ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଖେଇ ଆସୁଥିବାରୁ ବିଭିନ୍ନ ଦଳର ଷ୍ଟାର୍‌ ପ୍ରଚାରକମାନେ ଏବେ ଜୋରଦାର ପ୍ରଚାର ଜାରି ରଖିଛନ୍ତି। କଂଗ୍ରେସ, ବିଜେପି ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ୍‌ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ପ୍ରତିକୂଳ ପାଗ ସତ୍ତ୍ୱେ ପ୍ରମୁଖ ଦଳର ନେତାମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲି ପ୍ରଚାର ଜାରି ରଖିଛନ୍ତି। ଆସନ୍ତାକାଲି ପ୍ରଚାର ଶେ‌ଷ ହେବାକୁ ଥିବା ବେଳେ ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଜୁନ୍‌ ୧ରେ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ଭୋଟର୍‌ମାନେ ମତାଧିକାର ସାବ୍ୟସ୍ତ କରିବେ।

Advertisment

ଉତ୍ତରପ୍ରଦେଶର ୧୩, ବିହାରରେ ୮, ପଞ୍ଜାବରେ ୧୩, ଝାଡ଼ଖଣ୍ଡରେ ୩, ଚଣ୍ଡିଗଡ଼ରେ ୧, ପଶ୍ଚିମବଙ୍ଗରେ ୯, ଓଡ଼ିଶାର ୬ ଏବଂ ହିମାଚଳ ପ୍ରଦେଶରେ ୪ ଆସନରେ ମତଦାନ ହେବ। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରପ୍ରଦେଶର କୁଶୀନଗର, ସାଲେମପୁର ଏବଂ ଚାନ୍ଦୌଲିରେ ପ୍ରଚାର କରିଥିବା ବେଳ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାଲିଆ, ଘୋସି ଏବଂ ବାରାଣସୀରେ ବିଭିନ୍ନ ରାଲିରେ ଉଦ୍‌ବୋଧନ ଦେଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ବାରାଣସୀରେ ପ୍ରଚାର କରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି କଙ୍ଗରା, ଚମ୍ବା ଏବଂ ଶାହପୁର ଗସ୍ତ କରି ବିଭିନ୍ନ ଜନସଭାରେ ଉଦ୍‌‌ବୋଧନ ଦେଇଛନ୍ତି। ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଗାଜିପୁର ଓ ଚନ୍ଦୌଲିରେ ପ୍ରଚାର କରିଛନ୍ତି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆରା, ପାଟଳିପୁତ୍ର ଓ ପାଟନା ସାହିବରେ ନିର୍ବାଚନୀ ସଭା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ହିଲ୍‌ସାରେ ରୋଡ୍ ସୋ’ କରିଛନ୍ତି। ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ଜେହାନାବାଦ, ପାଲିଗଞ୍ଜ ଏବଂ ଜଗଦୀଶପୁରରେ ପ୍ରଚାର କରିଛନ୍ତି। ଏବେ ଶେଷ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ପ୍ରଚାରର ତୀବ୍ରତାକୁ ବଢ଼ାଇ ଦେଇଛନ୍ତି।