‘ଜୟ ଜଗନ୍ନାଥ’ ଧ୍ବନିରୁ ଆରମ୍ଭ ହୋଇଥିଲା ରାହୁଲକୁ ବଞ୍ଚାଇବା ଅଭିଯାନ, ଏକଦା ବଡ଼ଦାଣ୍ଡରେ ହଜି ଯାଇଥିଲେ ସେ

ରାୟପୁର: ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିିହରିଡ଼୍‌ ଗାଁରେ ରାହୁଲ ସାହୁଙ୍କ ଘର। ବୟସ ମାତ୍ର ୧୦ବର୍ଷ। ଗତ ଶୁକ୍ରବାର ଅପରାହ୍ନ ୪ଟା ପାଖାପାଖି ଘର ପଛପାଖରେ ଥିବା ଏକ ପରିତ୍ୟକ୍ତ ବୋରୱେଲ ଗର୍ତ୍ତ ଭିତରେ ଖସିପଡ଼ିଥିଲେ। ଏହି  ୮୦ ଫୁଟ୍‌ ଗଭୀର ଗର୍ତ୍ତରେ ପଡ଼ି ସେ ସେ ଜୀବନ ସହିତ ସଂଗ୍ରାମ କରୁଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀବଘେଲ ଏହାକୁ ଗୁରୁତ୍ବର ସହିତ ନେଇ ଅପରେସନ କାର୍ଯ୍ୟକୁ ନିଜେ ପରିଚାଳନା କରିଥିଲେ। ସ୍ଥାନୀୟ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଅପରେସନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏକ୍ସପର୍ଟ ଟିମ୍‌ ସାମିଲ ହୋଇଥିଲେ।

୫ଦିନ ଧରି ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ହୋଇଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ସୁରକ୍ଷିତ ଭାବେ ରାହୁଲଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ବିଲାସପୁରସ୍ଥିତ ଆପୋଲୋ ହସ୍ପିଟାଲରେ ରାହୁଲଙ୍କ ଚିକିତ୍ସା ଚାଲିଥିବା ବେଳେ ଉଦ୍ଧାରକାର୍ଯ୍ୟ ନେଇ ଗୁରୁତ୍ବପୂର୍ଣ୍ଣ କଥା ସାମ୍ନାକୁ ଆସିଛି। ଯେତେବେଳେ ରାହୁଲ ବୋର୍‌ୱେଲ୍‌ ମଧ୍ୟକୁ ଖସିପଡ଼ିଥିବାର ଖବର ପାଇ ‘ନ୍ୟାସ୍‌ନାଲ୍‌ ଡିଜା‌ଷ୍ଟର୍‌ ରେସ୍‌ପନ୍ସ୍‌ ଫୋର୍ସ’ (ଏନ୍‌ଡିଆର୍‌ଏଫ୍‌) କର୍ମଚାରୀ, ସେନା ଏବଂ ସ୍ଥାନୀୟ ପୁଲିସଙ୍କ ସମେତ ପ୍ରାୟ ୫୦୦ କର୍ମଚାରୀ ଉଦ୍ଧାର ପାଇଁ ପହଞ୍ଚିଥିଲେ, ସେତେବେଳେ ବୋର୍‌ୱେଲର ସ୍ଥିତି ଦେଖି ଚିନ୍ତାରେ ପଡ଼ିଯାଇଥିଲେ। ମାଟି ଅପେକ୍ଷା ପଥର ଅଧିକ ଥିବ‌ାରୁ ରାହୁଲଙ୍କୁ ଉଦ୍ଧାର କରିବା ଏକ ପ୍ରକାର ଅସମ୍ଭବ ବୋଲି ଜଣାପଡ଼ୁଥିଲା। ହେଲେ ଏହି ସମୟରେ ସମସ୍ତଙ୍କୁ ସାହସ ଦେଇଥିଲେ ପ୍ରଭୁ ଜଗନ୍ନାଥ।

ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଥିବା ଏନ୍‌ଡିଆର୍‌ଏଫର ସେକେଣ୍ଡ-ଇନ-କମାଣ୍ଡର ବର୍ଦ୍ଧମାନ ମିଶ୍ରା କହନ୍ତି- ପଥର ଖୋଳା କାମ ଆରମ୍ଭ ହେବା ପରେ ଆକାଶରେ ମେଘ ଥାଇ ବି ବର୍ଷା ହୋଇ ନଥିଲା। ହାଲୁକା ପବନ ବୋହିବାରୁ ଆଜି ପାଗ ଭଲ ଅଛି ଏବଂ ଭଗବାନ ଆମ ସହ ଥିବା କଥା ସେ  କହିଥିଲେ। ଏହା ଶୁଣି ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଥିଲେ- ‘ଜୟ ଜଗନ୍ନାଥ’। ତାଙ୍କ ମୁହଁରୁ ‘ଜୟ ଜଗନ୍ନାଥ’ ଶୁଣି ଆମେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ଖୋଳିବା କାମ ଆରମ୍ଭ କରିଥିଲୁ। କେବଳ ସେତିକି ନୁହେଁ, ରାହୁଲର ରେସ୍କ୍ୟୁ ଅପରେସନ୍ ସଫଳ ହେବା ପରେ ଶ୍ରୀ ଶୁକ୍ଳା କହିଥିଲେ- ‘ଜୟ ଓଡ଼ିଶା…ଜୟ ଜଗନ୍ନାଥ’।

 ବଡ଼ଦାଣ୍ଡରେ ହଜି ଯାଇଥିଲେ ରାହୁଲ୍ 

ରାହୁଲଙ୍କୁ ଉଦ୍ଧାର କରାଯିବା ପରେ ଏବେ ତାଙ୍କର ଓଡ଼ିଶା ସହ ଥିବା ସମ୍ପର୍କ ସାମ୍ନାକୁ ଆସିଛି। ସୂଚନା ମିଳିଛି ଯେ, ଥରେ  ପୁରୀ ଆସିଥିବା ବେଳେ ରାହୁଲ ବଡଦାଣ୍ଡରେ ହଜି ଯାଇଥିଲେ। ଅନେକ ଖୋଜାଖୋଜି ପରେ ବିମଳା ମାଙ୍କ ମନ୍ଦିର ନିକଟରୁ ଉଦ୍ଧାର ହୋଇଥିଲେ ରାହୁଲ। ଦିବ୍ୟାଙ୍ଗ ହୋଇଥିବାରୁ ବହୁ ସମୟ ଧରି ନିଖୋଜ ରହିବା ପରେ ଉଦ୍ଧାର ହୋଇଥିଲେ ରାହୁଲ। ଆଉ ସଂଯୋଗବଶତଃ, ବୋରୱେଲରୁ ସେ ଶ୍ରୀଜଗନ୍ନାଥଙ୍କ ସ୍ନାନପୂର୍ଣ୍ଣିମା ଦିନ ହିଁ ଉଦ୍ଧାର ହୋଇଥିଲେ। ଏହି ଘଟଣା ଶୁଣିବା ପରେ ଅନେକ କହୁଛନ୍ତି ଜଗନ୍ନାଥଙ୍କ କୃପାରୁ ଜୀବନ ଫେରିପାଇଛି ରାହୁଲ୍।

ସମ୍ବନ୍ଧିତ ଖବର