ନୂଆଦିଲ୍ଲୀ: ଲୋକଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ସଚେତନ କରିବା ଲାଗି କେବଳ ସଚେତନତା ଅଭିଯାନ କଲେ ହେବ ନାହିଁ। ଏଥିସହିତ ଲୋକମାନେ କିଭଳି ଆଇନଗତ ସହାୟତା ପାଇବେ ସେ ନେଇ ଅଭିଯାନ କରିବାକୁ ହେବ। ଏପରିକି ଆଇନ କେବଳ ସମାଜର ସ୍ବଚ୍ଛଳ ବର୍ଗର ଲୋକଙ୍କର ବୋଲି ଯେଉଁ ଧାରଣା ରହିଛି ତାହାକୁ ଦୂର କରିବା ପାଇଁ ମଧ୍ୟ ଅଭିଯାନ‌ରେ ଧ୍ୟାନ ଦେବା ଆବଶ୍ୟକ। ଗ୍ରାମାଞ୍ଚଳ ଏବଂ ସାମାଜିକ ଦୃଷ୍ଟିରୁ ଖରାପ ସ୍ଥିତିରେ ଥିବା ଲୋକଙ୍କ ‘‘ଆଇନଗତ ସହାୟତାର ଉପଲବ୍ଧତା: ଦକ୍ଷିଣ ବିଶ୍ବରେ ନ୍ୟାୟର ଉପଲବ୍ଧତାକୁ ମଜଭୁତ କରିବା’’ ଶୀର୍ଷକରେ ଆୟୋଜିତ ପ୍ରଥମ ଆଞ୍ଚଳିକ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗଦେଇ ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହା କହିଛନ୍ତି।

Advertisment

ଏହି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରା‌ଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ନ୍ୟାୟିକ ସହାୟତାକୁ ଅପେକ୍ଷା କରିଥିବା ଲୋକଙ୍କୁ ଏହା ଉପଲବ୍ଧ କରାଇବା ହେଉଛି ଯେକୌଣସି ଆଧୁନିକ ରାଷ୍ଟ୍ରର ଆଧାରଶୀଳା। ସମ୍ମିଳନୀରେ ଗ୍ଲୋବାଲ ସାଉଥ୍‌ରୁ ୬୯ଟି ଆଫ୍ରିକୀୟ-ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦେଶର ପ୍ରତିନିଧି ଯୋଗ ଦେଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ। ତେଣୁ ଏ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ଆମର ପ୍ରମୁଖ କାର୍ଯ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି। ଏହି ଦୁଇଦିନିଆ ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।