ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଆଜି (ଗୁରୁବାର) ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହୋଇ ଯାଇଛି। ଆସନ୍ତା ୧୨ ତାରିଖ ଶନିବାର ଦିନ ମତଦାନ ଅନୁଷ୍ଠିତ ହେବ। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି), କଂଗ୍ରେସ ଓ ଜନତା ଦଳ (ସେକୁଲାର) ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ଏହି ତିନି ଦଳ ପକ୍ଷରୁ ମଧ୍ୟ ରାଜ୍ୟରେ ବେଶ ଜୋରଦାର ଓ ହାଇ ପ୍ରୋଫାଇଲ ପ୍ରଚାର କରାଯାଇ ଭୋଟରମାନଙ୍କୁ ନିଜ ନିଜ ପକ୍ଷକୁ ଆକୃଷ୍ଟ କରାଇବା ପାଇଁ ବ୍ୟାପକ ଉଦ୍ୟମ କରାଯାଇଛି।
/sambad/media/post_attachments/wp-content/uploads/2018/05/Karnatak.jpg)
ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଥିବା କଂଗ୍ରେସ ଏଥର ନିର୍ବାଚନରେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିବ ବୋଲି ଲକ୍ଷ୍ୟ ରଖିଛି। ଏଥିପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଠାରୁ ଆରମ୍ଭ କରି ଦଳର ଅନ୍ୟ ସମସ୍ତ ବରିଷ୍ଠ ନେତା ପ୍ରଚାର ଅଭିଯାନରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ବ୍ୟାପକ ପ୍ରଚାର କରିଛନ୍ତି। ସେହିପରି ବିଜେପିର ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଅନ୍ୟ ବହୁ କେନ୍ଦ୍ର ମନ୍ତ୍ରୀ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି। ମୂଳରୁ ପ୍ରଚାର ଅଭିଯାନରୁ ନିଜକୁ ଦୂରେଇ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାରର ଶେଷ ୫ ଦିନରେ ୧୫ଟି ର୍ୟାଲିରେ ଉଦ୍ବୋଧନ ଦେଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି।
କର୍ଣ୍ଣାଟକ ବିଧାନସଭାର ୨୨୪ଟି ଆସନ ପାଇଁ ହେଉଥିବା ନିର୍ବାଚନରେ ୨,୬୫୫ ପ୍ରାର୍ଥୀ ନିଜ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଆସନ୍ତା ୧୨ ତାରିଖ ଦିନ ରାଜ୍ୟର ୪.୯୬ କୋଟି ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ ଏମାନଙ୍କ ମଧ୍ୟରୁ ୨.୫୨ କୋଟି ପୁରୁଷ ଭୋଟର ଥିବା ବେଳେ ମହିଳା ଭୋଟର ହେଉଛନ୍ତି ୨.୪୪କୋଟି। ଏହି ଭୋଟରମାନଙ୍କ ମଧ୍ୟରେ ଅଛନ୍ତି ୧୫ ଲକ୍ଷ ନୂତନ ଯୁବା ଭୋଟର ଯେଉଁମାନେକି ପ୍ରଥମ ଥର ପାଇଁ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ। ଏବେ ସମସ୍ତଙ୍କ ନଜର ଆସନ୍ତା ୧୫ ତାରିଖ ଉପରେ କାରଣ ସେହିଦିନ ହିଁ ଭୋଟଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Karnatak1.jpg)