ଭୋଟିଂ ଦିନ ପ୍ରଚାର ଜୋରଦାର, ଲଣ୍ଠନ ଯୁଗର ଅନ୍ଧକାର ଶେଷ ହୋଇଯାଇଛି: ମୋଦୀ
ତେଜସ୍ବୀଙ୍କୁ ‘ଜଙ୍ଗଲରାଜର ଯୁବରାଜ’ କହିଲେ
ନୂଆଦିଲ୍ଲୀ: ବିହାରରେ ବୁଧବାର ଗୋଟିଏ ପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଅନ୍ୟପକ୍ଷେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ବିଭିନ୍ନ ସ୍ଥାନରେ ରୢାଲି କରି ଜୋରଦାର ପ୍ରଚାର କରିଛନ୍ତି। ମୋଦୀ ଆଜି ବିହାରରେ ୩ଟି ସ୍ଥାନରେ ରୢାଲି କରିଛନ୍ତି। ମୋଦୀ ବିହାରର ଭବିଷ୍ୟତ ପାଇଁ ଅତୀତକୁ ନେଇ ରାଜ୍ୟବାସୀଙ୍କୁ କିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରିଛନ୍ତି। ମୋଦୀ ପାଟନା ରୢାଲିରେ କହିଛନ୍ତି, ବିହାରରେ ଲଣ୍ଠନ ଯୁଗର ଅନ୍ଧକାର ଶେଷ ହୋଇଯାଇଛି। ଏବେ କିଏ ବିହାରର ଗରିବ ଏବଂ ମଧ୍ୟବିତ୍ତଙ୍କ ଆଶା ପୁରଣ କରିପାରିବ ? ଯେଉଁମାନେ ବିହାରକୁ ଲୁଟିଛନ୍ତି ସେମାନେ କ’ଣ ଏହା ପାରିବେ? ଯେଉଁମାନେ କେବଳ ନିଜ ପରିବାର କଥା ଚିନ୍ତା କରିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ଅନ୍ୟାୟ କରିଛନ୍ତି, ସେମାନେ କେବେହେଲେ ବିହାର ବାସିନ୍ଦାଙ୍କ ଆଶା ଓ ଆକାଂକ୍ଷାକୁ ବୁଝିପାରିବେନି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଯେମିତି ଗୋଟିଏ ମାସ୍କ ରାଜ୍ୟର ଲୋକମାନଙ୍କୁ କରୋନା କବଳରୁ ସୁରକ୍ଷା ଦେଉଛି ଠିକ୍ ସେମିତି ଗୋଟିଏ ଭୋଟ୍ ଦ୍ବାରା ସେମାନେ ବିହାରକୁ ବେମାର ହେବାକୁ ଦେବେନାହିଁ।
ମୋଦୀ ଆଜି ଦରଭଙ୍ଗାର ରାଜ ମଇଦାନ୍ରେ ଅନ୍ୟ ଏକ ରୢାଲି କରି ଭୋଟରମାନଙ୍କୁ କରୋନା ମହାମାରୀ ପାଇଁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବଙ୍କୁ ମୋଦୀ ‘ଜଙ୍ଗଲରାଜର ଯୁବରାଜ’ ବୋଲି କହିଛନ୍ତି। ପଶ୍ଚିମ ଚମ୍ପାରଣରେ କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ ମୋଦୀ କେବଳ ମିଛ କହୁଛନ୍ତି ଏବଂ ତାଙ୍କ ସହ ସେ ମିଛ କହିବାରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ। ଏନ୍ଡିଏ ସରକାର କୃଷକଙ୍କ ସ୍ବାର୍ଥକୁ ବଳି ପକାଇ ଦେଇଛନ୍ତି ଏବଂ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତିରୁ ବଞ୍ଚିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବେ ତାଙ୍କ ପ୍ରଚାର ସଭାରେ ନିଯୁକ୍ତି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି କାହିଁକି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଆରଜେଡି ନେତା ତେଜସ୍ବୀ ମଧ୍ୟ ଆଜି ବିଭିନ୍ନ ରୢାଲିରେ ନୀତୀଶ ସରକାର ଉପରେ କଡ଼ା ପ୍ରହାର କରିଛନ୍ତି। ରାଜ୍ୟବାସୀଙ୍କୁ କେବଳ ପ୍ରତାରଣା କରି ନୀତୀଶ କ୍ଷମତାରେ ରହିଛନ୍ତି ଏବଂ ଏଥର ଏହି ଅପାରଗ ସରକାରକୁ ତଡ଼ିବା ପାଇ ଲୋକେ ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ସରକାର ଲୋକଙ୍କ କଲ୍ୟାଣ କରିବା ବଦଳରେ କେବଳ କ୍ଷମତାରେ ରହିବାକୁ ହିଁ ମୂଳମନ୍ତ୍ର କରିଛନ୍ତି ବୋଲି ସେ କହିଛନ୍ତି।