ବେଙ୍ଗାଲୁରୁ : ଆଉ ମାତ୍ର କିଛି ସପ୍ତାହ ପରେ ଗୁଜରାଟ ଏବଂ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ନିର୍ବାଚନ କମିସନ୍ ଖୁବ୍ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବେ। ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନ ପ୍ରଚାର କାର୍ଯ୍ୟ ଜୋରଦାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତିନି ଦିନିଆ ଗୁଜରାଟ ଗସ୍ତରେ ଥିଲେ। ମୋଦୀ ଗତକାଲି ଗୁଜରାଟ ଗସ୍ତ ଶେଷ କରିଛନ୍ତି। ଗୁଜରାଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ସହ ମୋଦୀ ଅନେକ ରୢାଲିରେ ଉଦ୍ବୋଧନ ଦେଇଛନ୍ତି। ଆଜି ମୋଦୀ ହିମାଚଳପ୍ରଦେଶ ଗସ୍ତ କରିବେ। ହିମାଚଳପ୍ରଦେଶରେ ମୋଦୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିବେ।
ଅନ୍ୟପକ୍ଷେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଆଜି ଗୁଜରାଟର ମେହସନା ଜିଲ୍ଲାର ବହୁଚରଜୀ ମନ୍ଦିର ସହରରୁ ବିଜେପିର ଗୌରବ ଯାତ୍ରା ଆରମ୍ଭ କରିଛନ୍ତି। ଅକ୍ଟୋବର ୨୦ରେ ଏହା କଚ୍ଛ ଜିଲ୍ଲାର ମଣ୍ଡଭିରେ ଶେଷ ହେବ। ବିଧାନସଭା ନିର୍ବାଚନ ଡିସେମ୍ବରରେ ହେଉଥିବାବେଳେ ଏହା ପୂର୍ବରୁ ବିଜେପି ଏହି ଯାତ୍ରା ଦ୍ବାରା ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ପାଖରେ ପହଞ୍ଚିବାପାଇଁ ଲକ୍ଷ୍ୟ ରଖିଛି ।
ନଡ୍ଡା ବୁଧବାର ଦିନ ଏହି ଯାତ୍ରା ଆରମ୍ଭ କରିଥିବାବେଳେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ଯାତ୍ରାରେ ଯୋଗ ଦେବେ। ପୂର୍ବତନ ଉପୁମଖ୍ୟମନ୍ତ୍ରୀ ନୀତୀନ ପଟେଲ , କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ବିଭିନ୍ନ ସ୍ଥାନରେ ଏହି ଯାତ୍ରାରେ ସାମିଲ ହେବେ। ଗୁରୁବାର ଦିନ ଶାହ ଅହମବଦାବାଦ, ନବସରାଇ ଜିଲ୍ଲାର ୩ଟି ସ୍ଥାନରେ ଯାତ୍ରା ପରିଚାଳନା କରିବେ। ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ରାଜ୍ୟର ଆଦିବାସୀ ଭୋଟରଙ୍କ ସହ ଯୋଗାଯୋଗ ସୁଦୃଢ଼ ପାଇଁ ସ୍ବତନ୍ତ୍ର ଭାବେ ଫୋକସ୍ କରି ଏହି ଯାତ୍ରା ଆରମ୍ଭ ହୋଇଛି। ଗୁଜରାଟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ମୋଟ୍ ୨୭ ଆସନ ସଂରକ୍ଷିତ ଅଛି। ବିଜେପି ଗୁଜରାଟରେ ଆଦିବାସୀ ଭୋଟ୍ ବୃଦ୍ଧି କରିବାପାଇଁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ୨୦୦୨ରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଗୁଜରାଟ ଗୌରବ ଯାତ୍ରା ଆରମ୍ଭ କରିଥିଲେ।