ଗୁଜରାଟରେ ସରିଲା ପ୍ରଚାର: ୫ରେ ଭୋଟ୍‌, ୮‌ରେ ଫଳାଫଳ

ଅହମଦାବାଦ: ଗୁଜରାଟରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଥିବା ହାଇ ଭୋଲ୍ଟେଜ ପ୍ରଚାର କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟା ୫ଟାରେ ଶେଷ ହୋଇଛି। ଡିସେମ୍ବର ୫ରେ ଗୁଜରାଟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ଡିସେମ୍ବର ୮ରେ ନିର୍ବାଚନ ଫଳ ଆସିବ। ଦ୍ବିତୀୟ ପର୍ଯ୍ୟାୟରେ ୯୩ ଆସନରେ ଭୋଟ୍‌ ଗ୍ରହଣ ହେବ। ମୋଟ୍‌ ୮୩୩ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଘାଟଲୋଡ଼ିଆରୁ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ବୀରମଗାମରୁ ପଟିଦାର ନେତା ହାର୍ଦ୍ଦିକ ପଟେଲ ଏବଂ ଗାନ୍ଧିନଗର ଦକ୍ଷିଣରୁ ଓବିସି ନେତା ଅଳ୍ପେଶ ଠାକୁର। ଉଭୟ ହାର୍ଦ୍ଦିକ ପଟେଲ ଏବଂ ଅଳ୍ପେଶ ଠାକୁର ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ସୌରାଷ୍ଟ୍ର, କଚ୍ଛ ଏବଂ ଦକ୍ଷିଣ ଗୁଜରାଟର ୮୯ ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ସୋମବାର ଦିନ ଅହମଦାବାଦ, ବଡ଼ୋଦରା ଏବଂ ଗାନ୍ଧୀନଗର ସମେତ ଉତ୍ତର ଏବଂ କେନ୍ଦ୍ରୀୟ ଗୁଜରାଟର ମୋଟ୍‌ ୧୪ଟି ଜିଲ୍ଲାରେ ଭୋଟ୍‌ ଗ୍ରହଣ ହେବ। ଉକ୍ତ ନିର୍ବାଚନ ମଣ୍ଡଳୀରେ ୨.୫୪ କୋଟି ପଂଜିକୃତ ଭୋଟର ଅଛନ୍ତି। ୨୬,୪୦୯ ବୁଥ୍‌ରେ ଭୋଟ୍‌ ଗ୍ରହଣ ହେବ ଏବଂ ପ୍ରାୟ ୩୬ ହଜାର ଇଭିଏମ୍‌ ବ୍ୟବହାର ହେବ। ନିର୍ବାଚନ କମିସନ୍‌ ୧୪ ଜିଲ୍ଲାରେ ମୋଟ୍‌ ୮୪ ହଜାରରୁ ଅଧିକ ନିର୍ବାଚନ ଅଧିକାରୀ ଏବଂ ୨୯ ହଜାର ପ୍ରିଜାଇଡିଂ ଅଫିସରଙ୍କୁ ମୁତୟନ କରିବେ।

ଶନିବାର ଶେଷ ଦିନରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ଗ‌ଜେନ୍ଦ୍ର ସିଂହ ଶେଖାୱତ, ସ୍ମୃତି ଇରାନୀ ଏବଂ ବିଜେପି ସଭାପତି ଜେପି ନଡ୍ଡା ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନ ତଳେ ଅହମଦାବାଦରେ ୫୪ କିମି ଲମ୍ବା ରୋଡ୍‌ ସୋ କରିଛନ୍ତି। ଆପ୍‌ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଗତ ୨ ଦିନ ମଧ୍ୟରେ ରୢାଲି ଏବଂ ରୋଡ୍‌ସୋ କରିଛନ୍ତି। କଂଗ୍ରେସ ସଭାପତି ମଲ୍ଳିକାର୍ଜୁନ ଖଡ଼ଗେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିବା ବେଳେ ଭାରତ ଯୋଡ଼ୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି ଦ୍ବିତୀୟ ପର୍ଯ୍ୟାୟରେ ପ୍ରଚାର ପାଇଁ ଆସିନାହାନ୍ତି।

ସମ୍ବନ୍ଧିତ ଖବର