରମାଣ ଦାଖଲ କରାଯାଇ ନାହିଁ। ତେଣୁ ବ୍ୟକ୍ତିଗତ ଅସନ୍ତୋଷ ଏବଂ ଦୁଇ ପକ୍ଷଙ୍କ ମଧ୍ୟରେ ମତଭେଦ ଯୋଗୁ ଏହି ମାମଲା ଘଟିଥିବା ଜଣାପଡୁଛି।
ନିର୍ଦ୍ଦିଷ୍ଟ ଅଭିଯୋଗର ପ୍ରମାଣର ଅନୁପସ୍ଥିତି ଏବଂ ଅଭିଯୋଗ ଆଧାରରେ ଆଗକୁ ବିଚାର କରିବାର କୌଣସି ନିର୍ଦ୍ଦିଷ୍ଟ ଆଧାର ନ ଥିବା କୋର୍ଟ ଆବେଦନକାରୀଙ୍କ ସହ ସହମତ ହୋଇଥିଲେ। ତଦନୁସାରେ, ବେଞ୍ଚ୍ ସଂଶୋଧନ ଆବେଦନକୁ ଅନୁମତି ଦେଇ ଟ୍ରାଏଲ କୋର୍ଟ ଦ୍ୱାରା ଦିଆଯାଇଥିବା ଦୋଷୀ ଏବଂ ଦଣ୍ଡର ଆଦେଶକୁ ଖାରଜ କରିଛନ୍ତି।